ଶିଳଘାଟି: ଏକ ବିସ୍ମୃତ ଇତିହାସ

ସ୍ବାଧୀନତା ସଂଗ୍ରାମର ଅନେକ ଛୋଟ ଛୋଟ ଘଟଣାବଳୀ ଏବେ ଲୋକଙ୍କ ମନରୁ ବିସ୍ମୃତ ଏବଂ ସେ ବିଷୟରେ ଇତିହାସ ମଧ୍ୟ ନିରବ।

 ବିପ୍ଳବୀ ବୀର ବାଘାଯତୀନଙ୍କ ସଶସ୍ତ୍ର ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ଭୂମିକା ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣାଅଛି,କିନ୍ତୁ ସେଇ ମୟୂରଭଞ୍ଜ  ଜିଲ୍ଲାର ଏକ କ୍ରାନ୍ତିତୀର୍ଥ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା।

ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରଠୁ ୩୪ କିମି ଦୂରରେ ପୂର୍ବ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏଇ ସ୍ଥାନ ବିଷୟରେ ସ୍ଥାନୀୟ ଲୋକଙ୍କୁ ବି ଅଜଣା। ଜଣେ ପରିଚିତ ଅବସରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଥରେ କଥୋପକଥନରୁ ଜାଣିବାକୁ ପାଇଲି କେମିତି ଥରେ ସରକାରୀ ଅଫିସର ଫାଇଲ୍ ଖୋଜୁଖୋଜୁ ତାଙ୍କୁ ମିଳିଥିଲା ୨୯୪ ଜଣ କଏଦୀ ସମାନ ଦୋଷରେ ବନ୍ଦୀ ହୋଇଥିଲେ ଉଦଳା ସବ୍ ଜେଲ୍ ରେ, ପରବର୍ତ୍ତୀ ତଥ୍ୟାନୁସନ୍ଧାନରୁ ଜଣାପଡିଥିଲା ମୟୁରଭଞ୍ଜ ଇତିହାସର ପ୍ରଜାମେଳୀର ଏକ ବିସ୍ମୃତ ଇତିହାସ।

 ଦିନେ ଅପରାହ୍ନରେ କିଛି ଉତ୍ସାହୀ ସାଥିଙ୍କୁ ନେଇ ବାହାରି ପଡିଲି ଇତିହାସରେ ନଥିବା ସେଇ ସ୍ଥାନକୁ,ଯାହାର ଭୂଗୋଳ ବି ବହୁତ କମ୍ ଲୋକଙ୍କୁ ଜଣାଥିଲା, ରାସ୍ତା ପାଖ ଏକ ଗାଁର କିଛି ଯୁବକଙ୍କୁ ଶିଳଘାଟୀର ଅବସ୍ଥିତି ବିଷୟରେ ପଚାରିବାରୁ ସେମାନେ ଏପରି କୌଣସି ସ୍ଥାନ ବିଷୟରେ ଜାଣି ନାହାନ୍ତି ବୋଲି କହିଥିଲେ।ଗାଁର ଜଣେ ବୃଦ୍ଧଙ୍କ ଆଖି କିନ୍ତୁ ଚମକି ଉଠିଥିଲା ଶିଳାଘାଟୀର ନାମ ଶୁଣିବା ମାତ୍ରେ। ହାତ ଦେଖାଇ କହିଲେ ସେଇ ଜଙ୍ଗଲ  ଭିତରେ ଅଛି ଡେଲିଙ୍ଗୀ ବନ୍ଧ,ହେଲେ ତମେ ସେ କାଦୁଅ ଦଳରେ ଭର୍ତ୍ତି ଅଞ୍ଚଳକୁ ଯାଅନା! ମନରେ ଥିଲା ତାଙ୍କର ଅଭିମାନ। ଅବଶ୍ୟ ତାଙ୍କ ଅଭିମାନ ଥିଲା ଯଥାର୍ଥ।ସରକାରଙ୍କ ବିନା କୌଣସି ସାହାଯ୍ୟରେ ସେ ବନ୍ଧ ଯେ ପୋତି ହେବାକୁ ବସିଥିଲା ତାହା ଦେଖି ବୁଝିଯାଇଥିଲୁ। ଜଙ୍ଗଲ ମଝିରେ କାଦୁଅରେ ଗାଡ଼ିର ଚକ ପସିଯିବାରୁ  ବନ୍ଧୁଙ୍କ ସହ ମାଟି ଖୋଳି ଚକ ବାହାର କରିବା ସମୟରେ ମନେ ପକାଇଥିଲି ୧୯୪୨ ମସିହା ମାର୍ଚ୍ଚ ମାସ ୨୪ ତାରିଖର ସେ ଘଟଣାକୁ।

 ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ପୂର୍ବର ଘଟଣା। ବ୍ରିଟିଶ ସରକାରଙ୍କ ଦୃଢ ସମର୍ଥକ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେବଙ୍କ ଦରବାରରେ ପ୍ରଜାମଣ୍ଡଳର କିଛି ସଭ୍ୟ ଜଙ୍ଗଲ ମଧ୍ୟରେ ଥିବା ଦୁଇ ହୁଡିକୁ ସଂଯୋଗ କରି ଏକ ବନ୍ଧ ନିର୍ମାଣ କରିବା ପ୍ରସ୍ତାବ ଆଗତ କରିଥିଲେ। ତାକୁ ପ୍ରତ୍ୟାଖ୍ୟାନ କରିଥିଲେ ମହାରାଜା।ଜଳ ସେଚନ କରି ସୁନେଲି ଫସଲ ଉତ୍ପାଦନ କରିବାର ସ୍ବପ୍ନ କିନ୍ତୁ ମଉଳି ନଥିଲା ଲୋକଙ୍କ ମନରେ, ପ୍ରଜାମଣ୍ଡଳ ର ଦୃଢ ନିଷ୍ପତି ରାଜତନ୍ତ୍ରର ବିନା ସହଯୋଗରେ ନିର୍ମାଣ କରିବା ବନ୍ଧ।

 ସ୍ବାଧୀନତା ସଂଗ୍ରାମୀ ଶ୍ରୀ ଗିରିଶଚନ୍ଦ୍ର ରାୟଙ୍କ ଡାକରାରେ ଉଦବୁଦ୍ଧ ସମସ୍ତ ଗ୍ରାମବାସୀ ନିଅନ୍ତି ଶପଥ ସମୂହ ଶ୍ରମଦାନର।ଖୁଣ୍ଟା ଗ୍ରାମପଞ୍ଚାୟତର ଶିଳଘାଟି ଓ କେନ୍ଦୁମୁଣ୍ଡି ମୌଜାରେ ଥିବା କିମ୍ଭିରା ଓ ଭାଗୀରଥି ହୁଡିକୁ ସଂଯୋଗ କରି ବନ୍ଧ ନିର୍ମାଣ ହେଲେ ଯେ ସ୍ଥାନୀୟ ଅଞ୍ଚଳର ଜଳସେଚନ ସମସ୍ୟା ସମାଧାନ ହେବ ସେଥିରେ ନିଶ୍ଚିତ ଥିଲେ ସ୍ଥାନୀୟ ଅଧିବାସୀମାନେ,୧୯୪୨ ମସିହା ମାର୍ଚ୍ଚ ୨୪ ତାରିଖ ଥିଲା ମୟୂରଭଞ୍ଜର କ୍ରାନ୍ତିତୀର୍ଥର ସେଇ ସୁବର୍ଣ୍ଣ ଦିନ।ସକାଳ ୮ ରୁ ପୂର୍ବ ସିଦ୍ଧାନ୍ତ ଅନୁସାରେ ଆଖପାଖ ଗ୍ରାମରୁ ହଜାର ହଜାର ପୁରୁଷ ଓ ମହିଳା ପ୍ରଜାମଣ୍ଡଳର ନେତୃତ୍ୱରେ -କୋଦାଳ ଓ ଝୁଡି ଧରି ଦୌଡ଼ି ଆସିଥିଲେ ରାଜତନ୍ତ୍ରର ବିରୋଧରେ ପ୍ରଜାତନ୍ତ୍ରର ବିଜୟଗାଥା ଇତିହାସରେ ଲେଖିବାକୁ, ଦୀର୍ଘ ୮ ଦିନର ପରିଶ୍ରମର ଫଳ ଏପ୍ରିଲ ପହିଲାରେ ମିଳିଥିଲା  ଶିଳଘାଟି ବନ୍ଧ ରୂପରେ।କାହାଣୀ ଏତିକିରେ ସରିଲା ନାହିଁ,ଇଂରେଜ ଓ ରାଜାଙ୍କ ପୋଲିସ ବାନ୍ଧି ନେଲେ ୨୯୪ ଜଣ ସଂଗ୍ରାମୀଙ୍କୁ,ତତ୍କାଳୀନ ଫରେଷ୍ଟ ଏକ୍ଟ ଅନୁଯାୟୀ ବିଚାର ଚାଲିଲା ଅଦାଲତରେ, ଦୋଷୀ ସାବ୍ୟସ୍ତ ହୋଇ ୧୫ ଟଙ୍କା ଜରିମାନା ନଦେଇ ଏକ ମାସ ସଶ୍ରମ କାରାଦଣ୍ଡ ଆଦେଶକୁ ମାନି ନେଇଥିଲେ ସଂଗ୍ରାମୀ ଗଣ,କଟାଇଥିଲେ ବନ୍ଦୀ ଜୀବନ ଉଦଳା ସହରର ଉପ କାରାଗାରରେ।

 ଆଜି ସେଇ ସ୍ବାଧୀନତା ସଂଗ୍ରାମର କ୍ରାନ୍ତିତୀର୍ଥ ଶିଳଘାଟି ରହିଛି ଅବହେଳିତ ଅବସ୍ଥାରେ, ସରକାରଙ୍କ ନଜର ଟିକିଏ ବି ପଡୁନି,ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବହୁ ଦିନର ଆଶା ବନ୍ଧକୁ  ଖନନ କରାଯାଇ ଅଧିକ ଜଳ ଧାରଣା କ୍ଷମତା କରାଯାଇ ପାରିବ।ଇତହାସ ପୃଷ୍ଠାରେ ସ୍ଥାନ ପାଇନଥିବା ଏଇ ସ୍ଥାନକୁ ଯିବାକୁ ଭଲ ରାସ୍ତା ଟିଏ  ନାହିଁ କି କୌଣସି ସୂଚନା ଫଳକ ବି ନାହିଁ ।କିଛି ମାସ ତଳେ କିଛି ସ୍ଥାନୀୟ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କ ସହାୟତାରେ ନିର୍ମିତ ହୋଇଛି ଏକ ସ୍ମୃତି ସ୍ତମ୍ଭ ଯାହା! ଏଭଳି ସ୍ଥଳୀ ପ୍ରତି କାହିଁକି ଯେ ସରକାରଙ୍କ ଉଦାସୀନତା ତାହା ବୋଧଗମ୍ୟ ହେଉନାହିଁ।

ସମୁଦ୍ର କୂଳର ସେଇ ଗ୍ରାମ

“ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତବର୍ଷ ବହୁତ କିଛି ପାଇଛି; ବହୁତ କିଛି ହରାଇଛି । ହରାଇଥିବା ବିଭବସବୁ ଭିତରେ ବୋଧହୁଏ ସବୁଠାରୁ ମୂଲ୍ୟବାନ ତା’ର ପଲ୍ଲୀ ବାତାବରଣ । ହୁଏତ ଏ କ୍ଷତି ଥିଲା ଅନିବାର୍ଯ୍ ୟ। ଅନିବାର୍ଯ୍ୟ… କିନ୍ତୁ ଅପୂରଣୀୟ।”

ଭାରତର ତତ୍କାଳୀନ ପଲ୍ଲୀ ଜୀବନର ସୁନ୍ଦର ଚିତ୍ର ନିଜ ଅଗଣିତ ଲେଖା ମାଧ୍ୟମରେ ଉଦଜୀବିତ କରିଥିବା ଶବ୍ଦର ଯାଦୁକର ଶ୍ରୀ ମନୋଜ ଦାସଙ୍କ ଉପରୋକ୍ତ ଉକ୍ତି ଆଜି ବି ମାନସ ପଟରୁ ଅପସରି ଯାଇ ନାହିଁ । ଜୀବିକା ଯାପନର ଅନେକ ବର୍ଷ ବିଦେଶରେ ତଥା ରାଜ୍ୟ ବାହାରେ ରହିବା ଭିତରେ ଯତ୍ କିଞ୍ଚିତ୍ ସମୟ ମିଳେ ଚେଷ୍ଟା କରେ ଗାଁରେ ବିତାଇବାକୁ । ଛୋଟବେଳର ଜହ୍ନମାମୁଁର କନକ ଉପତ୍ୟକାର କାହାଣୀରୁ ଆରମ୍ଭ କରି ସଚିତ୍ର ବିଜୟାର ଧାରାବାହିକ ଉପନ୍ୟାସ ପଢିବା ପାଇଁ ଅର୍ଥାଭାବରୁ ବିଗତ ସଂଖ୍ୟା କିଣିବାରୁ କି  ନୂତନ ସଂଖ୍ୟା ଉଧାର ଆଣିବାରୁ ନେଇ ଚାକିରୀ କରିବା ପରେ ତାଙ୍କ ଉପନ୍ୟାସ କି ଗଳ୍ପ ସଂକଳନ କିଣିବା ପାଇଁ ସକ୍ଷମ ହେବା ଭିତରେ ଜାଣି ଯାଇଥିଲି ଯେ ଯାହାଙ୍କ ଲେଖା ଏତେ ଶ୍ରଦ୍ଧାର ସହ ପଢୁଛି ସିଏ ମୋ ପୈତୃକ ଗାଁ’ର ଅନତି ଦୂରରେ ଅନ୍ୟ ଏକ ଗାଁରେ ଜନ୍ମ ନେଇଥିଲେ ।

ଅନେକ ବର୍ଷ ଧରି ସେଇ ଗାଁକୁ ଯିବାର ଅନେକ ଯୋଜନା ହେବାପରେ ବି କାହିଁକି କେଜାଣି ଯାଇ ହେଉନଥିଲା କୌଣସି ଅନ୍ୟ ଅସୁବିଧା ପାଇଁ । ଶେଷରେ ଆରାଧ୍ୟ ଠାକୁର ବାବା ଚନ୍ଦନେଶ୍ବରଙ୍କ ପୀଠକୁ ଥରେ ନୀଳ ପର୍ବ ଉପଲକ୍ଷେ ଯିବା ସମୟରେ ଅନତି ଦୂରରେ ଥିବା ଶଙ୍ଖାରୀକୁ ଯାଇ କିଛି କ୍ଷଣ ଆନନ୍ଦରେ ଅତିବାହିତ କରିଥିଲି ଆଉ ଦାସ ଘର ସେଇ କୋଠାକୁ ଯାଇ ଭାବୁଥିଲି ସତରେ କଣ ହାଡ଼ମାଂସ ଧାରୀ ମନୋଜ ଦାସ କେବେ ବାଲ୍ୟକାଳ ଓ ଶୈଷବର ଦିନ ସବୁ ଏଇଠି ଅତିବାହିତ କରିଥିଲେ !?

ଚନ୍ଦନେଶ୍ବର ମନ୍ଦିର ପୂର୍ବ ପଟ ପାଚେରୀକୁ ଲାଗି ରାସ୍ତାରେ କିଛି ଦୂର ଯିବା ପରେ ଭୋଗରାଇର ପ୍ରସିଦ୍ଧ ପାନ ବୁରୁଜ ସବୁର ସବୁଜିମା ଭିତରେ ଦୂରରୁ ଦେଖାଯାଉଥିଲା ଏକ ମନ୍ଦିରର ଚୂଡ଼ା, ବିସ୍ତୀର୍ଣ୍ଣ ସବୁଜ ପ୍ରାନ୍ତରର ଶେଷଭାଗରେ ଦଣ୍ଡାୟମାନ ଥିଲା ଶ୍ରୀ ରାଧା ଗୋପୀନାଥଙ୍କ ମନ୍ଦିର । ଶଙ୍ଖାରୀ ଗ୍ରାମର ସୀମା ଆରମ୍ଭ ହୋଇଯାଇଥିବା କଥା ବି ଜାଣି ପାରିଥିଲି। 

ହାଟ ଛକ ପୂର୍ବରୁ ଡାହାଣ ପଟେ ଦିଶିଥିଲା ଶଙ୍ଖାରୀ ପ୍ରାଥମିକ ବିଦ୍ୟାଳୟ, ଏଇ କଣ ସେଇ ବିଦ୍ୟାଳୟ ଯେଉଁଠି ପଢିବା ସମୟର କଥାକୁ “ପ୍ରଭଞ୍ଜନର ପାଦଚିହ୍ନ”ର ସେ ଦୁର୍ଭିକ୍ଷର କାହାଣୀ କି “ଏକ ଚୋରୀର ବୃତ୍ତାନ୍ତ” ମାଧ୍ୟମରେ ଲେଖିଥିଲେ !?

 ହାଟ ଛକରୁ ବାମକୁ ବୁଲିବା ସମୟରେ କିଛି ଛୋଟ ପଦ୍ମ ପୋଖରୀ ଆଖିରେ ପଡିଥିଲା,ଇଏ କଣ ସେଇ “ଦୁଇ ସରୋବର”, ଯେଉଁଠି ଦୁଇ ତରୁଣ ପ୍ରେମୀକ ପ୍ରେମୀକା ନିଜ ଜୀବନ ହାରିଥିଲେ ଓ ଅନେକ କାଳ ପର୍ଯ୍ୟନ୍ତ ଯେଉଁଠି ଶ୍ବେତ ଓ ଲାଲ୍ ପଦ୍ମ ଫୁଟୁଥିଲା !? ନାଁ, ସିଏ ତ “ଗୋଟିଏ ମୁମୂର୍ଷୁ, ଅନ୍ୟଟି ଲୁପ୍ତ ପ୍ରାୟ” ୧୯୮୫ ମସିହାରୁ।

ଗାଁ ଭିତରେ କିଛି ବାଟ ଯିବାପରେ ବାମ ପଟେ ଥିଲା ବିରାଟ ବାଡି। ସ୍ଥାନୀୟ ପରିଚିତଙ୍କ ସହ ଥିବାରୁ ଘର ଖୋଜିବାରେ ବିଶେଷ ଅସୁବିଧା ହୋଇନଥିଲା।

ବାଉଁଶ ତାଟିକୁ ଖୋଲି ଭିତରକୁ ଯିବା ପୂର୍ବରୁ ଆଖ ପାଖ ଘର ଆଡ଼କୁ ଆଖି ବୁଲେଇ ଖୋଜୁଥିଲି ବୈକୁଣ୍ଠ ମଉସାଙ୍କ ଘରକୁ । କୁମା ଓ ଚପଳ ମଣ୍ଟୁ ଯେଉଁଠି ଲୁଚକାଳି ଖେଳୁଥିଲେ ସେଇ ସ୍ଥାନକୁ ମନେ ମନେ ଖୋଜୁଥିଲି ଆଉ ତା ସହିତ  ‘ଉ’ସହ ଏକ ଗୋଧୂଳିର ସେଇ ରୋମାଞ୍ଚକର ଅନୁଭବକୁ ମନେ ପକାଉଥିଲି।

ରାସ୍ତାରୁ ଦିଶୁଥିଲା ଦାସ ପରିବାରର ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର,ମୁଣ୍ଡିଆ ମାରି ଉଠିବା ସମୟରେ ମନରେ ସେଇ ନିଆଶି ନନାଙ୍କ ଅନୁତପ୍ତ ଦିଅଁଙ୍କ କଥା ! ହେଲେ ନିଆଶି ନନାଙ୍କ ସେ କୁଡିଆ ବୋଧେ ଦୂରରେ ଥିଲା ଘରଠୁ।

ଜମିଦାରୀ ଘର ଭଳି ବଡ଼ ସିମେଣ୍ଟ ଖୁଣ୍ଟ ଥିବା ଦ୍ବିତଳ ପ୍ରାସାଦର ପିଣ୍ଡାରେ ପାଦ ଦେବା କ୍ଷଣି ଆଖିରେ ପଡିଥିଲା ଦାସ ବଂଶର ତାରକାମାନଙ୍କର ନାମ ତାଲିକା ଲେଖାଥିବା ଏକ କାନ୍ଥ । ପଢୁ ପଢୁ ସେ ସ୍ନେହୀ ଯୁଧିଷ୍ଠିର ମାଷ୍ଟ୍ରେଙ୍କ ମଣ୍ଟୁବାବୁଙ୍କୁ ପାଠ ପଢାଇବାର ଚେଷ୍ଟା ମନେପଡିଥିଲା । ଏଇ କଣ ସେଇ ପିଣ୍ଡା ଯେଉଁଠି ବସି କେବେ ମନୋଜ ଦାସ ସଶରୀରେ ପାଠ ପଢୁଥିଲେ ନିଜ ଭାଇ ଭଉଣୀମାନଙ୍କ ସହ!

ମୂଖ୍ୟ ଦୁଆର ପାଖରେ ପହଞ୍ଚିଲା ବେଳକୁ ଘରେ ରହୁଥିବା ଜଣେ ମହିଳା ଆସି ନିଜ ପରିଚୟ ଦେଇ ଘର ଭିତରକୁ ପାଛୋଟି ନେଇଯାଇଥିଲେ । ଭିତର କାନ୍ଥରେ ମନୋଜ ଦାସଙ୍କ ଯୁବାବସ୍ଥାର ଫଟୋ ସହ ଅନ୍ୟାନ୍ୟ ପରିବାର ଲୋକଙ୍କ ଫଟୋ ସହ ଶ୍ରୀମା ତଥା ସତ୍ୟସାଇ ବାବାଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି । ବାମ ପଟର ଘର ଥିଲା ତାଙ୍କ ପିତାଙ୍କର, ତାପରେ ଯେଉଁ ଘର ସେଇଟା ବୋଧେ ସେଇ ଘର ଯେଉଁଠି ବସି ତାଙ୍କ ଆଇ ସେଦିନ ରୋକଠୋକ କହିଥିଲେ “ହୁଁ..ଏ ବାହାଘର ହେବନାହିଁ, ହେବାକୁ ଦେବି ନାହିଁ । ସ୍ନେହ ଭଳି ଝିଅ ବଳି ପଡିବ ଗୋଡ଼ରେ ଗୋଟିଏ ବି ଅଙ୍ଗୁଳି ନଥିବା ଗୋଟାଏ ଟୋକା ପାଖରେ !! କାହିଁକି ? ପ୍ରଜାପତିଆ ନିଶକୁ ଧିକ୍ !! ଡାକିଆଣ ମୋ ଜୁଆଇଁକୁ !” ଅନ୍ତର୍ହିତ ପାଦାଙ୍ଗୁଳି ରହସ୍ୟ କାହାଣୀର ପୃଷ୍ଠଭୂମି ମନେ ପଡିଯାଇଥିଲା।

ମଝିରେ ଅଗଣା,ସେପାରିରେ ଆଉ ବିଶେଷ କିଛି ଦେଖିବାର ନଥିଲା ବୋଲି ମନହେଲା,ଆଖି ଖୋଜି ବୁଲୁଥିଲା କିନ୍ତୁ ବାଳକ ମନୋଜ ଓ ତାଙ୍କ ପରିବାରର ସେଇ “ବିଭୀଷିକାମୟ ଦୁଇ ରଜନୀ” କଟାଇଥିବା ଘର ଉପରେ, ବୋଧହୁଏ ମୋ ମନର କଥାକୁ ବୁଝିପାରିଲେ ଘରେ ରହୁଥିବା ମହିଳା ଜଣକ ଡାହାଣ ପଟ କୋଣ ଘର ଆଡ଼କୁ ଇଙ୍ଗିତ କରି କହିଥିଲେ ଏଇ ସେଇ ଡକାୟତି ହୋଇଥିବା ଘର ! ସେ ଦୁଇ ରାତିରେ ଡକାୟତ ଦଳର ଆତଙ୍କର ଚିହ୍ନ ସେଘରୁ ଲିଭିନଥିବା କଥା କାହିଁକି କେଜାଣି ହୃଦବୋଧ ହେଲା ଘରର ଭିତରେ ସେ ଗୁପ୍ତ ଦ୍ବାର ତଥା ଆସବାବପତ୍ର ଦେଖି।

ସ୍ନେହ ଅପାଙ୍କ ଘରୁ ସେଦିନର ମଣ୍ଟୁ ଆଣିଥିବା ସାଥି ଜଣକର କାଠ ପିଞ୍ଜରାକୁ ବି ଖୋଜିଥିଲି କିନ୍ତୁ ପାଇ ନଥିଲି,”ଭୀଷଣ ସହ ବନ୍ଧୁତା”କୁ ତ ବି ଅର୍ଦ୍ଧ ଶତାବ୍ଦୀରୁ ଅଧିକ ହୋଇଯାଇଛି !!

ବାରଣ୍ଡାରେ ପଦ ଚାରଣା କରୁଥିବା ସମୟରେ ମନେ ପକାଇବାକୁ ଚେଷ୍ଟା ଥିଲା “ପାଗଳୀ”ର ସେ ମୁହଁ, ଏଇଠି କଣ ଆଣି ଦେଇଥିଲେ ପାନ ଭାଙ୍ଗୁଥିବା ମା’ଙ୍କୁ ସେ ସୁନା ପରି ଦିଶୁଥିବା ଉଜ୍ଜ୍ୱଳ ଚିଜ !?

ବାରନ୍ଦାରୁ ଓହ୍ଲାଇ ଘର ଆଗରେ ଥିବା ଗଛସବୁ ଆଡ଼କୁ ଆଖି ପକାଇ ଥିଲି । ମଣ୍ଟୁବାବୁଙ୍କ ସମୟର ସେ ପିଜୁଳି ଗଛ ଇତ୍ୟାଦି ତ ନଥିଲା ଆଉ ! ଆଖି ପଡିଲା ଆଗରେ ଥିବା ପୋଖରୀ ଉପରେ, ଏଇ କଣ ସେଇ ପୋଖରୀ ଯେଉଁଠି ଦିନେ ନୂଆବୋଉ ମୟୁରଭଞ୍ଜରୁ ଆଣିଥିବା ମୟୂର ଟି ଅପରାହ୍ନର ସେ ମେଘ ଡାକରେ ମତୁଆଲା ହୋଇ ନୃତ୍ୟ କରୁକରୁ ଅଚାନକ ବିଲୁଆର ଲୋଲୁପ ନଜରରେ ପଡି ମୃତ ହୋଇଥିଲା !?

ସନ୍ଧ୍ୟା ହୋଇ ଆସୁଥିଲା, ବାରନ୍ଦା ଉପରକୁ ଚଢି ଯାଇ ମନେ ପକେଇବାକୁ ଚେଷ୍ଟା କଲି ସେ ସମୟର ରାଧାକୃଷ୍ଣ ନାଟକର ପରିବେଷଣ ପୂର୍ବର ପ୍ରସ୍ତୁତି। ଆଉ ସେ ରାଧାକୃଷ୍ଣ ଭୁମିକାରେ ଅଭିନୟ କରୁଥିବା ଦୁଇ କିଶୋରଙ୍କ “ଚେତନା ରାଜ୍ୟର ରାଜକନ୍ୟା” କାହାଣୀ।

ଏଇଠୁ ତ ସୁବର୍ଣ୍ଣରେଖା ଦେଖାଯାଉନି ଆଉ! ଯେଉଁ ନଦୀର ବାଲୁକା ଶଯ୍ୟାରେ ମନୋଜ ଦାସଙ୍କ ପାଦଚିହ୍ନ ପଡିଥିଲା ଜମାଳପୁର ବିଶ୍ବନାଥ ଏକାଡେ଼ମୀରୁ ମାଇଲ ମାଇଲ ବାଟ ଚାଲି ଶଙ୍ଖାରୀ ଆସିବା ସମୟରେ !? ନାଁ, ନଦୀ ପଛକୁ ଫେରି ଯାଇଛି। “ଏକ ଜଳଯାତ୍ରା:ଏକ ସଜଳ ସଞ୍ଜ” ର ଟୁଣି ସହ  ବିସ୍କୁଟ ଆଦାନପ୍ରଦାନର ସରଳ କଥୋପକଥନକୁ ମନେ ପକାଉଥିଲି ହଠାତ୍ ଚା’ ପିଇବାକୁ ନିମନ୍ତ୍ରଣ ମିଳିଲା ସେ ଘରେ ରହୁଥିବା ପରିବାର ତରଫରୁ।

ସମୁଦ୍ର ତ ଆହୁରି ପଛକୁ ଚାଲି ଗଲାଣି ବୋଧହୁଏ ?

ଚା’ ପିଉ ପିଉ ମୋର ଏ ପ୍ରଶ୍ନର ଉତ୍ତରରେ ମହିଳା ଜଣକ କହିଲେ ହଁ, ଅନେକ ଦୂର ଚାଲିଗଲାଣି;ପାଖାପାଖି ୨ କିଲୋମିଟର ହେବ !

ଫେରିବା ସମୟ ହୋଇଯାଇଥିଲା ସେ ସମୁଦ୍ର କୂଳର ଗ୍ରାମରୁ, ଆଣିଥିଲି ସାଥିରେ ମନୋଜ ଦାସଙ୍କ ଲେଖାର ପ୍ରତ୍ୟେକ ଚରିତ୍ରକୁ ହୃଦୟରେ ବାନ୍ଧି।

ସମୁଦ୍ର ପଛକୁ ଫେରି ଯାଇଥିଲେ ବି ଆଜି ସେଇ ଶଙ୍ଖାରି ରହିଛି ଓଡ଼ିଶାର ଅନେକ ସାହିତ୍ୟ ପ୍ରେମୀଙ୍କ ହୃଦୟରେ “ସମୁଦ୍ର କୂଳର ଏକ ଗ୍ରାମ” ହୋଇ।

• ଉପରୋକ୍ତ ଲେଖା କିଛି ବର୍ଷ ତଳର ଶଙ୍ଖାରି ଗ୍ରାମ ଭ୍ରମଣ ସମୟର,ଆଜି ମନୋଜ ଦାସ ଇହଧାମକୁ ଛାଡ଼ି ଚାଲିଯାଇଛନ୍ତି କିନ୍ତୁ ତାଙ୍କ ଲେଖା ବିଶ୍ବର ଅଗଣିତ ପାଠକଙ୍କ ହୃଦୟରେ ଘର କରି ରହିଯାଇଛି। ମନୋଜ ଦାସଙ୍କ ସ୍ମୃତିରେ ତାଙ୍କ ପାଦ ପଦ୍ମରେ ପ୍ରଣାମ କରି ତାଙ୍କ ଅମର ଆତ୍ମାର ସତଗତି କାମନା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏଥି ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଉଛି ଘରଟିକୁ ମନ୍ମଥ-ମନୋଜ ସ୍ମୃତିରେ ଏକ ବିଶିଷ୍ଟ ସଂଗ୍ରାହାଳୟରେ ପରିଣତ କରାନ୍ତୁ।

ସାଇ ପ୍ରକାଶ ଜେନା 

ବିଜୁଳି ଉବାଚ

ଗ୍ରାହକ ଉବାଚ:        ଆହେ ଦୟାମୟ ଟାଟା ପାଓ୍ବାର

                           ଘେନ ଦୟାବହି ଆମ ଗୁହାର

                            ଜଳ ସ୍ଥଳ ବନ ଗିରି ଆକାଶ

                            ଦେଲ ସବୁ ଆଡେ଼ ତୁମେ ପ୍ରକାଶ

                            ହେଲେ ଆମକୁ ଛାଡିଲ କିମ୍ପାଇଁ

                             ଆମେ ବିଲ୍ କଣ ପଇଠୁ ନାଇଁ?

ଟାଟା ପାଓ୍ବାର ଉବାଚ: ଆମେ ଏତିକି ଶିଖିଛୁ ସାଇ ହେ

                            ନିରବଚ୍ଛିନ୍ନ ବିଜୁଳି ଦେବୁ ନାହିଁ ହେ

                            ତମେ ଯାହା କରିବା କଥା କର ହେ

                            ଆମେ କାହାକୁ ଭୟ କରୁନୁ ହେ 

ଗ୍ରାହକ ଉବାଚ:         ଆମ ଇନଭର୍ଟର ଚ୍ଚାର୍ଜ ଆଉ ନାହିଁରେ

                            ଦୟା କଲେ ଆମେ ବଞ୍ଚି ଯିବୁରେ

                            ଆହେ ଦୟାମୟ ନେସ୍କୋ ପାଓ୍ବାର

                            ବାର ଘଣ୍ଟା ହେଲାଣି ବନ୍ଦ ଆମର

                            କୁହ କାରଣ  ଏହି ସମସ୍ୟାର

                            ଆଉ ସାଥି ଦେଉନି ଇନଭର୍ଟର

                            ନାହିଁ ସକାଳୁ ଆଉ ତ ବରଷା

                            ଆଉ ପାଉନାହିଁ ତମ ଭରସା

                            ଶୀଘ୍ର ଦିଅ ଆମକୁ ଅଳପ ଆଶା

                            ନହେଲେ ଶରଣ ପଶିବୁ ଛାମୁଙ୍କ ସହସା

 ଛାମୁ ଉବାଚ:           ଆହେ ବାସିନ୍ଦା ମୋ ପ୍ରିୟ ରାଜ୍ୟର

                            କଣ  କୁହ  ଏବେ ସବୁ ସମାଚାର 

                            ଆଛା, ବିଜୁଳି ନାହିଁ କି ତମର 

                            ଆଲୋଚନା କରି ଦେବି ଉତ୍ତର

                            ଶକ୍ତି ମନ୍ତ୍ରୀ କହିଲେ କିଏ ମୋ’ର?

                           ତାଙ୍କ ନାମ ମନେ ଅଛି କୁହ କାହାର? 

ସଚିବ ଉବାଚ:          ଆହେ ପ୍ରିୟ ଛାମୁ ତମେ ଆମର                        

                            ସକାଳୁ ମୁଁ ଯିବି ବିଜୁଳି ସେଣ୍ଟର

                            ଛନ୍ଦି ଦେବି ଯାଇ ମୁଁ ସବୁ ତାର 

                            ଆଉ ହେବନାହିଁ ସମସ୍ୟା ଘୋର

ବଡ଼ ଫ୍ରେମର ଚଷମା

୯୮ ମସିହାରେ ଯେତେବେଳେ ଯୋଗଦିଏ କଳିଙ୍ଗ ପଲିଟେକ୍ନିକରେ ପଢିବା ପାଇଁ, ସହରରେ ନୂଆ, ଶିକ୍ଷାନୁଷ୍ଠାନରେ ନୂଆ ତେଣୁ ଏକ ଅଜଣା ଭୟ ମନରେ ପଶିଗଲା କିନ୍ତୁ ଯେବେ ନୂଆ କ୍ୟାମ୍ପସ (ନଂ ୩)ରେ କ୍ଲାସ୍ ଆରମ୍ଭ ହେଲା ଗେଟ୍ ପାଖରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ସବୁଦିନେ ଭେଟୁଥିଲି,କିଛି କଥାବାର୍ତ୍ତା ନଥିଲା  ସେ ଖାଲି ସେଠି ଛିଡ଼ା ହୋଇ ସବୁ ଛାତ୍ରଛାତ୍ରୀଙ୍କ ଆଡ଼କୁ ଏକ ଅଭିଭାବକର ଲକ୍ଷ୍ୟରେ ଅନାଇ ରହୁଥିଲେ। ବଡ଼ ଫ୍ରେମର ଚଷମା ପରିହିତ ତାଙ୍କର ଆଖି ସବୁବେଳେ କଲେଜ ପରିସରର ଘଟଣା ଉପରେ ତିକ୍ଷ୍ଣ ନଜର ରଖିଥିଲା।

ଅନେକ ଦିନ ପରେ ଥରେ ଘରୁ ଟିଉସନ ଫି ଆସିବା ବିଳମ୍ବ ହେବାରୁ କଣ କରିବି ଭାବି ନପାରି ଯେତେବେଳେ ଆଡମିନଷ୍ଟ୍ରେଟରଙ୍କ ଅଫିସକୁ ସମୟ କିଛି ମାଗିବା ପାଇଁ ଗଲି ପ୍ରଥମ କଥାବାର୍ତ୍ତା ସେଇଠି ତାଙ୍କ ସହିତ।ଅତି ପରିଚିତ ଭଳି କଥାବାର୍ତ୍ତା ଆରମ୍ଭ କରି ସବୁ ଅସୁବିଧା ବୁଝି ସାନ୍ତ୍ବନା ଦେଇଥିଲେ, କଥାବାର୍ତ୍ତାରୁ ଜାଣିଲି ଘର ତାଙ୍କର ଭଦ୍ରକ, ବାପାଙ୍କ ପ୍ରଥମ ଚାକିରି ଭଦ୍ରକ କହିଲି ଯେତେବେଳେ ସେ କେଉଁ ବିଭାଗ କଣ ପଦବୀ ଇତ୍ୟାଦି ପଚାରି ମୋର ଆର୍ଥିକ ଅବସ୍ଥାର ଆକଳନ ଅରି ନେଇଥିଲେ। ଓଡ଼ିଶା ପ୍ରଶାସନିକ ସେବାରୁ ଅବ୍ୟାହତି ନେଇଥିବା ତାଙ୍କୁ ସେ ସମୟରେ ସରକାରୀ ଚାକିରିଆଙ୍କ ଦରମା ମିଳିବାରେ ଅସୁବିଧା କଥା ଭଲ ଭାବେ ଜ୍ଞାତ ଥିଲା ତେଣୁ ସମବେଦନା ଜଣାଇ ସବୁବେଳେ କହୁଥିଲେ ଯେବେ ଘରୁ ପଇସା ଆସିବ ସେବେ ଦେଲେ ଚଳିବ। ଆଜିବି ଅନେକ ବର୍ଷ ପରେ କେ କେ ସାର୍( ଏଇ ନାମରେ ସାରା କଲେଜରେ ପରିଚିତ ଥିଲେ)ଙ୍କ ସେ ସମୟର ସାହାଯ୍ୟ କଥା ମନେ ପଡିଲେ ହୃଦୟ କୋହରେ ଭରିଯାଏ,ଶେଷ ବର୍ଷ ପରୀକ୍ଷାର ଫର୍ମ ଫିଲପର ଶେଷ ଦିନ, ବାପା ରାତି ବସ୍ ରେ ଗାଁରୁ ଆସି ପହଞ୍ଚିଲେ ବ୍ୟାଙ୍କ ଡ୍ରାଫ୍ଟ ନେଇ କିନ୍ତୁ ଭୁଲରେ ଡ୍ରାଫ୍ଟ ବଦଳରେ ବ୍ୟାଙ୍କ ରିସିପ୍ଟ ନେଇ ଆସିଥିଲେ, କଣ କରିବି କିଂକର୍ତ୍ତବ୍ୟମୂଢ଼ ହୋଇ ଦୌଡ଼ିଲି ସେଇ କେକେ ସାରଙ୍କ ପାଖକୁ, ମୋ ଝାଳନାଳ ଅବସ୍ଥା ଦେଖି ଅଧା ଘଟଣା ସେ ବୁଝି ସାରିଥିଲେ, କହିଲେ ପରୀକ୍ଷା ଦିଅ ମୁଁ ଦେଖିବି,ବାସ୍ ଏଇ ଦି ପଦ କଥାରେ ମନରେ ସାହାସ ଆସିଯାଇଥିଲା। କିଛିଦିନ ପରେ ଯେବେ ଘରୁ ସ୍ପିଡ଼ ପୋଷ୍ଟରେ ପଇସା ଆସିଲା ସଞ୍ଜ ୫ ପୂର୍ବରୁ ଯାଇ ତାଙ୍କୁ ପଇସା ଦେଇ ଆସିଲି କହିଲେ ଆରେ ବ୍ୟସ୍ତ ହେବାର ନାହିଁ,ମନ ଦେଇ ପଢାପଢି କର କେବଳ।

ଶେଷ ପରୀକ୍ଷା ଦିନ ଜଣେ ବନ୍ଧୁଙ୍କ ଦୂର୍ଘଟଣା ହୁଏ,ଦୌଡ଼ି ଯେତେବେଳେ ତାଙ୍କୁ ଜଣାଇଲି କହିଲେ ତମେ ପରୀକ୍ଷା ହଲ୍ କୁ ଯାଅ ସେ ପିଲା କଥା ମୁଁ ବୁଝୁଛି,ପରୀକ୍ଷା ହଲ୍ ରୁ ବାହାରି ଯେବେ ତାଙ୍କୁ ଭେଟିଲି କହିଲେ ” ଚିନ୍ତା କରନା, ସିଏ ଠିକ୍ ଅଛି, କଳିଙ୍ଗ ହସପିଟାଲରେ ତାର ଅପରେସନ ବି ସରିଛି”

ଆଖିରେ ଲୁହ ଓ ହୃଦୟରେ କୋହରେ ତାଙ୍କ ପାଦ ଛୁଇଁ ଆସିଥିଲି ଯେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ଭେଟ ହେବାର ସୁଯୋଗ ମିଳିନଥିଲା।

କିଛିବର୍ଷ ପୂର୍ବରୁ ଥରେ କଲେଜ ଯାଇଥିଲି କିନ୍ତୁ ସମୟ ଅଭାବରୁ ତାଙ୍କ ସହ ଭେଟିବା ସମ୍ଭବପର ହୋଇନଥିଲା, ଯେତେବେଳେ ତାଙ୍କ ସ୍ବର୍ଗବାସର ଖବର ମିଳିଲା ମନ ଭାରାକ୍ରାନ୍ତ ହୋଇଯାଇଥିଲା।ଅତି ପରିଣତ ବୟସରେ ବି କଲେଜ ପରିସରସ୍ଥ ଜଗନ୍ନାଥ ମନ୍ଦିରର କାର୍ଯ୍ୟର ତଦାରଖ କରି ଜଣେ ପ୍ରକୃତ କର୍ମଯୋଗୀର ଉଦାହରଣ ସମସ୍ତଙ୍କ ଆଗରେ ରଖିଯାଇଛନ୍ତି।

ଅଶୃଳ ଶ୍ରଦ୍ଧାଞ୍ଜଳି କେକେ ସାର୍ 🙏

ଭାର୍ଗବୀ କୂଳର ସେଇ ଗାଁ…

ନବେ ଦଶକର ଆରମ୍ଭର କଥା, ବୋଧହୁଏ ୬ଷ୍ଠ ଶ୍ରେଣୀରେ ପଢୁଥାଏ, ଚିତ୍ର ଆଙ୍କିବାରେ ଭୋକ ଶୋଷ ଭୁଲିବା ଭଳି ଗମ୍ଭୀର ନିଶାରେ ପଡିଥାଏ, ଯଦିଓ ପାଠପଢାରେ କମଯୋର ନଥିଲି କିନ୍ତୁ ଚିତ୍ର ଆଙ୍କିବା ଓ ବହି ତଥା ପତ୍ରିକା ପଢା଼ ଭଳି ଅଭ୍ୟାସ ଆପଣେଇ ନେଇଥିଲି।ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପରିଚାଳିତ ସହରର ଏକମାତ୍ର ପାଠାଗାର ଥିଲା ଛୁଟିଦିନିଆ ବହି ପଢାର କେନ୍ଦ୍ର, ବୟସ କମ୍ ଥିବାରୁ ଅନେକ ବହି ପଢିବା ପାଇଁ ମିଳୁନଥିଲା କିନ୍ତୁ ନୂଆ ନୂଆ ୬ଷ୍ଠ ଶ୍ରେଣୀରେ ଇତିହାସ ବିଷୟ ଆରମ୍ଭ ହୋଇଥିବା ବାହାନା ନେଇ ଓଡ଼ିଶାର ଇତିହାସର ଅନେକ ବହି ପଢିଥିଲି  ସେଇ ପାଠାଗାରରେ।

ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସ୍କୁଲ ପକ୍ଷରୁ ମନୋନୀତ ହୋଇ ପରୀକ୍ଷା ଦେଇଥିଲି ସେହି ପାଠାଗାରରେ, ବିଷୟବସ୍ତୁ ଥିଲା ” ପ୍ରିୟ ସ୍ବାଧୀନତା ସଂଗ୍ରାମୀ” ପ୍ରାୟତଃ ସମସ୍ତେ ଗାନ୍ଧୀ,ନେହେରୁ,ଇନ୍ଦିରା ଓ ସୁଭାଷ ବୋଷଙ୍କ ଚିତ୍ର ଆଙ୍କିଥିଲେ,ଏକମାତ୍ର ବ୍ୟତିକ୍ରମ ଥିଲି ମୁଁ, ଅନେକ ଦିନରୁ ପାଠାଗାର କାନ୍ଥରେ ଲାଗିଥିବା ଜଣେ ଧୋତି ପିନ୍ଧା ଲମ୍ବା ଦାଢୀ଼ ରଖା କିନ୍ତୁ ଆଖିରେ ଦରଦପଣ ଝଲସି ଉଠୁଥିବା ବ୍ୟକ୍ତିଙ୍କ ଚିତ୍ର ଆଙ୍କି ପ୍ରଥମ ପୁରସ୍କାର ପାଇଥିଲି।ସେହି ଦିନରୁ ତାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ବଢ଼ିବାରେ ଲାଗିଥିଲା କିନ୍ତୁ ଶ୍ରେଣୀ ବଢିବା ସହିତ ପାଠର ବୋଝରେ ପଡି କେତେବେଳେ ଚାକିରୀ ଜୀବନ ଆରମ୍ଭ ହୋଇଯାଇଥିଲା ଜଣାପଡିନଥିଲା।

ଏକବିଂଶ ଶତାବ୍ଦୀର ଆରମ୍ଭରେ ପୁରୀ ଜିଲ୍ଲାକୁ ବାପାଙ୍କ ବଦଳି ହୁଏ ତାସହ ମୋତେ ସୁଯୋଗ ମିଳେ ଜିଲ୍ଲାର ଅନେକ ଗାଁ ବୁଲିବାକୁ,ଥରେ ବାପାଙ୍କ ଜଣେ ସହକର୍ମୀଙ୍କ ଗାଁକୁ ବୁଲିଯିବା ସମୟରେ ଭାର୍ଗବୀ ନଦୀ ପୋଲ ପାର ହେବା ବେଳେ ଆଖିରେ ପଡିଲା ଲେଖା “ଉତ୍କଳମଣୀ ସେତୁ” ଆଉ ସେଦିନ  ଥିଲା  ୯ ଅକ୍ଟୋବର,ଉତ୍ସବ ମୂଖର ସେ ଭାର୍ଗବୀ କୂଳର  ସେ ଗାଁ ବୁଲିବାର ଅଭିଳାଷ ପରିତ୍ୟାଗ କରିବା ଅସମ୍ଭବ ଥିଲା ମୋ ପାଇଁ।

ସେତୁ ପରର ବାମ ପଟେ ସେ ବନ୍ଧ ଦେଇ ଚାଲୁଥିବା ସମୟରେ ଆଖିରେ ପଡିଥିଲା ନଦୀର ଦୁଇ କୂଳକୁ ଯାହା ନୂଆ ତିଆରି ହୋଇଥିବା ପଥର ଯୋଡେଇ ସହିତ ଅତି ସୁରକ୍ଷିତ ଲାଗୁଥିଲା ,ଉନବିଂଶ ଶତାବ୍ଦୀରେ ସେ ବନ୍ଧ କେତେ ଘର ଭାଙ୍ଗିଥିଲା ତାହାର ହିସାବ ନାହିଁ  କିନ୍ତୁ ଭାଙ୍ଗି ପାରିନଥିଲା ଜଣେ ଲୋକର ଦମ୍ଭ ଓ ସାହାସକୁ,ନିଜ ଘର ପଛେ ଖାଇବାପାଇଁ ନଥାଉ, ନିଜ ଘର ପଛେ ପାଣି ବୁଡ଼ି ଆଣ୍ଠୁଏ ହେଉ କିମ୍ବା ନିଜ ଏକମାତ୍ର ପୁଅ ପଛେ ରୋଗ ଶଯ୍ୟାରେ ପଡିଥାଉ କିନ୍ତୁ ଅନ୍ୟ ଦୁଃଖ ଦେଖି କାନ୍ଦି ପକାଉଥିବା ସେ ଦରଦୀ ମଣିଷର ଗାଁ ଘର ବୁଲି ଦେଖିବା ମୋ ପାଇଁ ଏକ ଅନନ୍ୟ ଅନୁଭୂତି ଥିଲା।

ବନ୍ଧରୁ ସିଧା ଗାଁ ଭିତରକୁ ଡାହାଣକୁ ଯେଉଁ ରାସ୍ତା ଅଛି ସେଥିରେ  ଗଲେ ୫/୬ ଘର ପରେ ପଡିବ ଏକ ଘର,ଯାହା କୌଣସି କାରଣରୁ ଜଣେ ଏତେ ବର୍ଷ ରାଜନୈତିକ ଜୀବନରେ ରହିଥିବା ଏତେ ବଡ଼ ଶିକ୍ଷାନୁଷ୍ଠାନ କରିଥିବା ତଥା ଅତି ପ୍ରତିଷ୍ଠିତ ସମ୍ବାଦ ପତ୍ରର ପ୍ରକାଶକଙ୍କ ଘର ବୋଲି ହୃଦବୋଧ ହୋଇନଥିଲା। ଘର ଆଗରେ ଥିବା ମହାପୁରୁଷଙ୍କ ଅବୟବ ପାଦତଳେ ମୁଣ୍ଡିଆ ମାରି ଯେବେ ଘର ଭିତରକୁ ଗଲି କାନ୍ଧରେ କ୍ୟାମେରା ପଡିଥିବା ଦେଖି ଜଣେ ଭଦ୍ରଲୋକ ସମ୍ବାଦ ପତ୍ରର ପ୍ରତିନିଧି ଭାବି ସସମ୍ମାନେ ପାଛୋଟି ନେଇଥିଲେ ସିଧା ଡାହାଣ ପଟେ ଥିବା କୁଳ ଦେବତା ଶ୍ରୀ ଶ୍ରୀ ରାଧାବିନୋଦ ବିହାରୀ ଦେବଙ୍କ ମନ୍ଦିରକୁ, ଅବିକଳ ସେ ମହାମାନବଙ୍କ ଭଳି ଦିଶୁଥିବା ଜଣେ ବ୍ୟକ୍ତିଙ୍କ ସହ ପରିଚୟ ହୋଇ ଜାଣିଲି ସେ ହେଉଛନ୍ତି ସେ ଘରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପରିବାରର ମୂଖ୍ୟ। ଅତି ଅଣ ଓସାରିଆ ଅଗଣା ଡେଇଁ ପହଞ୍ଚିଲି ଏକ ଘରେ ଯେଉଁଠି ଲେଖାଥିଲା “ଉତ୍କଳମଣିଙ୍କ ଷଠୀଘର ” ଆଖି ପଡିଥିଲା ଚାଳ ଛପରରୁ ପାଣି ଅଟକାଇବା ପାଇଁ ବନ୍ଧା ହୋଇଥିବା ପଲିଥିନ ଜରି ଖଣ୍ଡେ ଆଉ ତାତଳେ ଥିବା କାଠ ଖଟ ଖଣ୍ଡେ, ଲୋକ ସେବକ ମଣ୍ଡଳର କର୍ମକର୍ତ୍ତା ମାନଙ୍କ ଭାଷଣ ତଥା କବିତା ଆବୃତ୍ତି ଭିତରେ  ମୋ ଆଖି ଯାଇ ବୁଲିଆସିଥିଲା ଘରର କୋଣ କୋଣରେ ଲୁଚିବାକୁ ଚେଷ୍ଟା କରୁଥିବା ଜନ୍ମପୀଠର ଦୟନୀୟ ଅବସ୍ଥା। “ଫଟୋ ଖଣ୍ଡେ ନିଅନ୍ତୁ ଆମ ସମସ୍ତଙ୍କର ” ବୋଲି ଡାକ ଶୁଣି ପ୍ରକୃତିସ୍ଥ ହେଲି, ମନେମନେ ଭାବୁଥିଲି ଉତ୍କଳମଣିଙ୍କ ଘର ପରା ଇଏ,ସିଏ କେବେ ନିଜ  ଅବସ୍ଥା କଥା ଯଦି ଭାବିନାହାନ୍ତି ତ ସରକାର ବି ଭାବିବେ କାହିଁକି!

ଗାଁର ପ୍ରମୁଖ ତଥା ସହୃଦୟ  ବ୍ୟକ୍ତି ଜଣେ କହିଲେ ଚାଲନ୍ତୁ ଆପଣଙ୍କୁ ଗାଁ ବୁଲେଇ ଆଣିବି, ଏଭଳି ନିମନ୍ତ୍ରଣକୁ ମନା କରିବା ମୋ ପକ୍ଷରେ ଅସମ୍ଭବ ଥିଲା।ତତ୍କ୍ଷଣ ବାହାରି ପଡିଲୁ ପାଖରେ ଥିବା ସ୍କୁଲ ପରିସରକୁ,ଯଦିଓ ଉତ୍କଳମଣିଙ୍କ ପ୍ରାଥମିକ ଶିକ୍ଷା ପରିସମାପ୍ତିର ଅନେକ ବର୍ଷ ପରେ ବର୍ତ୍ତମାନର ଏ ସ୍କୁଲ ନିର୍ମିତ କିନ୍ତୁ ପରିସର ମଧ୍ୟରେ ରହିଛି ସଦ୍ୟ ନିର୍ମିତ “ଉତ୍କଳମଣି  ସ୍ମୃତି ପରିଷଦ” ନାମିତ ଏକ ଚାରିକାନ୍ଥ ଘେରା ଛାତରୁ ଚୁନ ଛାଡ଼ି ଥିବା ଘର,ସ୍ମୃତି କହିଲେ କେବଳ ଉତ୍କଳମଣିଙ୍କ ଏକ ଅର୍ଦ୍ଧ ଅବୟବ ଯାହା ଥିଲା।

ଉତ୍କଳମଣିଙ୍କ ଲିଖିତ କୌଣସି ବହି କି ବ୍ୟବହୃତ ଆସବାବପତ୍ର ଏଠି ରଖିନାହାନ୍ତି? ପ୍ରଶ୍ନର ଉତ୍ତରରେ ଭଦ୍ରବ୍ୟକ୍ତି ଜଣକ କହିଲେ ସବୁକିଛି ସମାଜ ଭବନ କଟକରେ ସ୍ଥାନିତ।ଭାବୁଥିଲି ତେବେ ଏ ସ୍ମୃତି ପରିଷଦର ଉଦ୍ଦେଶ୍ୟ କଣ ହୋଇପାରେ!

କିଛି ସମୟ ବିତାଇ ପୁଣି ଚାଲିଲୁ ଭାର୍ଗବୀ କୂଳରେ ଥିବା ନୂତନ ଭାବେ ନିର୍ମିତ ଏକ  ପଞ୍ଚସଖା ତୀର୍ଥକୁ,ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପଡିଥିବା ସକାଳର ସତେଜ ପୁଷ୍ପହାର ସବୁ ଗ୍ରାମର ଛାଗଳ ତଥ ସଜ୍ଜିତ କଦଳୀ ଗଛ ସବୁ ଗୋରୁଗାଈଙ୍କ ଖାଦ୍ୟ ପାଲଟିଯାଇଥିଲା। ପରିସରସ୍ଥ ଏକ ମନ୍ଦିର ଜଳମଗ୍ନ ତଥା ସାଂସଦ ପାଣ୍ଠିରୁ ନିର୍ମିତ ଏକ ରୋଷେଇ ଘର ତାଲା ବନ୍ଦ ଅବସ୍ଥାରେ ଥିବା ଦେଖି ବିଶେଷ ସମୟ ନନେଇ ବିଦାୟ ନେବା ପାଇଁ ଅନୁମତି ମାଗିଲି, “ଉତ୍କଳମଣିଙ୍କ ଗାଁ କୁ ଆସିଛ ଅଥଚ ନଖାଇ ଚାଲିଯିବେ କିପରି?”କହିଲେ ସାଥିରେ ଥିବା ଭଦ୍ରବ୍ୟକ୍ତି ଜଣକ, ଚାଲିଲୁ ପୁଣି ଗାଁ ଭିତରକୁ,ଗାଁ ଭିତର ରାସ୍ତା ଅପେକ୍ଷାକୃତ ଭାବେ ଉନ୍ନତ ଅବସ୍ଥାରେ ଥିଲା, ଘର ସବୁ ପୁରୀ ଜିଲ୍ଲାର ଅନ୍ୟ ଗାଁ ପରି ନଡ଼ିଆ ଓ ଗୁଆ ଗଛର ଘେର ଭିତରେ।

 ବାହ୍ୟ ଅତିଥି ତଥା ଗ୍ରାମବାସୀଙ୍କ ନିମନ୍ତେ ଆୟୋଜିତ ହୋଇଥିଲା ପଂକ୍ତି ଭୋଜନର ବ୍ୟବସ୍ଥା।ମନେପଡିଥିଲେ ଉତ୍କଳମଣି,ବର୍ଷଣ ମୂଖର ରାତ୍ରି, ଦିନ ତମାମ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଖରେ ଚାଉଳ ଚୁଡା ପହଞ୍ଚାଇ ପହଞ୍ଚନ୍ତି ଉତ୍କଳମଣି ରାତି ଖାଦ୍ୟ ପାଇଁ, ଖାଉ ଖାଉ କାନ୍ଦି ପକେଇଥିଲେ ଉତ୍କଳମଣି ଲୋକଙ୍କ ଦୁର୍ଦ୍ଦଶା କଥା ଭାବି।

ଗାନ୍ଧୀ ଆସିଥିଲେ ଓଡ଼ିଶା,ସବୁ ମହାନୁଭବଙ୍କ ଭୋଜନ ପାଇଁ ଉଚ୍ଚ ଜାଗାରେ ବ୍ୟବସ୍ଥା ଥିଲା, ରାଜ୍ୟ କଂଗ୍ରେସ ସଭାପତି ଭାବେ ଉତ୍କଳମଣିଙ୍କର ବି ସେଇଠି ଯୋଗଦେବାର ଥିଲା କିନ୍ତୁ ସିଏ ଯାଇ ବସିଗଲେ ସାଧାରଣ କର୍ମୀଙ୍କ ସହ ପଙ୍ଗତରେ।ଆଜି ତାଙ୍କରି ଗାଁରେ ତାଙ୍କର ସ୍ମୃତିଚାରଣ କରି ଚୁଡା଼ଘସା ଆଉ ଡାଲମା ଖାଇବାର ସୌଭାଗ୍ୟ ମିଳିଥିବା କଥା ଭାବି ମନ ପ୍ରଫୁଲ୍ଲିତ ଥିଲା।

ପଞ୍ଚସଖାଙ୍କ ବକୁଳବନର ଶିତଳ ଛାୟାରେ ଅପରାହ୍ନ ବିତାଇବା କଥା ଚିନ୍ତା କରି ବିଦାୟ ନେଲି ସେ ଭାର୍ଗବୀ କୂଳର ସେ ପୂଣ୍ୟଭୂମିରୁ।

ପ୍ରଭୁ ସାକ୍ଷୀ ଗୋପାଳଙ୍କ ମନ୍ଦିରରେ ମୁଣ୍ଡିଆ ମାରି ଚାଲିଲି ଉତ୍କଳମଣିଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟକୁ,ପରିସର ଭିତରେ ଥିବା ଉତ୍କଳମଣିଙ୍କ ସମାଧିପୀଠରେ ନତମସ୍ତକ ହୋଇ ଛିଡ଼ା ହୋଇ କିଛିସମୟ ପାଖରେ ଥିବା ସେ ଚାଳ ଛପର କୋଠରୀ ସବୁକୁ ଦେଖି ବହିରେ ପଢିଥିବା ପ୍ରାକ୍ ସ୍ବାଧୀନତା ସମୟର ସେ ଦୃଶ୍ୟର ସ୍ମୃତିଚାରଣ କରୁଥିଲି, ଯେଉଁଠି ଉତ୍କଳମଣି, ପଣ୍ଡିତ ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ ଆଦି ମନିଷୀମାନେ ଛାତ୍ରଙ୍କ ସୁନ୍ଦର ଭବିଷ୍ୟତ ଗଢି଼ବା ସହିତ ସ୍ବାଧୀନତା ଆନ୍ଦୋଳନରେ ରୂପରେଖ ତଥା ବନ୍ୟା, ବାତ୍ୟା,ମହାମାରୀ ଇତ୍ୟାଦି ବିପର୍ଯ୍ୟୟର ସୁଚାରୁ ପରିଚାଳନା କରୁଥିଲେ।

ସ୍କୁଲର କିଛି ଛାତ୍ରଙ୍କ ସହ କଥାହୋଇ ଜାଣିଲି ଯେ ଆଜିର ଦିନ ବିଷୟରେ ସେମାନେ ଥିଲେ ସମ୍ପୂର୍ଣ୍ଣ ଅଜ୍ଞ, ଦୋଷ ଅବଶ୍ୟ ତାଙ୍କର ନୁହେଁ! କାହାର ସେକଥା ବିଚାର କରିବେ ପାଠକ।

“ବକୁଳବନର କୋକିଳ କବି” ଲେଖାଟି ସାହିତ୍ୟ ବହିରେ ପଢିଥିବା ପ୍ରାୟତଃ ଛାତ୍ରଙ୍କ ଆଖିରେ ବକୁଳବନର ଏକ ସୁନ୍ଦର ଦୃଶ୍ୟ ରହିଥିବା କଥା ମୁଁ ନିଶ୍ଚିତ ଥିଲି ଯେପର୍ଯ୍ୟନ୍ତ ସ୍ବଚକ୍ଷୁରେ ଦେଖିନଥିଲି। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରର ଠିକ ପଶ୍ଚାତ ଭାଗରେ ଥିଲା ସେ ପ୍ରସିଦ୍ଧ ବକୁଳବନ, ଯେଉଁଠି ଦିନେ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀ ମାନେ ପ୍ରକୃତି କୋଳରେ ପକ୍ଷୀମାନଙ୍କ ମଧୁର ତାନ ଶୁଣି ପ୍ରସିଦ୍ଧ ଶିକ୍ଷକମାନଙ୍କଠୁ ଶିକ୍ଷାଲାଭ କରୁଥିଲେ କିନ୍ତୁ ଆଜିର ବକୁଳବନର ଅବସ୍ଥା ଭିନ୍ନ।

କବିମାନଙ୍କ ଅବୟବସବୁ ଜଙ୍ଗଲି ଲଟାରେ ଆବଦ୍ଧ ଥିଲା,ପ୍ରଶାସନ ତରଫରୁ ତିଆରି ହୋଇଥିବା କିଛି ଗୃହ ଏବଂ ଏକ ମୁକ୍ତ ରଙ୍ଗମଞ୍ଜ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖି ଦୋଷ କାହାକୁ ଦିଆଯିବ ଭାବୁଥିଲି!

ବକୁଳବନରୁ ଏବେ ଆଉ ଶୁଭୁନି ସେ ମହାମାନବମାନଙ୍କ ସ୍ବର ଶୁଭୁଥିଲା ଉଚ୍ଚ ସ୍ବରରେ ବଣଭୋଜିରତ କିଛି କଲେଜ ପିଲାଙ୍କ ନାଚଗୀତର ଶବ୍ଦ ତଥା କାଁ ଭାଁ ଘାସଚର ପଶୁଙ୍କ ଚଲାବୁଲାର ଶବ୍ଦ।

ସଞ୍ଜ ନଇଁ ଆସିଥିଲା, ପାଖ ସାକ୍ଷୀ ଗୋପାଳ ମନ୍ଦିରରୁ ଘଣ୍ଟ ମର୍ଦଳର ଶବ୍ଦ ବି ଆସୁଥିଲା, ଫେରିବା ସମୟ ବି ହୋଇଯାଇଥିଲା, ମନ୍ଦିର ଭିତରକୁ ଯାଇ ପ୍ରଭୁ ସାକ୍ଷୀ ଗୋପାଳଙ୍କୁ ପ୍ରାର୍ଥନା ଜଣାଇ ଫେରି ଆସିଥିଲି  ନିଜ କର୍ମ କ୍ଷେତ୍ରକୁ।

ବିଦ୍ର:- ଲେଖାଟି କିଛି ବର୍ଷ ତଳେ ସୁଆଣ୍ଡୋ ଓ ସତ୍ୟବାଦୀ ଭ୍ରମଣ ଉପରେ ପର୍ଯ୍ୟବେସିତ, ଅବଶ୍ୟ ବର୍ତ୍ତମାନ ସୁଆଣ୍ଡୋ ଓ ବକୁଳବନର ବିଶେଷ କିଛି ପରିବର୍ତ୍ତନ ହୋଇଥିବ ବୋଲି ଆଶା ନାହିଁ।

ଚାନ୍ଦିପୁରରୁ ଚନ୍ଦନେଶର୍ ଉଡାଯାହାଜ ଉଡା଼ଣ…

ଚାନ୍ଦିପୁର ବିମାନଘାଟୀ ଭିତ୍ର କଥା👇

ଗେଟ୍ ପାଖ୍ର ଘୁଷଣା କଲାବାଲି :-

ଏ କାଡ଼ ଗଲ ସବୁ?

ଏ ଚାଲିଆସତ ଖର୍ ଖର୍, ଏ ଆଉ ଡେରି କରନି, ଗାଡ଼ି ଛାଡ଼ି ଦବ ଚାଲିଆସ!

ଏ ଆଉ ଗାଡ଼ି ନାହିଁ ଚନ୍ଦନେଶର୍ ଯାଇତେ,ନୁରାନି ବି ଚାଲିଗଲାଣି ଏ!

ଏ ଯିଏ ବେଢ଼ା ପାର୍ ହେଇ ଏବାଡ଼କୁ ଆସିବ, ମାରିକି ତା ଟେଙ୍ଗରି ଛୁଟା କରିଦେବେ ଆମ ନୁକ,ମୁଁ ଡାକିମି ଗୁଟେ ଗୁଟେ କରି ସେବେଳକୁ ଧାଡ଼ି ବାନ୍ଧିକି ଜଣ୍କ ପରେ ଜଣେ ଆସିବ,ଚଡ଼କ ମେଳା ରଙ୍କ ଭିଡ଼ କନେ କୁହୁର୍ କୁଟା ଖାଇବ।

ବାହାବଳପୁର ଆଉ ବଳରାମଗଡି଼ରୁ ଯେମାନେ ଆସିଛ ସଭା ପଛ୍ର ଚଢି଼ବ ଗାଡ଼ି,ଏ ସେ ମାଛ ଯେ ଆଣିଚ ତାକୁ ମଥାର ନେଇକି ଯିବନି, ଗେଟ୍ କତ୍ର ଟୁକନ୍ ଥିବ ତାକୁ ଦବ ସେ ରଖିଦବ, ଉହ୍ଲେଇବା ଆଗ୍ରୁ ତାକୁ କହିନେ ସେ ଖୁଲିକି ରଖିଥିବ।

ଉଡାଯାହାଜ ଭିତ୍ର କଥା!

ମୁଁ ମିଲି ଆଉ ମ ସାଥ୍ର ଯିଏ ଅଛି ସିଏ କୁନି, ଆମର କାମ ହେଲା ଭିତରେ ତମ କଥା ବୁଝିବା,ଉଁଛୁକା ଆମର ଉଡାଯାହାଜ ଉଡିବା ସମୟ ହେଇଗଲାଣି,ସିଟ୍ ରେ ବିସିଯାଅ ସମସ୍ତେ ଥିରିକି ,ଦଉଡ଼ି କୁ କସିକି ବାନ୍ଧି ଦବ,ଠିକ ନପାଇନେ ମତେ ନହେନେ କୁନିକୁ ଡାକିବ ସେ ମଥା ଉପ୍ର ନାଇଟ ଜଳେଇ।

ସୁରକ୍ଷା ବିଷୟରେ କହିଦିଏ,ସିଟ୍ ପଛ୍ର ଗୁଟେ କାଗଜ ଅଛି ତାକୁ ବି ପଢିବ।

ଏ ବିମାନର ଦିଟିଆ ଦୁଆର ଆଗ୍ର ଅଛି ଆଉ ଦିଟିଆ ପଛ୍ର,ସିଟ୍ର ବସିଥିବ ଯେଯାଏଁ ଦଉଡ଼ି ଖୁଲିବନି,ହଗ/ମୁତ ନାଗି ଜଣେ ଜଣକା ଯିବ,ପଛ୍ର ଆଉ ଆଗ୍ର ଦିବାଡ଼ ଅଛି ପାଇଖାନା।

 ଆକ୍ ପାକ୍ ହବନି, ସମସ୍ତଙ୍କୁ ହଗିତେ ଆଉ ମୁତିତେ ଦିଆହବ।

 ଦୁଗତା ଆଉ ବିଡି ଟାଣିତେ ଯାହାର ମନ ତାକୁ ଆମର ଦୁଆର ଖୁଲିକି ଠେଲିଦେବା ତଳକୁ, ସାବଧାନ!

 ମଝିର ଯେତେବେଳେ ସମୁଦ୍ର ଉପରେ ଯିବ ହଲିବ ଟିକେ ଯାହାଜ,ହୁରି କରିବନି କେହି, ଆମ ଡାଇଭର୍ ଉସ୍ତାଦ ନୁକ,ବାଲେସରରୁ ଚନ୍ଦନେଶର୍ ଆଗ୍ରୁ ବସ୍ ଚଲେଇ ୪ ଘଣ୍ଟାର ପହଞ୍ଚଉ ଥିଲା।

 ଯଦି ଏମର୍ଜେନ୍ସି ହେଲା ପାଣିର ଉହ୍ଲେଇବା, ଆମର ତ ସବୁ ସମୁଦ୍ର ପାଖ ନୁକ ପହଁରିକି ପଳେଇବ ଘରକୁ, ଆଉ ଯିଏ ସିଖିନ ପହଁରା ସିଏ ପିମ୍ପିଡି଼ ଖୁଜ,ମିଳିନେ ଖାଇଦିଅ ନହେନେ ଯାହା ହବା କଥା ହବ!

 ସ୍ବାଗତ ପାଇଁ ଆଉ ଟିକେ ପରେ କୁନି ସମସ୍ତଙ୍କୁ ଡାବ ଗୁଟେ ଗୁଟେ ଦବ,ପିଇକି ସେଟା ଘର୍କୁ ନେଇଯିବ କାଟିକି ଶସ ଖାଇବ।

 ବେଲା ଆଉ ଭୁଜା ଖୁଲିକି ରଖିଥିବ ମୁଁ ଦେଉଳା ହାଟ ଦମ୍ ନେଇକି ଗନେ ତାକୁ ଗୁଳେଇ ଖାଇବ,ବମ୍ ଦରକାର ହେନେ ମତେ ଡାକ ଛାଡିବ,ଗୁଟେରୁ ଅଧିକା କାହାକୁ ଦିଆ ହବନି।

 ମଝିର କେଠି ଛିଡ଼ା ହବନି ଯାହାଜ, ଯାହାର ଯାହା ଦେଖିତେ ଇଛା ଝରକା ବାଟେ ଦେଖିବ,ଦୁଆର ପାଖ୍ର ଯିଏ ବସିଛ ସିଏ ନାମ୍ପୋ ପହଞ୍ଚିନେ କହିବ,ହେନେ ଖୁଲିବନି ଦୁଆର, ନହେନେ ଯାହାନ ଗନେ ଆମକୁ ଦୁଷ ଦବନି।

 ଚନ୍ଦନେଶର୍ ମନ୍ଦିର ଦେଖା ଗନେ କୁନି ଆସିକି ସମସ୍ତଙ୍କୁ ଭୁଗରେଇ ପାନ ଖଣ୍ଡେ ଖଣ୍ଡ ଦବ,ଖାଇକି ଉହ୍ଲେଇବ।

 ଆକ୍ ପାକ୍ ନହେଇ ଯିଏ ଯାହାର ବୁଜୁଳି ନେଇ ଯିବ,ହଜିନେ ଆମକୁ କହିବନି।

 ଜୟ ବାବା ଚନ୍ଦନେଶର୍ ହୁରି କରି ଓହ୍ଲେଇବା🙏

* ଲେଖା ବ୍ୟଙ୍ଗ ଓ୍ବେବସାଇଟ୍ ପୁରୁଣା ରେଡ଼ିଓରେ ପ୍ରକାଶ କରିଥିବାରୁ ସମ୍ପାଦକଙ୍କୁ ଧନ୍ୟବାଦ।
*ଚିତ୍ର ଟି ପାଇଁ ସ୍ବିଟି ଦାସଙ୍କୁ ଧନ୍ୟବାଦ 🙏

ଗୁରୁ ଦିବସ

ଛବି ଅପା
ବାପା ଓ ତାଙ୍କ ସାଥିମାନେ ମିଶି କରିଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ଛବି ଅପା,ପ୍ରକୃତ ନାମ ମନେ ନାହିଁ,ଆମରି ଘରେ ହିଁ ରହୁଥିଲେ, ଦିନ ଯାକ ସ୍କୁଲରେ ବ୍ୟସ୍ତ ଆଉ ସଞ୍ଜ ହେଲେ ମୋ ପାଠ ପଢା ଦାୟିତ୍ୱ ତାଙ୍କରି ଥିଲା।
ବାପା
ବାପାଙ୍କ ଚାକିରୀରେ ବଦଳି ପରେ ଅପେକ୍ଷାକୃତ ବଡ଼ ସହରକୁ ଆସିଥିଲୁ,ପୁଣିଥରେ ପ୍ରଥମ ଶ୍ରେଣୀରେ ପଢିବାକୁ ପଢିଥିଲା,ଉପରିସ୍ଥ ଅଧିକାରୀଙ୍କ ୩ ପୁଅଝିଅ ତଥା ମୋର ପାଠପଢ଼ା ଦାୟିତ୍ୱ ଥିଲା ବାପାଙ୍କର।
ପ୍ରତି ପରୀକ୍ଷା ଦିନ ପ୍ରଶ୍ନପତ୍ରରୁ ଉତ୍ତର ପଚାରି ନମ୍ବର ଦେଉଥିଲେ ଆଉ ସର୍ବମୋଟ ନମ୍ବର ଦେଖି ମାଡ଼ ହେବ କି ଗାଳି ସେ ନିର୍ଣ୍ଣୟ ହେଉଥିଲା।ଶେଷ ପରୀକ୍ଷା ଦିନ ସବୁତକ ବିଷୟର ସେଇ ନମ୍ବର ସର୍ବମୋଟ କରି ପୁଣି ମାଡ଼ କି ଗାଳିର ନିର୍ଣ୍ଣୟ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ବି ପହଞ୍ଚି ଯାଉଥିଲା, ଅବଶ୍ୟ ସେଦିନ ବି ବ୍ୟତିକ୍ରମ ହେଉନଥିଲା।
ଗୋବିନ୍ଦ ସାର୍
ଆଗରୁ ଏକ ବ୍ଲଗରେ ଲେଖିଛି ସାରଙ୍କ ବିଷୟରେ ତେଣୁ ବିଶେଷ କିଛି ଲେଖୁନାହିଁ କିନ୍ତୁ ଜୀବନରେ ଏପର୍ଯ୍ୟନ୍ତ ଯାହାକିଛି ହୋଇଛି ତାପଛରେ ଥିବା ଅନେକ ଲୋକଙ୍କ ଅବଦାନ ମଧ୍ୟରୁ ସାରଙ୍କ ଅବଦାନର ପ୍ରତିଶତ ବଡ଼।
ରାଜଲକ୍ଷ୍ମୀ ଅପା
ସାହିତ୍ୟ ଶିକ୍ଷୟିତ୍ରୀ ଥିଲେ ସ୍କୁଲରେ, “କଳା ମାଣିକରେ…” ପଦ୍ୟ ପଢାଉ ପଢାଉ ନିଜେ ଯଶୋଦା ପାଲଟି କାନ୍ଦି ପକାଉଥିବା ରାଜଲକ୍ଷ୍ମୀ ଅପାଙ୍କ ଅନେକ ଅବଦାନ ରହିଛି ଆଜି ସାହିତ୍ୟ ପ୍ରତି ରହିଥିବା ମୋର ଅନୁରାଗ ପାଇଁ।
ସ୍ନେହ ଅପା
ଖାଲି ନାମ ସ୍ନେହ ନଥିଲା ସ୍ବଭାବରେ ଅତି ସ୍ନେହୀ ଥିଲେ,ଅପାଙ୍କ ସ୍ବାମୀ ଥିଲେ ଅନ୍ୟ ଏକ ସ୍କୁଲର( ଆମ ସ୍କୁଲର ପ୍ରତିଦ୍ୱନ୍ଦୀ) ପ୍ରଧାନଶିକ୍ଷକ,କିନ୍ତୁ ଅପାଙ୍କ ପିଲାମାନେ ପଢୁଥିଲେ ଆମ ସ୍କୁଲରେ, ସଭା ସାନ ଝିଅର ଅକ୍ଷର ସୁଧାରିବା ଭାର ପଡୁଥିଲା ମୋ ଉପରେ,ଅନେକ ସମୟରେ ଅକ୍ଷର ଗୋଲ କେମିତି କରିବା ସେ ବିଷୟରେ ତଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିଖାଇବା ପାଇଁ ଅନେକ ପ୍ରେରଣା ଦେଉଥିଲେ।
ଅନୁସୟା ଅପା ଓ ପ୍ରମୋଦ ସାର୍
ସ୍ବାମୀ ସ୍ତ୍ରୀ ଦିଜଣ ସ୍କୁଲକୁ ହିଁ ନିଜ ପରିବାର ଭାବୁଥିଲେ, ପ୍ରତି ପିଲାର ଶିକ୍ଷାର ବିକାଶ ପାଇଁ ବ୍ୟକ୍ତିଗତ ଦୃଷ୍ଟି ଦେଉଥିଲେ, ପ୍ରଧାନଶିକ୍ଷକ ହୋଇ ବି କଡା ମିଜାଜ ନଥିଲା ସାରଙ୍କ,ସର୍ବଦା ହସ ଖୁସିରେ ରହୁଥିବା ସାର୍ ଓ ଅପା ମୋ ବିବାହ ଭୋଜିରେ ପ୍ରଥମ ଅତିଥି ଭାବେ ଯୋଗଦେଇ ଅନେକ ଆଶୀର୍ବାଦ କରିଥିବା କେବେବି ଭୁଲିବି ନାହିଁ।
ନେତ୍ରାନନ୍ଦ ସାର୍/ଅଜା
୮ମ ଶ୍ରେଣୀରେ ସଂସ୍କୃତ,ହିନ୍ଦୀ ଓ ଓଡ଼ିଆ ପଢିବାକୁ ସିନା ବିଧିବଦ୍ଧ ଭାବେ ଟିଉସନ ଯାଉଥିଲି ହେଲେ ଛ ବର୍ଷର ହୋଇଥିଲି ସେବେଠାରୁ ବାଳବିକାଶ ଶ୍ରେଣୀରେ ତାଙ୍କଠୁ ସଂସ୍କୃତର ଜଟିଳ ଶ୍ଳୋକ ସବୁ ସହଜରେ ମନେରଖିବା ଶିଖିଥିଲି। ସେଇ ସୁଯୋଗ ନେଇ ଅଷ୍ଟମରୁ ଦଶମ ଅନେକ ବଦମାସୀ କରିଛି ଟିଉସନରେ,ଗାଳି ମାଡ଼ ମିଳିବାର ଥିଲେ ସିଧା ଆଇଙ୍କୁ ଅଭିଯୋଗ କରି ବର୍ତ୍ତି ଯାଉଥିଲି।
ଚିତ୍ତ ସାର୍
ପଡୋଶୀ ଇଂରାଜୀ ଶିକ୍ଷକ,ଟିଉସନରେ ଗାଳି କଲେ ଘରକୁ ଶୁଭୁଥିଲା,ଟିଉସନ ପରେ ବି ତାଙ୍କ ଘରେ ରାତି ପଢା(ଅବଶ୍ୟ ସାର୍ ଟିକେ ବଜାର ଆଡ଼କୁ ଗଲେ ମଉକା ଦେଖି ଶୋଇ ପଡୁଥିଲି, ଥରେ ଧରା ପଡିବା ପରେ ଯେଉଁ ଉତ୍ତମ ମଧ୍ଯମ ହୋଇଥିଲା ସେ କଥା ଏପର୍ଯ୍ୟନ୍ତ ମନେଅଛି)
ହୃଷୀକେଶ ସାର୍
ବାପାଙ୍କ ସାଥି ତଥା ସାନଭାଇ ଭଳି, ଯଦିଓ ସ୍କୁଲରେ ପାଠ ପଢାଇବା ଦାୟିତ୍ୱ ନଥିଲା ତାଙ୍କର ତେବେ ସ୍କାଉଟ ଶିକ୍ଷକ ହିସାବରେ ଜୀବନରେ ଅନେକ ଶୃଙ୍ଖଳା ଶିକ୍ଷା ଦେଇଥିଲେ। ଚିତ୍ରକଳା ଭଲ ହେଉଥିବା ଦେଖି ଅନେକ ପ୍ରୋତ୍ସାହନ ଦେଉଥିଲେ ସିଏ, କୁମ୍ଭାର ସାହି ଯାଇ ମାଟି ଆଣି ସେଥିରୁ ମୂଖାର ଛାଞ୍ଚ ହେଉ କି ମାଟି ମୂର୍ତ୍ତି ହେଉ ତଥା ବିଭିନ୍ନ ଅଦରକାରୀ ବସ୍ତୁରୁ ସୁନ୍ଦର ଘର ସଜବାଜର ବସ୍ତୁ ତିଆରି ହେଉ ସବୁକିଛି ତାଙ୍କଠୁ ଶିଖିଥିଲି।
ଅଚ୍ୟୁତ ସାର୍
ଆଜି ମାନ୍ୟବର ସାଂସଦ ତଥା ବଡ଼ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା, କିନ୍ତୁ ଦିନ ଥିଲା ରାସ୍ତାରେ ବସ୍ ପାଇଁ ଅପେକ୍ଷା କରିଥିବା ମୋତେ ତାଙ୍କ କାଇନେଟିକ ହୋଣ୍ଡା/ହିରୋ ହୋଣ୍ଡା ସ୍ଲିକ୍ ତଥା ମାରୁତି ଜେନ୍ ରେ ବସାଇ କଲେଜ ନେଉଥିଲେ।ଅଭାବ ଅସୁବିଧା ସମୟରେ ଫିସ୍ ଛାଡ଼ଠୁ ନେଇ ପରୀକ୍ଷା ଫର୍ମ ପୂରଣର ଶେଷଦିନ ପର୍ଯ୍ୟନ୍ତ ପଇସା ବାକି ରଖିବା ପାଇଁ ଅନେକ ସାହାଯ୍ୟର ଋଣରେ ବାନ୍ଧି ଦେଇଛନ୍ତି।
ମୁଖାର୍ଜୀ ସାର୍
ଚାକିରୀ ଜୀବନର ପ୍ରଥମ ଅଧିକାରୀ,କମ୍ପାନୀରେ ଗ୍ରାଜୁଏଟ୍ ଇଞ୍ଜିନିୟର ଭାବେ ଯୋଗଦେଇ କିଛି ବର୍ଷ ଭିତରେ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେବା ପରେ ବି ସେ ଥିଲେ ମୋର ବନ୍ଧୁ ଦାର୍ଶନିକ ଏବଂ ପଥ ପ୍ରଦର୍ଶକ।
ଏତେ ବଡ଼ ସଂସ୍ଥାର ମୂଖ୍ୟ ହେବାପରେ ଏବେବି ଅନେକ ସମୟରେ ମୋର ଛୋଟ ମୋଟ ପ୍ରଶ୍ନର ଉତ୍ତର ଅତି ଆଦରରେ ଦିଅନ୍ତି।

ଜୀବନରେ ଏ ସୋପାନରେ ପହଞ୍ଚାଇବା ପାଇଁ ଏମିତି ଅନେକ ଗୁରୁଙ୍କ ଅବଦାନ ଅତୁଳନୀୟ,ସଭିଙ୍କୁ ଗୁରୁ ଦିବସରେ ଅନେକ ପ୍ରଣିପାତ 

ଭିନ୍ନ ଏକ ଅନୁଭୂତି-ବସ୍ ଯାତ୍ରା (ଭାଗ-୨)

ସଞ୍ଜ ୭ରୁ ଆଚାର୍ଯ୍ୟ ବିହାର ଛକରେ ଛିଡ଼ା ହୋଇ  ଏଲ୍ ଇ ଡି ଆଲୁଅରେ ସଜ୍ଜିତ ଗ୍ରାଣ୍ଡ,ଅଗ୍ନି,ପାଣି,ସ୍ବାଇଁ ବାବୁଙ୍କ ବସ୍ ସବୁ ଦେଖୁଦେଖୁ ମୋର ଚିରପରିଚିତ ଶାନ୍ତିଲତା କେତେବେଳେ ପାରି ହୋଇଯାଇଥିଲା ଜାଣି ପାରିନଥିଲି,ସହଯାତ୍ରୀ ବନ୍ଧୁଜଣକଙ୍କ ଉପଦେଶ ଅନୁସାରେ ଅଟୋରେ ବାଣୀବିହାର ଯାଇ ମଧ୍ୟ ବସ୍ ଧରି ପାରିଲୁ ନାହିଁ,ଶେଷରେ କଟକ ଯାଇ ସେଇଠୁ ବି ବସ୍ ଧରିବାର ନିଷ୍ଫଳ ପ୍ରୟାସ ସାରି ନିଷ୍ପତ୍ତି ନେଲୁ ବାରିପଦା ଯାଉଥିବା ଶେଷ ବସ୍ ଧରିବୁ। ରାଉତ ଏଣ୍ଡ ରାଉତର ଶେଷ ସିଟରେ କୌଣସି ମତେ ନିଜକୁ ଆଡଜସ୍ଟ କରି ଶୋଇବା ଚେଷ୍ଟା କରୁଥିଲି ଯେ କଣ୍ଡକ୍ଟର ମହାଶୟ ଭିଡିଓ କୋଚର ଆନନ୍ଦ ଦେବାପାଇଁ ମେରା ନାମ୍ ଜୋକର ଚଳଚ୍ଚିତ୍ର  ଲଗାଇ ଡ୍ରାଇଭର ପଛ ସିଟରେ ଯାଇ ଶୋଇ ପଡିଲେ। ଅଭିନେତା ମେହମୁଦ ଭଳି ଦିଶୁଥିବା ପାଖ ବୟସ୍କ  ସହଯାତ୍ରୀଙ୍କ ଠାରୁ  ରାଜ କପୁରଙ୍କ ନିଜସ୍ୱ ଜୀବନର ପ୍ରେମ କାହାଣୀ ଶୁଣୁଶୁଣୁ ପହଞ୍ଚି ଯାଇଥିଲୁ ପାଣିକୋଇଲି, ଢାବାରେ ମିଳୁଥିବା ୧୦ ଟଙ୍କାର ତଡକା ଆଉ ରୋଟି ସହ ୬ ଟଙ୍କାର ଚାହା ଗିଲାସର ରାବିଡି ଖାଇ     ଜୀନା ୟହାଁ ମରନା ୟହାଁ ଗୀତରେ ରାଜ କପୁରଙ୍କ ଦୁଃଖ ଦେଖୁଦେଖୁ କେତେବେଳେ ଯେ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଇଥିଲି ସେକଥା ବାରିପଦା ପହଞ୍ଚିବା ପରେ ସେ ମେହମୁଦ ଭଳି ଦିଶୁଥିବା ସହଯାତ୍ରୀଙ୍କ ଆଖି ଲାଲ୍ ଥିବା ଦେଖି ଜାଣି ପାରିଥିଲି,ଅବଶ୍ୟ ଭଦ୍ରବ୍ୟକ୍ତି ଜଣକ ଅତି ଖୁସମିଜାଜ୍ ସ୍ବଭାବର ଥିବାରୁ ବେଶି କିଛି ସମସ୍ୟା ହୋଇନଥିଲା।
ପୁଣିଥରେ ୪୫ କିମି ଦୂର ଯାତ୍ରା କରିବା ପାଇଁ ୫:୪୫ ର ପ୍ରଥମ ବସର ପ୍ରଥମ ସିଟ୍ ଦୁଇ  ହାତେଇବା ପାଇଁ ପରିଚିତ କଣ୍ଡକ୍ଟରଙ୍କ ହାତକୁ ଷ୍ଟୁଡେଣ୍ଟ କନସେସନ୍ ସହ ୫,୫ ଦଶ ଟଙ୍କା ଭଡ଼ା ବଢାଇ ଦେଇ ଦୁଆର ମୁହଁ ପାଖ ଝରକା କଡ଼ରେ ବସି ବଣଜଙ୍ଗଲର ସକାଳୁଆ ଥଣ୍ଡା ପବନର ମଜା ନେଉନେଉ ବସ୍ ପହଞ୍ଚି ଥିଲା ଡୁକୁରା ଛକରେ, ବୈଶିଙ୍ଗା ଆଡୁ ଆସୁଥିବା ଆଉ ଏକ ବସ୍ ର ଯାତ୍ରୀମାନେ ଅଫିସ କାମ ପାଇଁ ଏଇ ବସକୁ ଅପେକ୍ଷା କରିଥିଲେ, “କଲେଜ ଛକରେ ରଖିବେ” ପରିଚିତ ସ୍ବର ଶୁଣି ଆଖି ଖୋଲି ଦେଖିଲି ତଳ ବ୍ୟାଚର ଏକମାତ୍ର ଏବଂ ବୋଧେ ସହରର ଏକମାତ୍ର ନୀଳ ନୟନା ଝିଅଙ୍କୁ,ଆଖିରେ ଆଖି ମିଶିବା ପରେ ଆଖି ମଳି ଶୋଇବାର ଅଭିନୟ ବହୁତ ସୁନ୍ଦର ଭାବରେ କରିଥିଲି। ପାଖରେ ବସିଥିବା ବନ୍ଧୁଜଣକ ନିଜେ ଛିଡ଼ା ହୋଇ ସେ ନୀଳ ନୟନାଙ୍କୁ ସିଟ୍ ଛାଡିବେ ବୋଲି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ମୁଁ ତାକୁ ଗ୍ରହଣ କରି ନଥିଲି।କଲେଜ ଛକରେ ଓହ୍ଲାଇ  ଝିଅ ଜଣକ ଯେବେ ପଛକୁ ଚାହିଁ ଏକ ଅସ୍ବାଭାବିକ ଢଙ୍ଗରେ ହସିଦେଇ ଚାଲି ଯାଇଥିଲେ ଜାଣି ପାରୁଥିଲି  ଆଗକୁ ଆସନ୍ନ ବିପଦ,ପରଦିନ ଘଟଣା ପ୍ରଘଟ ହୋଇଯାଇଥିଲା କଲେଜ ସାରା ” ଦେଖ ଏ ଟୋକାକୁ,କିହୋ ହାତରେ ଆସୁଥିବା ସୁଯୋଗ କିଏ ଛାଡେ…”

ଦୁଇଟି ତାଳ ଗଛର ଗାଁ….

“ଗାଁ” ଶବ୍ଦର ଏକ ଅଲଗା ଆକର୍ଷଣ, ମନ ଭିତରେ ଏକ ଅଲଗା ଛବି ଆଙ୍କିହୋଇଯାଏ ନାମଶୁଣିଲେ, ପ୍ରାୟତଃ  ନଦୀ, ପୋଖରୀ, ଚାଷଜମି, ଗୋରୁଗାଈ,ଭାଗବତ ଟୁଙ୍ଗୀ ଏମିତି ଅନେକ କିଛିର ଦୃଶ୍ୟ ଆଖି ଆଗରେ ନାଚିଯାଏ। 

ଶନିବାର ସ୍କୁଲ ଛୁଟି ପରେ ପ୍ରାୟତଃ ସମୟ ସହର ଉପକଣ୍ଠରେ ବୋହିଯାଉଥିବା  ସ୍ବର୍ଣ୍ଣ ନଦୀ (ଅପଭ୍ରଂସ ହୋଇ ସୋନ/ସୁନ ହୋଇଛି ଏବେ) ରେ ବୁଡ଼ ପକାଇବା ଏକ ଅଭ୍ୟାସରେ ପରିଣତ ହୋଇଥିଲା,ଯଦିଓ ପହଁରା ଶିଖିନଥିବାର ଭୟ ଥିଲା କିନ୍ତୁ ଅଳ୍ପ ପାଣି ଥିବାରୁ ସେଥିରେ ଖେଳିବାର ମଜା ନିଆରା ଥିଲା,ଏମିତି ଦିନେ ନଦୀ ଗାଧୁଆ ସରିବାପରେ ନିକଟସ୍ଥ ପାହାଡ଼ ଚଢି଼ବା ଯୋଜନା ତିଆରି ହୋଇଥିଲା। ବୌଦ୍ଧଧର୍ମର ଆଦ୍ୟ ଗୁରୁ ମାନଙ୍କ ମଧ୍ୟରୁ ଲୁଇପା ଥିଲେ ଅନ୍ୟତମ,ତାଙ୍କର ସାଧନା ତଥା ସିଦ୍ଧ ପ୍ରାପ୍ତିର ଗୁମ୍ଫା ପରିଦର୍ଶନ କରିବା ଲକ୍ଷ୍ୟରେ ଯେବେ ପାହାଡ଼ ଉପରକୁ ଯାଇଥିଲୁ ଅନତି ଦୂରରେ ଥିବା ଏକ ଗାଁ ଆଖିରେ ପଡିଥିଲା,କେଜାଣି କାହିଁକି ସାଇକେଲ ଚଢି଼ କେବେ ସେଠାକୁ ଯିବାର ଦୂର୍ବାର ଅଭିଲାଷା ମନରେ ଗଢ଼ିଉଠିଥିଲା ଅଜାଣତରେ। ଆଖପାଖର ସାଙ୍ଗସାଥିଙ୍କ ନିକଟରୁ ସେ ଗାଁ ବିଷୟରେ ସାମାନ୍ୟ ସୂଚନା ପାଇଥିଲି,ଭାଗ୍ୟକୁ ଉପର ଶ୍ରେଣୀର ଜଣେ ଭାଇଙ୍କ ଘର ସେଇ ଗାଁରେ ଥିଲା।

ଖରାଛୁଟିରେ ଦିନେ ସକାଳୁ ସାଇକେଲ ଧରି ଘରୁ ଯାତ୍ରା ଆରମ୍ଭ କରି ଯେବେ ଲୁଇପା ପାହାଡ଼ ଅତିକ୍ରମ କଲି ସ୍ବାଗତ ଜଣାଇବାକୁ ସ୍ବର୍ଣ୍ଣ ନଦୀରୁ ବାହାରିଥିବା କେନାଲରେ ତିଆରି କୃତ୍ରିମ ଝରଣା ନିକଟରେ କିଛି କ୍ଷଣ ଛିଡ଼ା ହୋଇ ଦୂରରେ ଥିବା ନୀଳଗିରିର ନୀଳ ପାହାଡ଼ ସହ ସବୁଜ ଧାନ ଖେତର ଦୃଶ୍ୟ ଏକ ଅଜଣା ସମ୍ମୋହନରେ ଭରିଦେଇଥିଲା ମନକୁ। ବଡ଼ଭାଇଙ୍କ ଡାକରେ ଯେବେ ପ୍ରକୃତିସ୍ଥ ହେଲି  ସେତେବେଳକୁ ଗ୍ରାମ ସୀମାରେ ଉପନୀତ ହୋଇ ସାରିଥିଲୁ।

ଗାଁ ଭିତରକୁ ରାସ୍ତା ଆରମ୍ଭରେ ହିଁ ଥିଲା ଦୁଇ ପାର୍ଶ୍ଵରେ ଦୁଇ ବିଶାଳ ତାଳଗଛ।

“ଡିହିରାକୁଳ” ବୋଲି ନାମ କିଏ କାହିଁକି ଦେଇଥିଲେ ବା ତା ପଛରେ କଣ କାହାଣୀ ଜାଣିବାର ଇଛା ନଥିଲା ତେଣୁ ମୋ ପାଇଁ ସେଇଦିନରୁ ଗାଁର ନାମ ହୋଇଥିଲା “ଦୁଇଟି ତାଳଗଛର ଗାଁ”

ରେଭେନ୍ସାରେ ପଢୁଥିବା ସେଇ ଗାଁର ଜଣେ ବଡ଼ଭାଇଙ୍କ ପାଖରୁ ବିଭିନ୍ନ ସମୟରେ ଗାଁର କଳା ଓ ସଂସ୍କୃତି ତଥା ତନ୍ତ ବୁଣାକାରଙ୍କ ବିଷୟରେ ଶୁଣି କେବେ ପୁଣିଥରେ ଯିବି ଭାବି ଅନେକ ବର୍ଷ ବିତିଯାଇଥିଲା। ଜୀବନଯିବିକା ସନ୍ଧାନରେ ଅନେକ ଦୂରରେ ରହିବା ପରେ ଖୁବ୍ କମ୍ ସମୟ ପାଇଁ ଗାଁକୁ ଗଲେ  ସମ୍ଭବ ହେଉ ନଥିଲା ଯୋଜନା କରି ସେଇ ଗାଁ ବୁଲିବାପାଇଁ।

ଅନେକ ବର୍ଷ ପରେ ଦିନେ ହଠାତ କୌଣସି ଏକ କାମରେ ସେଇ ପାଖ ଗାଁକୁ ଯାଇଥିବା ସମୟରେ କିଛି ସମୟ ସେଇଠି ବିତାଇବାର ଅନୁଭୂତି ଏବେବି ମାନସପଟ୍ଟରୁ ଲିଭିନାହିଁ।

ଭିତରକୁ ଥିବା ମୋରମ୍ ରାସ୍ତା ଏବେ ଅବଶ୍ୟ କଂକ୍ରିଟର ଆବରଣ ପାଇଛି ଆଉ ଜଳ ନିଷ୍କାସନ ପାଇଁ  ତିଆରି ହୋଇଥିବା ଡ୍ରେନ୍ ଏବେ ମଶାଙ୍କ ଗନ୍ତାଘର ପାଲଟିଛି କିନ୍ତୁ ରାସ୍ତା କଡ଼ରେ ଥିବା ଧାଡ଼ି ଧାଡ଼ି ଘର ଓ ଗଛ ସବୁ ସେମିତି ହିଁ ପୁରୁଣା ଅଛନ୍ତି। ବାମ ପଟେ ନୂଆ ତିଆରି ହୋଇଥିବା ସୁନ୍ଦର ଜଗନ୍ନାଥ ମନ୍ଦିରରେ ମୁଣ୍ଡିଆ ମାରି ଉଠିଲା ବେଳକୁ ବନ୍ଧୁଜଣେ ଆସି ପହଞ୍ଚି ଯାଇଥିଲେ,ତାଙ୍କ ସହ ଚାଲିଲୁ ବହୁ ବର୍ଷ ପରେ ପୁଣିଥରେ ନୂଆ ଜୀବନର ସଞ୍ଚାର ପାଇଥିବା ତନ୍ତ ସମବାୟ ସମିତିର କାର୍ଯ୍ୟାଳୟକୁ। ୧୯୫୫ ମସିହାରେ ଗାଁର କିଛି ଯୁବକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଏ ଅନୁଷ୍ଠାନ ଆଜି ଅନେକ ଝଡ଼ଝଞ୍ଜା ସହି ୬୫ ବର୍ଷ ଅତିକ୍ରମ କରି ସାରିଲିଣି,ମଝିରେ କିଛି ବର୍ଷ ଅର୍ଥାଭାବରୁ ବନ୍ଦ ହୋଇ ପୁଣିଥରେ ଏଇ କିଛିବର୍ଷ ହେବ ୫୦୦ ଟଙ୍କା ମାସିକ ସରକାରୀ ଭତ୍ତା ପାଇ ୭୦/୭୫ ପୁରଷ ଓ ମହିଳା ମିଶି ସକାଳୁ ସଞ୍ଜ ପର୍ଯ୍ୟନ୍ତ ପାରମ୍ପାରିକ କଳାକୁ ବଞ୍ଚାଇବାର ଉଦ୍ୟମ ଜାରି ରଖିଛନ୍ତି।

ଆଜି ବି  ସେଇ ଫୁଡା଼କୁମ୍ଭ ଟସର ଶାଢ଼ୀର ବୁଣିବା ଶୈଳୀ ଅପରିବର୍ତ୍ତିତ ରହିଛି,ପାଟ ଶାଢ଼ୀ ଏବଂ ଆଦିବାସୀ ପ୍ରିଣ୍ଟ ଥିବା ଶାଢ଼ୀରେ  ଅବଶ୍ୟ ଆଧୁନିକତା ଆଣିବାର ଚେଷ୍ଟା ଚାଲିଛି କିନ୍ତୁ ବୁଣିବା ଶୈଳୀ ସେଇ ପୁରୁଣା। ଟସର ଚାଦର,ଗାମୁଛା ବୁଣା ଶୈଳୀ ବି ସେଇ ପୁରୁଣା ଆଉ ମଣ୍ଡ ଦେବା ପରର ସେ ବାସ୍ନା ସେମିତି ହିଁ ଅଛି(ଅନେକ ବର୍ଷ ତଳେ ପ୍ରଥମ ଚାକିରି ସମୟରେ ସେଇ ଚାଦରରୁ ଖଣ୍ଡେ  ଉପହାରରେ ପାଇଥିଲି ମାଆଙ୍କ ପାଖରୁ ଯେଉଁଟା ଏପର୍ଯ୍ୟନ୍ତ ବି ସାଇତି ରଖିଛି ଆଉ ରଖିବି) ପାଟ ଉପରେ ରାମାୟଣ/ମହାଭାରତର କାହାଣୀର ସୁକ୍ଷ୍ମ କାରୁକାର୍ଯ୍ୟ ହେଉ କିମ୍ବା ବାଲିଚୋରୀ ଶାଢ଼ୀରେ ଟସର ଉପରେ ଗୋପଲୀଳାର ଅପୂର୍ବ ଦୃଶ୍ୟ ଏବେବି ସେମିତି ହିଁ ତିଆରି ଚାଲିଛି। 

ସମିତିର ମୂଖ୍ୟ ପରିଚାଳକଙ୍କ ସହ ସଂସ୍ଥାର ସୁବିଧା ଅସୁବିଧା ବିଷୟରେ ବୁଝି କିପରି ଆମାଜନ୍ ଭଳି ବଡ଼ ଇ-ବାଣିଜ୍ୟ ସଂସ୍ଥା ସହଯୋଗରେ ତନ୍ତଲୁଗାର ବଡ଼ ବଜାର ସୃଷ୍ଟି କରାଯାଇପାରେ ସେକଥା ଆଲୋଚନା କରି ସାହୁ ସାହି ଆଡ଼କୁ ପହଞ୍ଚି ଯାଇଥିଲି।

୧୯୯୫ ମସିହାରେ ତାଳପତ୍ରରେ ଉଷା ବିଳାସ କାବ୍ୟ ଖୋଦେଇ କରି ରାଷ୍ଟ୍ରପତିଙ୍କଦ୍ବାରା ପୁରଷ୍କୃତ ଶ୍ରୀଯୁକ୍ତ  କରୁଣାକର ସାହୁ ଓ ତାଙ୍କ ପରିବାରର ଗାଁରେ ଥିଲା ଅନେକ ଲୋକପ୍ରିୟତା,ବିଭିନ୍ନ ପଥର ମୂର୍ତ୍ତି,ତାଳପତ୍ର ଚିତ୍ର ଏବଂ ପଟ୍ଟଚିତ୍ର ତିଆରିରେ ସିଦ୍ଧହସ୍ତ ଶ୍ରୀଯୁକ୍ତ ସାହୁ ଅବଶ୍ୟ ଏବେ ଭୁବନେଶ୍ୱରର ବାସୀନ୍ଦା। ଗ୍ରାମାବସ୍ଥାନ ସମୟରେ ଅନେକ ଯୁବକଙ୍କୁ ତାଲିମ ଦେଇ ସ୍ବଛଳ କରିବାର ଚେଷ୍ଟା କରିଥିଲେ ମଧ୍ୟ ସେ ଭିତରୁ କିଛି ଏବେ ରୋଜଗାର ଆଶାରେ ବଡ଼ ସହରକୁ ସ୍ଥାନନ୍ତରୀତ ଏବଂ ପ୍ରାୟତଃ ନଗଣ୍ୟ ଏବେ ସେ କାରୁକାର୍ଯ୍ୟରୁ ଜୀବିକା ଆଶା ରଖିଛନ୍ତି କିନ୍ତୁ ଜଣେ ବି ଏବେ ଗାଁରେ ନଥିବା କଥା ମନରେ ଅନୁଶୋଚନା ଆଣିଥିଲା।

କାଳକ୍ରମେ ଗାଁ ର କଳା ପରମ୍ପରା କଣ ଲୋପ ପାଇଯିବ? ଯଦି ତନ୍ତ ବୁଣା ପୁଣିଥରେ ଆରମ୍ଭ ହୋଇ ପାରିଲା ତେବେ ଚିତ୍ର କଳାର ପୁନରୁଦ୍ଧାର ହୋଇ ପାରିବନି କାହିଁକି ଭାବୁଭାବୁ ସମୟ ହୋଇଯାଇଥିଲା ଫେରିବାର।

ବହୁ ଚେଷ୍ଟା ସତ୍ତ୍ୱେ ଶ୍ରୀଯୁକ୍ତ ସାହୁଙ୍କ ସହ ସମ୍ପର୍କ କରି ପାରିଲି ନାହିଁ ବୋଲି ଅନୁତାପ ରହିବ କିନ୍ତୁ ଆଶା କେବେ ନା କେବେ ସେ ଫେରିବେ ପୁଣିଥରେ ସେଇ ପୁରୁଣା କଳାକୁ ନୂଆ ଶୈଳୀରେ ନୂଆ ଜୀବନ ଦେବାପାଇଁ।

*ଡିହିରାକୁଳ ଗାଁ ମୟୁରଭଞ୍ଜ ଜିଲ୍ଲାର ଉଦଳା ସହରରୁ ଅନତିଦୂରରେ ଅବସ୍ଥିତ ଏକ ଶିଳ୍ପଗ୍ରାମ( ଅବଶ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି କି ନାହିଁ କହି ପାରିବି ନାହିଁ) ଲେଖାଟି ଦୁଇ ବର୍ଷ ତଳେ ଜାତୀୟ ହସ୍ତତନ୍ତ ଦିବସ ସମୟରେ ସାମାଜିକ ଗଣମାଧ୍ୟମରେ ଚିତ୍ର ସମ୍ବଳିତ ପ୍ରକାଶ କରିଥିଲି ବୁଣାକାରମାନଙ୍କ ଦୁରାବସ୍ଥା ବିଷୟରେ ସରକାରଙ୍କୁ ଅବଗତ କରାଇବା ପାଇଁ।

ମୟୁରଭଞ୍ଜିଆ ଭାଷାରେ ଉଡାଜାହଜ ଭିତର ଘୋଷଣା…

ଚଢି଼ବା ଗେଟ୍ ପାଖରେ…
ଘୁଷଣାକାରୀ-
ଏଟା ଶେଷ୍ ଘୁଷଣା,ଆ ପରେ ଆଉ କହିମିନି,ରାସଗୁବିନ୍ଦ୍ ପୁର୍ ବିମାନଘାଟିରେ ଆପଣମାନଙ୍କୁ ସ୍ବାଗତ୍ କରୁଚୁ।
ଆଉ କିଛିସମୟ୍ ପରେ ଶରତ-ଠାକୁର୍ ମୁଣ୍ଡା ଯିବା ନାଗି  ଉଡାଯାହାଜ୍ ଗେଟ୍ ପାଖ୍ କୁ ଯାଇତେ ହେବ,ଲଗନ୍ ଲଗନ୍ ହିଜୁପେଁ,ଆଉଥରେ କହି ରଖୁଚି ମୁଢି଼ ଟିଣ କେହି ଭିତରକୁ ନେବନି ଗୋ,ସବୁଗା ଲଗେଜ୍ ରେ ଯିବ,ଯଦି ଭିତର୍ କୁ ଗଲା ଆମର୍ ଯେ ପାଇଲଟ୍ ଟା ସେଟା ମୁଢି଼ ଦେଖିନେ ସବୁକଥା ଭୁଲିଯାଏ।ଶରତ ଯିବା ରାସ୍ତା ଭୁଲିକି ଯଦି ବାଉନଘାଟୀ ନେଇଗଲା ତାହେନେ  ଆମ୍ କୁ କହିବନି।
ଉଡାଯାହାଜ ଗେଟ୍ ପାଖରେ
ନମସ୍କାର,ସିଟ୍ ନମ୍ବର?
୨୩ ବ
ଚେଣ୍ଟରି ହାତ ବାଟେ ଯାଅ ସିଧା
୨୧ ଅ
ଭାତ୍ ଖିଆ  ହାତ ବାଟେ ପଛ୍ କୁ
ସମସ୍ତେ ନିଜ ସିଟ୍ ରେ ବସିବା ପରେ….
ହେଲୋ ହେଲୋ ବୁବା ଆଉ ବୁଇ ମାନେ
ମର୍ କଥା ଗା ଶୁଭୁଚିନା ପଛ୍ କୁ?
ମୁଁ ଉଡାଯାହାଜ୍ ର ମେନ୍ ନୁକ ପାଇଲଟ୍ କୁ ଛାଡ଼ି, ନାଁ ମର୍ ମାଗିପମା,ଘର୍ ଟା ମର୍ ଶରତ୍ ପାଖ ଦିଲେଶ୍ବର,ମତେ ଓଡ଼ିଆ,ଖଣ୍ଡି ଇଂରାଜୀ,ଫାଳେ ହିନ୍ଦୀ ଆଉ ଦେଢ଼ ବଙ୍ଗାଳୀ ଭାଷା ଆସେ,ସାନ୍ତାଳୀ କିନ୍ତୁ ଭଲ୍ ସେ ଆସେ।
ମ ସହିତ ଆଉ ଦି ଜଣ ଅଛନ୍ତି ଜଣେ ସୁକ୍ରୀ ଆଉ ଜଣେ ମାଲି,ସୁବିଧା ଅସୁବିଧା ହେନେ ବସ୍ ବା ଜାଗା ଉପ୍ ରେ ଗୁଟେ ସୁଇଚ୍ ଅଛି ସେଟାକୁ ଚିପିନେ ଆମେ ଆସ୍ ବୁ ତମର୍ ଭଲ୍ ମନ୍ଦ୍ ପଚାରିତେ।
ଆମର୍ ଯେ ପାଇଲଟ୍ ତାଙ୍କର୍ ନାଁ ଟା ନିନ୍ ବାବୁ,ତାଙ୍କ ବାପଗୁସାପ ଲାଲ୍ ସାହେବ ଗାଡ଼ି ଚଲଉଥିଲେ,ଇଏ କିଛ ଦିନ୍ ହେଲିକପ୍ଟର୍ ଡାଇଭର୍ ଥିଲେ,ସରକାରଙ୍କ ଆଜିକାଲି ହେଲିକପ୍ଟର୍ ଉପରେ ଚଢଉ ଦେଖି ଚାକିରି ଛାଡ଼ି ଏଠି।
ତାଙ୍କ ସାଥିର ଯିଏ ଅଛି ତାର୍ ନାଁ ଟି ଟିକନ୍,କିଛି  କାମ୍ ଧନ୍ଦା ନଥିଲା ବୁଲି ତାର୍ ବାପଟା ପଠେଇଚି ଉଡାଯାହାଜ ଚଲେଇତେ,ମଝର୍ ମଝର୍ ଅଟ ପାଇଲଟ୍ କନେ ସିଏ ପାଇଲଟ୍ ନାଗି ଚା ପାଣି ଯୁଗାଏ।
ସୁରକ୍ଷା ବିଷୟରେ ଏଇନା କହିମି,ସମସ୍ତେ ଭଲ୍ ସେ ମନ୍ ଦେଇକି ଶୁଣ୍ ବ,ସିଟ୍ ଆଗ ପଟ୍ ରେ ଗୁଟେ କାଗ୍ଜ ଅଛି ସେଟାକୁ ବି ପଢ଼୍ ବ।
ସିଟ୍ ରେ ଯେ ବୁବେଇ ବରେହି ନାଗିଚି ତାକୁ କସିକି ବାନ୍ଧାଦବ ପେଟ ଉପରେ, ଛୁଟ ଛୁଆ ପୁଆ ଥିନେ ମାଲିକୁ କହିବ ଆଉଗୁଟେ ବରେହି ଦେବ।
ଆମର୍ ଏଇ ଜାହଜର ଚାର୍ ଟା କବାଟ ଅଛି ଯେଟାକୁ ଏମର୍ଜେନ୍ସି କହନ୍ତି,୨ ଟା ଆଗ ର୍ ଆଉ ୨ଟା ପଛ୍ କୁ।
ଶିମିଳିପାଳ୍ ଉପର୍ ଦେଇକି ଗନେ ଆଉ ଯଦି ଦେବକୁଣ୍ଡିଆ ମେଘ ଘଟ୍ କି ରହିଲା ତାହେନେ ଉଡାଯାହାଜ ଟିକେ ହଲିଲା ରଙ୍କ ନାଗିବ,ମା ହିଙ୍ଗୁଳାଙ୍କୁ ଡାକି ଆଖି ବନ୍ଦ୍ କରି ଖାସି ଗୁଟା ମାନ୍ ସିକ୍ କରି ଦେବ।
ଯେ ସିଟ୍ ର ବସିଚ ତା ତଳେ ଗୁଟେ ଜାକେଟ୍ ରଙ୍କ  ଅଛି ଯଦି କେତେବେଳେ ଇଂଜିନ୍ ଖରାପ ନାଗି ବୁଢା଼ବଳଙ୍ଗର ଉଲ୍ହେଇତେ ପଡିଲା ତାହେନେ ସେଟାକୁ ପିନ୍ଧି  ଫୁଙ୍କି ଦେବ ଫୁଲି ଗନେ ଡେଇଁପଡିବ ପାଣିକୁ,ଅଣ୍ଟା ଭାଙ୍ଗିନେ ଆମେ ଦାୟୀ ନୁହେଁ,ନଦୀର ପାଣି ବେଶି ନାହିଁ ଆମେ କିସ କରିବା।
ଆଉ ଭିତ୍ ର ଯଦି ପବନ୍ କମିଗଲା ତାହେନେସେ ଉପରୁ ଗୁଟେ ମୁଖା ଖସିବ,ତାକୁ ବାନ୍ଧିଦବ ଭଲ୍ ସେ,ଆଗ ନିଜେ ବାନ୍ଧ ବ ତାପରେ କଡ଼ ନୁକ କଥା ଭାବ୍ ବ।
ବେଗ୍ ପତ୍ର ଯାହା ଆଣିଚ ତାକୁ ମୁଣ୍ଡ ଉପରେ  ନହେନେ ଗୁଡ଼ ତଳେ ରଖିବ,ଗଞ୍ଜା ନଢେଇନାଗି ଯିଏ ଶରତ ହାଟକୁ ଯାଉଚ ଆଉ ବେଗ୍ ରେ ଯଦି ଗଞ୍ଜା ରଖିଚ ତାହେନେ ତା ଖାଇବା ନାଗି ଖୁଦ ଆମେ ଦେବୁନି,ତମେ ତମର୍ ବେବସ୍ଥା କର୍ ବ।
ଆଉ କିଛି ସମୟ ପରେ ମାଲି ଆଉ ମୁଁ ଖାଇବା ନେଇକି ଯିବା,କେର୍ କ ହାଟରୁ ଯେ ଖାସିଟା ଆଣିଥିଲୁ ଗତଥର ତାର୍ କସା ଆଉ ବାର୍ପଦା ମୁଢି଼ ଆଜିର ଖାଇବା ମେନୁରେ ଅଛି,ଆଉଗୁଟେ କଥା,ଖାଇକି ଝର୍କା ପଟେ ହାଡ଼ ଫିଙ୍ଗିନେ ଆସ୍ କି ତମ୍ ରି ଉପରେ ପଡ୍ ବ,ଖାଇତେ ଯେ ଶାଳ୍ ପତ୍ର ଠୁଲା ଦେବା ସେଥ୍ ର ରଖ୍ ବ।
ଆଉ ଗୁଟେ ମେନ୍ କଥା,ବିଡି଼ ଫିଡି଼ ଟଣା ମନା ଏଠି,ପାଇଖାନା ଭିତ୍ ର ବି ନୁହେଁ,ଘର ପହଞ୍ଚିନେ ଯେତେ ପିଇବ ପିଅ ଆମର୍ କିଛି କହିବାର୍ ନାହିଁ।
ସାମ୍ ନାର ଯେ ଟିଭି ଅଛି ସେଥିର ଛଉ ନାଚ ଦେଖିକି ଘର ଯାଏଁ ପହଞ୍ଚି ଯାଅ  ଏତ୍ କି କହି ମୁଁ ରହୁଚି।
ଉହ୍ଲେଇଲା ବେଳକୁ ଦେଖିକି ଜିନିଷ କାଢିବ ଉପରୁ କାହା ମଥାଫଥା ଫଟେଇବନି।
ଏଇନା ଆମେ ଶରତ୍ ପହଞ୍ଚିବା,ସବୁ ଫେର୍ ସେ ସେ ବରେହି ବାନ୍ଧି ମାରାଂବୁରୁ,ମା ବାସୁଳୀ,ମା ଜ୍ବାଲାମୁଖି,ମା ହିଙ୍ଗୁଳାଙ୍କୁ ଡାକ ଭଲ୍ ସେ ପହଞ୍ଚି ଗଲ ବୁଲି।






ଲେଖାଟି ବ୍ୟଙ୍ଗ ଲେଖା ପ୍ରକାଶ କରୁଥିବା ପୁରୁଣା ରେଡିଓ ଓ୍ବେବସାଇଟରେ ନିକଟରେ ପ୍ରକାଶିତ ହୋଇଥିଲା, ସମ୍ପାଦକଙ୍କ ଅନୁମତି ନେଇ ପୁଣିଥରେ ଏଇଠି ପ୍ରକାଶ କରୁଛି। ଚିତ୍ର ପାଇଁ ଶ୍ରୀ ସୁଜିତ ଦାସଙ୍କୁ ଅଶେଷ ଧନ୍ୟବାଦ।