ନୀଳନଦୀରେ ନୌବିହାର

ଇତିହାସକୁ ଗପ ଭାବରେ ପଢିଲେ ବୁଝିବାକୁ ଭାରି ସହଜ ବୋଧହୁଏ, ବିଷୟ ଭାବେ ଷଷ୍ଠ  କି ସପ୍ତମ ଶ୍ରେଣୀରେ ପ୍ରଥମଥର ପାଇଁ ପଢିବାକୁ ପଡିଥିଲା।ମୋଗଲ ଶାସନ,ବିଶ୍ବଯୁଦ୍ଧ ଓ ସ୍ବାଧୀନତା ସଂଗ୍ରାମ ବିଷୟରେ ପଢି  ଭୟ ଲାଗୁଥିଲା କେମିତି ଏସବୁ ଘଟଣାର ମସିହା ମନେରଖି ପରୀକ୍ଷାରେ ଲେଖିବା କିନ୍ତୁ ଯେତେବେଳେ ମହେଞୋଦାର,ହରପ୍ପା ସଭ୍ୟତା ବିଷୟରେ ପଢିବାକୁ ପଡିଲା ସେବେ ଭାରି ରୋମାଞ୍ଜକର ଲାଗିଲା,ସବୁଠାରୁ interesting ଥିଲା ଯେବେ ମିଶର ସଭ୍ୟତା ବିଷୟରେ ପଢୁଥିଲେ,ପରୀକ୍ଷାରେ ପ୍ରଶ୍ନ ଆସିଥିଲା ମିଶରକୁ ନୀଳ ନଦୀର ଦାନ କାହିଁକି କୁହାଯାଏ? ସେତେବେଳେ ସ୍ବପ୍ନରେ ସୁଦ୍ଧା ଭାବିନଥିଲି କେବେ ସୁଯୋଗ ମିଳିବ ନୀଳନଦୀ ଉପତ୍ୟକା ପରିଭ୍ରମଣ କରିବାକୁ।
ପୂରାତନ ଯୁଗର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ପିରାମିଡ଼ ଅନ୍ୟତମ କିନ୍ତୁ ମିଶର ଦେଶରେ ପିରାମିଡ଼ ଛାଡି ଏମିତି ଅନେକ କିଛି ଅଛି ଯାହା ଅତ୍ୟନ୍ତ ଆକର୍ଷଣୀୟ,ସେମିତି କିଛି ସ୍ଥାନକୁ ଯିବାପାଇଁ ମୋତେ ୱତନୀୟା ରେଳର ସାହାଯ୍ୟ ନେବାପାଇଁ ପଡିଥିଲା,ନିକଟସ୍ଥ ଷ୍ଟେସନ ଥିଲା ଗିଜା,ଯାହା କି ପିରାମିଡ଼ର ଘର,ଅବଶ୍ୟ ଗିଜା ସହରର ଛଅ ପିରାମିଡ଼ ଛାଡି ଅନ୍ୟତ୍ର ବି କିଛି ସ୍ଥାନରେ ଅଛି ଆଉ ଏବେବି ସେ ବିଷୟରେ ଆହୁରି ଅଧିକ ଅନୁସନ୍ଧାନ ଚାଲିଛି..
ୱତନୀୟା ରେଳ କହିଲେ ପ୍ରାୟ ଆମ ଦେଶର ମହାରାଜା ଏକ୍ସପ୍ରେସ ସହ ତୁଳନୀୟ, ସଂପୂର୍ଣ୍ଣ ଭାବେ ବିଦେଶୀ ନାଗରିକଙ୍କ ପାଇଁ ସଂରକ୍ଷିତ ଶୟନ ଯାନ, ଗିଜା ସହର ଯେହେତୁ ୧୨୦୦/୧୩୦୦  ବର୍ଷ  ପୁରୁଣା, ମୋର ଧାରଣଥିଲା ଷ୍ଟେସନ ବି ସେମିତି ହୋଇଥିବ ହେଲେ ସଫାସୁତୁରା ଓ ଛୋଟ ଷ୍ଟେସନରେ  ଅଧିକାଂଶ ଯାତ୍ରୀ ବିଦେଶୀ ହିଁ ଥିଲେ,ବହୁତ ବଡ଼ ସଂଖ୍ୟାରେ ଚୀନ ଦେଶର ନାଗରିକ ମାନେ ଥିଲେ ମୋ ସହଯାତ୍ରୀ,ଦୁଇଜଣ ସହଜରେ ଶୋଇଲା ଭଳି କ୍ୟାବିନ,ତା ଭିତରେ ହାତ ମୁହଁ ଧୋଇବାକୁ ବେସିନ୍,ସଂଧ୍ୟା ୮ ରେ ଟ୍ରେନ ଚଢିବା ମାତ୍ରେ କୋଚ ସହାୟକ ଗରମ ଖାଦ୍ୟ ଓ ପାନୀୟରେ ଆପ୍ୟାୟିତ କଲେ,ଖାଇବା ଅବଶ୍ୟ ହାଲୁକା ଥିଲା,ଆମର ଏପଟ କାନିକା ଭଳି ଭାତ,ଆଉ ସିଝା ପନିପରିବା ତାସହ ଆଳୁ,ବାଇଗଣ ଭଜା,ପାଉଁରୁଟି ଏବଂ ସାଲାଡ୍ । ଭ୍ରମଣ ଜନିତ କ୍ଳାନ୍ତି ପାଇଁ ନିଦ୍ରାଦେବୀ ଯଥାଶୀଘ୍ର ଆସିଯାଇଥିଲେ,ସକାଳେ କ୍ୟାବିନ କବାଟରେ ଠକ୍ ଠକ୍ ଶବ୍ଦରେ ନିଦ ଭାଙ୍ଗିଲା ବେଳକୁ ଗରମ କଫିଧରି ଛିଡ଼ା ହୋଇଥାନ୍ତି ସହାୟକ ମହାଶୟ,ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାକୁ ଆହୁରି କିଛି ଘଣ୍ଟା ବାକି ଥାଏ,ସକାଳର ସୂର୍ଯ୍ୟ ନୀଳନଦୀର ସେପାରିରୁ ମୁଣ୍ଡ ଟେକି ଚାହିଁ ସାରିଥିଲେ,କଫିର ମଜା ନେଉନେଉ ଝରକାରୁ ଲକ୍ଷ୍ୟକଲି ଆମର ଟ୍ରେନ ଠିକ୍ ନୀଳନଦୀର କୂଳେକୂଳେ ଚାଲିଥାଏ ଅବଶ୍ୟ ନଦୀ ପ୍ରବାହର ବିପରୀତ ଦିଗରେ। ମଳମାଳ ଖଜୁରୀ ଗଛ, ବିସ୍ତୃତ ଧାନ,ମକା ଓ ଆଖୁ ଖେତ ସବୁ ଯୋରରେ ପଛକୁ ଦୌଡୁଥାନ୍ତି, ଯଦିଓ କପାତୁଳା  ବହୁବର୍ଷ ଧରି ମିଶରର ମୂଖ୍ୟ ଫସଲ ଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ,ଲୋକମାନେ ସାଧାରଣତଃ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉପରେ ଧ୍ଯାନ ଦେଉଛନ୍ତି,ନୀଳନଦୀରୁ ଛୋଟଛୋଟ କେନାଲ ମାଧ୍ୟମରେ ପାଣି ଆଣି ସେଇ ପୂରାତନ ପଦ୍ଧତିରେ ଚାଷ ଅବଶ୍ୟ ଏବେ ସିଞ୍ଚନ ପ୍ରଣାଳୀରେ ଚାଷ କରିବାକୁ ଆଗ୍ରହୀ ହେଲେଣି।ସକାଳ ନଅଟାରେ ପହଞ୍ଚି ଯାଇଥିଲା ମୋର ଗନ୍ତବ୍ୟ ତଥା ଟ୍ରେନର ଶେଷ ଷ୍ଟେସନ “ଅଶଓ୍ବାନ୍”ରେ,ସ୍ଥାନୀୟ ଗାଇଡ ମହୋଦୟ ନାମ ଲେଖାଥିବା କାଗଜ ଖଣ୍ଡେ ଧରି ଅପେକ୍ଷା କରିଥିଲେ,ବିଳମ୍ବପାଇଁ କ୍ଷମା ମାଗି ଷ୍ଟେସନ ବାହାରକୁ ବାହାରିଲା ବେଳକୁ ଗରମର ମାତ୍ରା ବଢ଼ିଯାଇଥିଲା କିନ୍ତୁ ଅପେକ୍ଷାରତ ଟୟୋଟା ଭ୍ୟାନ୍ ଭିତରେ ପସିଯାଇ ମନ୍ଦାର ଫୁଲର ଥଣ୍ଡାପାନୀୟ ପିଇଲା ପରେ ଯାଇ ଶାନ୍ତି ଲାଗିଲା। ଅଶୱନ୍ ସହର ନୀଳନଦୀର ଉପରମୁଣ୍ଡରେ ରାଜଧାନୀ କାଇରୋ ସହରଠାରୁ ପାଖାପାଖି ୭୦୦ କିମି ଦୂର,ପଡୋଶୀ ଦେଶ ସୁଦାନ ସୀମାରେ ଏବଂ ମରୁଭୂମି ପରିବେଷ୍ଟିତ ହୋଇଥିବାରୁ ତାପମାତ୍ରା ଅନ୍ୟାନ୍ୟ ଅଞ୍ଚଳଠାରୁ ଅଧିକ।
ଗାଇଡ ମହାଶୟ ଅଶୱନ୍ ସହର ବିଷୟରେସମ୍ୟକସୂଚନା ଦେଉଦେଉ ଗାଡ଼ି ଅଟକିଲି ନଦୀ କୂଳରେ,ଓହ୍ଲାଇ ଆସି ଦେଖିଲାବେଳକୁ ଧାଡ଼ି କି ଧାଡ଼ି ଛୋଟଛୋଟ ଜାହାଜ ସବୁ ଭାସୁଥାନ୍ତି  ନୀଳନଦୀର ନୀଳ ଜଳରାଶୀ ଉପରେ,ଆଗକୁ ଚାରିଦିନ ଏମିତି ଏକ ପଞ୍ଚ ତାରକା ଜାହାଜ ଥିଲା ମୋର ସାଥି ଯାହାର ନାମ ଥିଲା ନାଇଲ୍ ଡଲଫିନ୍।
 ପ୍ରେମର ମନ୍ଦିର……
ଗରିବ ଯୁବକ ଜଣେ ଭଲପାଇ ବସିଲେ ସମ୍ଭ୍ରାନ୍ତ ପରିବାରର ଝିଅକୁ,ଅତ୍ୟନ୍ତ ସାହସୀ,ପରୋପକାରୀ ଓ ପଶୁପକ୍ଷୀଙ୍କୁ ଭଲ ପାଉଥିବା ଏ ଯୁବକଙ୍କ ପ୍ରେମ ନିବେଦନକୁ ମନା କରିପାରିନଥିଲେ ସେ ଝିଅ ଜଣକ କିନ୍ତୁ ପିତାଙ୍କ ଅନୁମତି ଦରକାର ବିବାହ ପାଇଁ,ଯୁବକ ଜଣକ ଯେବେ ବିବାହ ପ୍ରସ୍ତାବ ନେଇ ଯାଆନ୍ତି କନ୍ୟା ପିତାଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୁଅନ୍ତି ନିଜର ଗରିବ ପୃଷ୍ଟଭୂମି ପାଇଁ,କ୍ରୋଧ ଜର୍ଜରିତ କନ୍ୟାପିତା ନିଅନ୍ତି କଠୋର ପଦକ୍ଷେପ,ଝିଅକୁ ନେଇ ଲୁଚାଇ ଦିଅନ୍ତି ହ୍ରଦ ମଧ୍ୟରେ ଥିବା ଏକ ଅଜଣା ଦ୍ବୀପରେ,ଖୋଜି ପାଉନଥିବା ଯୁବକ ଯେବେ ହ୍ରଦ କୁଳରେ ବସି କାନ୍ଦନ୍ତି ପାଣି ଭିତରୁ କୁମ୍ଭୀରଟିଏ ବାହାରି ସହାୟତା ପାଇଁ ବଚନ ଦିଏ ଏବଂ ନିଜ ପିଠିରେ ବସାଇ  ପହଞ୍ଚାଏ ସେ ଦ୍ବୀପରେ,କନ୍ୟାପିତାଙ୍କ ହୃଦୟ ପରିବର୍ତ୍ତନ ହୁଏ ଏମିତି ଅନାବିଳ ପ୍ରେମ ଦେଖି,ତତ୍କ୍ଷଣାତ୍ ରାଜି ହୁଅନ୍ତି ବିବାହ ପ୍ରସ୍ତାବରେ,ସେବେଠୁ ସେଇ ମନ୍ଦିରର ନାମ ଫିଲେ( ଗ୍ରୀକ ଭାଷାରେ ଫିଲେ ଅର୍ଥ ପ୍ରେମ)
ମଧ୍ୟାହ୍ନ ଭୋଜନ ପରେ କିଛିସମୟ ବିଶ୍ରାମ ନେଇ  ମଟର ଚାଳିତ ଛୋଟ ନୌକାରେ ବାହାରିଲି  ଏଇ ଦ୍ବୀପରେ ଥିବା ମନ୍ଦିରକୁ,ବାରମ୍ବାର ବନ୍ୟାରେ ମନ୍ଦିର ବୁଡ଼ି ଯାଉଥିବାରୁ,୧୯୭୦ ମସିହାରେ ମିଳିତ ଜାତିସଂଘ ସାଂସ୍କୃତିକ ପରିଷଦ ଦ୍ବାରା ଉଦ୍ଧାର କରାଯାଇ ନିକଟସ୍ଥ ଆଜିଲିକା ଦ୍ବୀପରେ ପୁନଃ ପ୍ରତିଷ୍ଠା କରାଯାଇଥିଲା Isis ଦେବୀଙ୍କ ଏ ମନ୍ଦିର,ସମଗ୍ର ମିଶରରେ ଏଇ ଦେବୀଙ୍କୁ ପ୍ରେମ ଓ ହର୍ଷ ଉଲ୍ଲାସର ଦେବୀ ବୋଲି ମାନନ୍ତି।ଅନେକ ଲୋକ କାହାଣୀସବୁ ପ୍ରଚଳିତ ଏ ବିଷୟରେ।
ମନ୍ଦିରରୁ ଫେରିବା ବେଳକୁ ସୂର୍ଯ୍ୟ ଅସ୍ତ ହେବା ସମୟ ହୋଇଯାଇଥିଲା,ଗାଇଡ଼ ମହାଶୟ ପ୍ରସ୍ତାବ ଦେଲେ ପାଲଟଣା ନୌକାରେ ବୁଲି ନୀଳନଦୀରେ ସୂର୍ୟ୍ଯାସ୍ତ ଦେଖିବାକୁ ଓ ନଦୀ ମଝିରେ ଥିବା ବଗିଚା ବୁଲିବାକୁ,ବିନା ଦ୍ବିଧାରେ ରାଜି ହୋଇଗଲି କାରଣ ଏମିତି ସୁଯୋଗ ହାତଛଡା କରିବାକୁ ଚାହୁଁ ନଥିଲି।
ଯା ରେ ଭାସି ଭାସି ଯା
ନଉକା ମୋର ଭାସି ଯା
ନୀଳନଦୀର ନୀଲ ଢେଉରେ
ନାଚି ନାଚି ତୁ ଭାସିଯା…ଖୋକାଭାଇଙ୍କ ଗୀତରେ ମିଶରିୟ ଛୁଙ୍କ ଦେଇ ଗୁଣୁଗୁଣୁ କରି ଗୀତକୁ ଗାଇ ଚାଲିଥାଏ,ନୌକା ଆମର ପହଞ୍ଚିଗଲା ଯାଇ ବଗିଚା ପାଖରେ, ଏସିଆ ମହାଦେଶରୁ ଅଣାଯାଇଥିବା ବିଭିନ୍ନ ଫୁଲ,ଫଳ ଓ ଗୁଲ୍ମ ସବୁରେ ସୁସଜ୍ଜିତ ଥିଲା ଏ ଉଦ୍ଭିଦ ଉଦ୍ୟାନ,ଏଠାକୁ  ଆସିବା ପଛରେ ଆଉ ଏକ କାରଣ ଥିଲା ଏଠାରେ ମିଳୁଥିବା ପାପିରସ୍ ଗଛ,ଯେଉଁ ଗଛର ନଡାରୁ ପ୍ରସ୍ତୁତ ହୁଏ କାଗଜ,ପ୍ରାଚୀନ ମିଶରବାସୀ ବିଭିନ୍ନ ଚିତ୍ର ଓ କାହାଣୀ ଏଇଥିରେ ହିଁ ଲେଖିଥିବାର ପ୍ରମାଣ ମିଳେ। ଏବେର ପେପର ଶବ୍ଦର ଉତ୍ପତ୍ତି ଏଇ ପାପିରସ୍ ରୁ ହିଁ।
 ନୋବା ବା ନୁବିଆ ଜନଜାତିଙ୍କ ଗାଁ….
ସଞ୍ଜ ଗଡ଼ି ଆସିବା ପରେ ନଦୀ ମଝିରେ ଥିବା ଏକ ଦ୍ବୀପରେ ଚା’ ପିଇବା ପାଇଁ ଜଣେ ନୂବିଆ ଜନଜାତିର ପରିବାର ନିମନ୍ତ୍ରଣ ରକ୍ଷାକରି ତାଙ୍କ ଘରକୁ ଯାଇଥିଲି।
ସାଧାରଣତଃ ନୂବିଆ ଜନଜାତିର ଲୋକ ମାନେ ଆଫ୍ରିକାର ଅତି ପୁରାତନ ବାସିନ୍ଦା ମାନଙ୍କ ମଧ୍ୟରୁ ଅନ୍ୟତମ,ଘୋଡ଼ା ଚାଳନା ଓ ତୀର ଚାଳନାରେ ଦକ୍ଷ ଏହି ଜନଜାତିର ଲୋକମାନେ ଦକ୍ଷିଣ ମିଶର ଏବଂ ସୁଦାନ ଦେଶରେ ବସବାସ କରୁଥିଲେ, ଅଶୱନ୍ ଉଚ୍ଚ ବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ନୀଳନଦୀ ମଧ୍ୟରେ ଥିବା ଏଲିଫାଣ୍ଟାଇନ୍ ଦ୍ବୀପରେ ନିଜର ନୂତନ ବାସସ୍ଥାନ ନିର୍ମାଣ କରିଛନ୍ତି। କୁମ୍ଭୀରଙ୍କୁ ଶୁଭ ମାନୁଥିବା ନୁବିଆ ମାନଙ୍କ ଘରର ଦୂଆର ମୁହଁରେ ମୃତ କୁମ୍ଭୀରର ଶରୀର ଟଙ୍ଗା ହୋଇଥାଏ,ଏବଂ ଘର ଭିତରେ ପ୍ରାୟତଃ ଛୋଟଛୋଟ ଜୀବନ୍ତ କୁମ୍ଭୀର ପାଳନ କରିଥାନ୍ତି,ଚା’ ପିଇବା ସହ କୁମ୍ଭୀର ହାତରେ ଧରି ସାହାସର ସହ ଫଟୋ ଉଠାଇବାର ସୁଯୋଗ ମଧ୍ୟ ନେଇଥିଲି।
ବିଭିନ୍ନ ମସଲା ଓ ପାରମ୍ପାରିକ ଲୁଗାପଟାର ଛୋଟ ବଜାର ମଧ୍ୟ ବେଶ୍ ଆକର୍ଷଣୀୟ,ବଜାର ପାରି ହେଲା ପରେ ସରକାରଙ୍କ ଦ୍ବାରା ନିର୍ମିତ ଏକ ସ୍କୁଲ ଘରେ ସ୍ଥାନୀୟ ଶିକ୍ଷକଙ୍କ ସହ ମିଶିବାର ସୌଭାଗ୍ୟ ମିଳିଥିଲା,ଯେହେତୁ ନୁବିଆନ୍ ଏକ କଥିତ ଭାଷା,କିଛି ନୁବିଆ ଶବ୍ଦ ଶିଖିବା ଭାରି କଷ୍ଟକର ବୋଧ ହେଉଥିଲା କିନ୍ତୁ ଶିକ୍ଷକଙ୍କ ସହାୟତାରେ ଅଳ୍ପ କିଛି ବାକ୍ୟ ଗଠନ କରି ପାରିଥିଲି।
ଆବୁ ସିମ୍ବଲ…ବିଶ୍ବ ଐତିହ୍ୟ ସ୍ଥଳୀ…
ପ୍ରାୟ ୩୩୦୦ ବର୍ଷ ତଳେ ଫାରୋ ରାମସିସ୍ ଦ୍ୱିତୀୟ ତାଙ୍କ ଅତି ପ୍ରିୟ ରାଣୀ ନେଫ୍ରିତିରିଙ୍କ ପାଇଁ ତିଆରି କରିଥିଲେ  ଆବୁ ସିମ୍ବଲ ମନ୍ଦିର,ଦୀର୍ଘ କୋଡ଼ିଏ ବର୍ଷ ଲାଗିଥିଲା ସଂପୂର୍ଣ୍ଣ ହୋବାକୁ ଏହି ବିଶାଳକାୟ ମନ୍ଦିର ଯାହାକି ଏବେ ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ। ୨୦୦ ବର୍ଷ ତଳେ ଯେତେବେଳେ ଏହା ଆବିଷ୍କୃତ ହେଲା ସେତେବେଳେ  ୧୮ ମିଟର ଉଚ୍ଚ ମନ୍ଦିରର ଅଧିକାଂଶ ଅଂଶ ବାଲିରେ ପୋତି ହୋଇ ରହିଥିଲା, ୧୯୬୮ ମସିହାରେ ଅଶୱନ ବନ୍ଧ ନିର୍ମାଣ ସମୟରେ ପାଣି ଘେରରେ ଆସୁଥିବାରୁ ମନ୍ଦିରକୁ ସଂପୂର୍ଣ୍ଣ ଭାବରେ ଅନ୍ୟ ଏକ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଗଲା । ଅଶୱନ୍ ସହରଠାରୁ ୩୦୦ କିମି ଦୂର ନାସୀର ହ୍ରଦ କୂଳରେ ଅବସ୍ଥିତ ଏହି ମନ୍ଦିରର ସ୍ଥାପତ୍ୟ ବିସ୍ମୟକର।ତତ୍କାଳୀନ ମିଶରିୟ ସ୍ଥପତିମାନେ ପଥର ଦେହରେ ଅତି ସୁନ୍ଦର କାରୁକାର୍ଯ୍ୟ କରିଥିଲେ ଯାହା ସ୍ବଚକ୍ଷୁରେ ଦେଖିଲେ ହିଁ ବିଶ୍ୱାସ କରିହେବ।
ଆବୁ ସିମ୍ବଲ ପରିସରରେ ପ୍ରକୃତରେ ଦୁଇଟି ମନ୍ଦିର, ବିଶାଳକାୟ ମନ୍ଦିରଟି ଆମୁନ୍,ରାମସିସ୍,ରା-ହୋରକ୍ଥୀ ଏବଂ ପିତହଃ ଏଇ ଚାରିଜଣଙ୍କୁ ସମର୍ପିତ, ପ୍ରତିବର୍ଷ ଫେବୃଆରୀ ଏବଂ ଅକ୍ଟୋବର ମାସ ୨୨ ତାରିଖରେ ସୂର୍ଯ୍ୟ କିରଣ ମନ୍ଦିର ଭିତରେ ପ୍ରବେଶ କରି ତିନିଜଣଙ୍କ ଉପରେ ପଡିଥାଏ କିନ୍ତୁ ଯେହେତୁ ପିତହଃଙ୍କୁ ପ୍ରାଚୀନ ମିଶରିୟ ମାନେ ଅନ୍ଧକାରର ଦେବତା ମାନୁଥିଲେ ତାଙ୍କ ଉପରେ ସୂର୍ଯ୍ୟ କିରଣ ପଡିନଥାଏ,ତେଣୁ ଏହି ଦୃଶ୍ୟ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ।
ଫେରିବା ସମୟରେ ରାସ୍ତା ପାର୍ଶ୍ଵରେ ଥିବା ଢାବାରେ ମିଶରିୟ ଚାହା ପିଇବାର ସୁଯୋଗ ମିଳିଥିଲା,ସାଧାରଣତଃ ଏଠାକାର ଲୋକମାନଙ୍କୁ ଭାରତୀୟ ଚାହା ଭାରି ପସନ୍ଦ,ଏକଥା ଢାବା ମାଲିକ ମଧ୍ୟ କଥାବାର୍ତ୍ତା ମଝିରେ ସ୍ବୀକାର କରିଥିଲେ,ଆମ ପ୍ରଭୁ ଶ୍ରୀଜଗନ୍ନାଥ ପାଖରେ ଲାଗୁଥିବା ଦୟଣା ତୁଳସୀର କିଛି ଗଛ ମଧ୍ୟ ଦେଖିବାକୁ ପାଇଲି ସେହି ଢାବାରେ। ମଧ୍ୟାହ୍ନ ୩ ଟାରେ ଯେହେତୁ ଆମ ଜାହାଜ ଛାଡିବାର ସମୟ ଥିଲା ତଥାପି କିଛି ସମୟ ବାହାର କରି  ନୀଳନଦୀରେ ଋଷିଆ ସହାୟତାରେ ନିର୍ମିତ ଅଶୱନ୍ ଉଚ୍ଚ ବନ୍ଧରେ କିଛି ସମୟ ଅତିବାହିତ କରି ପୁଣିଥରେ ସେଇ ମରୁଭୂମି ରାସ୍ତାରେ ଫେରିଥିଲୁ ଅଶୱନ୍ ସହରକୁ, ଗୋଟିଏ ପାର୍ଶ୍ଵରେ ରହି ଯାଇଥିଲା ସୁଦାନ ଦେଶର ସୀମା ଓ ଅନ୍ୟ ପାଖରେ ନାସୀର ହ୍ରଦ।
ଜାହାଜର କର୍ମଚାରୀ  ଅପେକ୍ଷା କରିଥିଲେ ମୋ ଫେରିବା ବାଟକୁ,ଯେମିତି ଜାହାଜରେ ପାଦ ଦେଇଛି ଳଙ୍ଗର ଉଠିଲା,ଏବଂ ନୀଳନଦୀର ଅତାଳ ଜଳରାଶିରେ ମାଡି ଚାଲିଲା  ଉପରମୁଣ୍ଡ ଆଡ଼କୁ।  ଜାହାଜରେ ଥିବା ଭୋଜନାଳୟଟି ସଭା ତଳ ସ୍ତରରେ ଥିବାରୁ ମଧ୍ୟାହ୍ନ ଭୋଜନ ସମୟରେ ଢେଉ ମାନଙ୍କ ଛିଟା ସବୁ କାଚର ଝରକା ଉପରେ ପଡିବାର ଦୃଶ୍ୟ ଅନନ୍ୟ ଥିଲା।
ପିଆଜ ମିଶରର ଆଉ ଏକ ମୂଖ୍ୟ ଫସଲ,ଆଉ ମୋ ମଧ୍ୟାହ୍ନ ଭୋଜନରେ ପିଆଜସୁପ୍,ଭାରତୀୟ ଶୈଳୀରେ ଆଳୁ ମଟର ତରକାରୀ ,ଭାତ,ବିନ୍ସ ଭଜା ଇତ୍ୟାଦି ଖାଇବା ସଂପୂର୍ଣ୍ଣ ଘରୋଇ ପରିବେଶ ଭଳି ଅନୁଭବ ହୋଇଥିଲା।
ଦୁଇ ମନ୍ଦିର…
ଜାହାଜ ଛାଡ଼ିବାର ପ୍ରାୟ ଘଣ୍ଟାଏ ପରେ ଆମେ ପହଞ୍ଚିଲୁ ଅଶୱନ୍  ସହରଠାରୁ  ୪୫ କିମି ଦୂରରେ ଅବସ୍ଥିତ କୋମ୍ଓମ୍ବୋ ସହରରେ,ଠିକ୍ ଜାହାଜ ଲଙ୍ଗର ପକାଇବା ସ୍ଥାନରୁ ଦେଖା ଯାଉଥିଲା କୁମ୍ଭୀର ଓ ଛଞ୍ଚାଣ ମୁହଁ କିନ୍ତୁ ମଣିଷ ଶରୀର ଧାରି ଦେବତା ସବେକ୍ ଏବଂ ହରୋସ୍ ଙ୍କ ଅପୂର୍ବ ମନ୍ଦିର, ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣରେ ସୁବର୍ଣ୍ଣ ରଙ୍ଗର ଦୃଶ୍ୟମାନ ହେଉଥିଲା ଏହି ମନ୍ଦିର ,ପ୍ରାଚୀନ କାଳରେ ସୁନା ଖଣି ଏହି ସହର ଆଖପାଖରେ ଥିବାରୁ ସୁବର୍ଣ୍ଣ ସହର ନାମରେ ପରିଚିତ ଥିଲା ।
  ଇମୋନଟପ୍  ଅସ୍ତ୍ରୋପଚାରର ଦେବତା ବୋଲି ମିଶରିୟଙ୍କ ବିଶ୍ୱାସ,ତେଣୁ ମନ୍ଦିର କାନ୍ଥରେ ବିଭିନ୍ନ ଡାକ୍ତରି ସରଞ୍ଜାମ ସହ ପ୍ରସବ ପ୍ରଣାଳୀର ଚିତ୍ର ଅତି ସୁନ୍ଦର ଭାବରେ ଖୋଦେଇ ହୋଇଛି।
କୁମ୍ଭୀର ସହ ମଣିଷର ସମୟ ସମୟରେ conflicts ପାଇଁ ମନ୍ଦିରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଏହି ବିଭାଜନର ଚିତ୍ର ମଧ୍ୟ କାନ୍ଥରେ ଅଙ୍କିତ, ଲୋକ କାହାଣୀ ଅନୁସାରେ ଦେବତା ସବେକ୍, ହରୋସଙ୍କ ଲୋକପ୍ରିୟତାରେ ଇର୍ଷାପରାୟଣ ହୋଇ ତାଙ୍କୁ ମନ୍ଦିରରୁ ବାହାର କରିଦେଲେ,ଚତୁର ହରୋସ୍ ନିଜ ସହିତ ସହରର ସମସ୍ତ କୃଷକମାନଙ୍କୁ ନେଇ ଚାଲିଗଲେ, କୃଷି କାର୍ଯ୍ୟ ବନ୍ଦ ହେବାରୁ ମରୁଡ଼ି ପଡି କିଛି ବର୍ଷ ମଧ୍ୟରେ ସେ ଅଞ୍ଚଳ ମରୁଭୂମିରେ ପରିଣତ ହୁଏ,ଖାଦ୍ୟାଭାବରେ ଅତିଷ୍ଠ ଲୋକମାନେ ନ୍ୟାୟର ଦେବୀ ମାତ୍ ଙ୍କ ପାଖରେ ଅଭିଯୋଗ କରନ୍ତି, ଫଳରେ ମନ୍ଦିର ସମାନ ଭାଗରେ ବିଭାଜିତ ହୁଏ ଏବଂ ପୁଣିଥରେ ମନ୍ଦିରକୁ ଫେରିଆସନ୍ତି ଦେବତା ହରୋସ୍।
ମନ୍ଦିର ପରିସର ମଧ୍ୟରେ ଏକ କୂଅ ଅଛି ଯାହାକୁ “ନାଇଲୋମିଟର” କୁହାଯାଏ,ଫସଲ ଅମଳ ସମୟରେ ଫାରୋମାନେ ଟିକସ ଧାର୍ଯ୍ୟ କରିବା ପାଇଁ ଏହାର ସହାୟତା ନେଉଥିଲେ, କୂଅର ପାଣି ଯେତେ ଉପରକୁ ଟିକସ ପରିମାଣ ସେତେ ଅଧିକ,ଅତି ସରଳ ହିସାବ….
Offering ପାଇଁ ମନ୍ଦିର ମଧ୍ୟରେ ଏକ ଆସ୍ଥାନ ଅଛି ଯାହା ତଳେ ଗମ୍ଭୀରାଘର ପରି ଏକ ଛୋଟ ଗୁମ୍ଫା,ଗାଇଡ଼ଙ୍କ କହିବା ଅନୁଯାୟୀ ପୂଜାରୀ ଜଣେ ସେଭିତରେ ଲୁଚିରହି offering ପାଇଁ ଲୋକଙ୍କୁ କହୁଥିଲେ ଏବଂ ସମସ୍ତଙ୍କୁ ଲାଗୁଥିଲା ଯେମିତି ଦେବତା କଥା ହେଉଛନ୍ତି,ସେ ସମୟରେ ବି ଭଗବାନଙ୍କ ନାମରେ ଏପ୍ରକାର କାର୍ଯ୍ୟ ହେଉଥିଲା ତାହା ବିଶ୍ୱାସଯୋଗ୍ୟ ହେଉନାହିଁ।
  ଅର୍ଧ ଭଗ୍ନ ପ୍ରାୟ ବିରାଟକାୟ ପଥର ଖମ୍ବ ସବୁରେ ବିଭିନ୍ନ ସମୟର ଫାରୋ ମାନଙ୍କ କାହାଣୀସବୁ ଖୋଦିତ ହୋଇ ମନ୍ଦିର ଶୋଭା ବୃଦ୍ଧି କରୁଛି,
  ପାଖାପାଖି ୩୦୦ ମମିଫାଏଡ଼ କୁମ୍ଭୀର ଖୋଦନ ସମୟରେ  ଏହି ସ୍ଥାନରେ ମିଳିଥିଲା ତେଣୁ ମନ୍ଦିର ପରିସରକୁ ଲାଗି ଏକ କୁମ୍ଭୀର ସଂଗ୍ରାହାଳୟ ରହିଛି ଯେଉଁଠି ଅନେକ ଛୋଟ ବଡ଼ କୁମ୍ଭୀରଙ୍କୁ ସ୍ଥାନ ଦିଆଯାଇଛି।
(Falcon) ଗରୁଡ଼ ଦେବତାଙ୍କ ମନ୍ଦିର……..
  ରାତି ୯ଟା ସମୟରେ ଜାହାଜ ଯାଇ ପହଞ୍ଚିଲା ଏଡୁଫୁ ସହରରେ,ରାତ୍ରି ଭୋଜନ ପରେ ପାରମ୍ପାରିକ ମିଶରିୟ ନୃତ୍ୟଗୀତର ଆୟୋଜନ ଜାହାଜ ମଧ୍ୟରେ କରାଯାଇଥିଲା, ସକାଳ ଛଅଟାରେ ଘୋଡ଼ାଗାଡ଼ି ନେଇ ବାହାରିଲୁ ୨୨୦୦ ବର୍ଷ ଧରି ଅକ୍ଷୁର୍ଣ୍ଣ ଥିବା ଏଡୁଫୁ ମନ୍ଦିରକୁ, ସବୁଠାରୁ ମଜାଦାର କଥା ହେଲା ମନ୍ଦିର ଯିବାପାଇଁ ଘୋଡ଼ାଗାଡ଼ି ହିଁ ଏକମାତ୍ର ପନ୍ଥା,କୌଣସି ମଟର ଚାଳିତ ଯାନବାହନ ଅନୁମତି ନାହିଁ, ପ୍ରଦୂଷଣମୁକ୍ତ ଓ ପୂରାତନ ଯୁଗର ଗମନାଗମନର ଅନୁଭୂତି ଅତି ସୁନ୍ଦର ଥିଲା।
  ଏଡୁଫୁ ମନ୍ଦିର ହରୋସ୍ ଦେବତାଙ୍କୁ ଉତ୍ସର୍ଗୀକୃତ,ଯାହାଙ୍କ ଶରୀର ମଣିଷ ଓ ମସ୍ତିଷ୍କ ଚିଲର,ମିଶରିୟ ମାନେ ତାଙ୍କୁ ସୁରକ୍ଷାର ଦେବତା ଭାବେ ବିଶ୍ୱାସ କରନ୍ତି,ଏହି ମନ୍ଦିରର ଉତ୍ତରରେ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଦେନ୍ଦେରା ସହର, ହରୋସ୍ ଙ୍କ ପତ୍ନୀ ଦେବୀ ହାଥୋରଙ୍କ ମନ୍ଦିର ସେଇ ସହରରେ,ବର୍ଷରେ ଥରେ ବନ୍ୟା ସମୟରେ ଦେବୀ ଦକ୍ଷିଣମୁହାଁ ନିଜ ସ୍ବାମୀଙ୍କ ଘରକୁ ଆସିଥାନ୍ତି,ତେଣୁ ପ୍ରତିବର୍ଷ ଏହି ଦିନକୁ  ପବିତ୍ର ବିବାହ ଉତ୍ସବ ଭାବେ ଖୁବ୍ ଜାକଜମକରେ ପାଳିତ ହୋଇଥାଏ।
   ଗାଈ ପରି ବଡ଼ କାନ ଓ ଶିଙ୍ଗ କିନ୍ତୁ ମଣିଷ ଶରୀର ଧାରୀ ଦେବୀ ହାଥୋରଙ୍କୁ ମିଶରିୟ ମାନେ ସଙ୍ଗୀତ ଓ ସୁଖ ସମୃଦ୍ଧିର ଦେବୀ ବୋଲି ବହୁ ଶ୍ରଦ୍ଧାର ସହ ବିଶ୍ୱାସ କରନ୍ତି।
  ମାଟି କାଦୁଅରେ ଇଟା ତିଆରି କରିବାର କଳା ପ୍ରାଚୀନ ମିଶରିୟ  ମାନଙ୍କ ଦ୍ବାରା ବିକଶିତ ବୋଲି ଶୁଣିବାକୁ ମିଳିଥାଏ,ଏବେବି ମନ୍ଦିର ପରିସରରେ ଇଟାସବୁର ଭଗ୍ନାବଶେଷ ଏକ ବିରାଟ ପ୍ରାଚୀର ଭାବରେ ବିରାଜମାନ,ମନ୍ଦିର ମଧ୍ୟରେ ପ୍ରଶସ୍ତ ଅଗଣା,ବିଭିନ୍ନ offerings କୁ ସଂରକ୍ଷିତ କରିବାପାଇଁ ଛୋଟ ଛୋଟ ଘର ଏବଂ ବିରାଟକାୟ ଖମ୍ବସବୁ, ମୂଖ୍ୟ ମନ୍ଦିରର ଉଚ୍ଚତା ପାଖାପାଖି ୩୫ ମିଟର,ମନ୍ଦିର କାନ୍ଥରେ ବିଭିନ୍ନ ସମୟର ଫାରୋଙ୍କ ବିଜୟଗାଥା ଏବଂ କାଳକ୍ରମେ ଖ୍ରୀଷ୍ଟଧର୍ମ ଓ ଇସଲାମ ଧର୍ମର ବିଭିନ୍ନ ଚିତ୍ର ସବୁ ଖୋଦେଇ ହୋଇଥିଲା।ଏମିତି ଏକ କାନ୍ଥରେ ମହାତ୍ମାଗାନ୍ଧୀଙ୍କର ସେ ତିନି ମାଙ୍କଡ଼ଙ୍କ ଚିତ୍ର ବି ହୋଇଥିବା କଥା ଗାଇଡ଼ ବର୍ଣ୍ଣନା କରିଥିଲେ,ଅବଶ୍ୟ କାଳକ୍ରମେ ତାହା କାନ୍ଥରୁ ଲିଭି ଗଲାଣି।
  ଲୋକ କାହାଣୀ ଅନୁସାରେ ଅରାଜକତାର ଦେବତା ସେଥ୍ ବା ସ୍ଥ ନିଜ ଭାଇ ତଥା ଦେବତା ଓଜାରିସ୍ ଙ୍କୁ ଶତୃ ବିବେଚନା କରି ଯୁଦ୍ଧରେ ପରାସ୍ତ କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପୋତି ଦେଇଥିଲେ, ଦେବତା ଓଜାରିସ୍ ଙ୍କ ସ୍ତ୍ରୀ ଦେବୀ Isis ଙ୍କୁ ଯେତେବେଳେ ଏ ସମ୍ବାଦ ମିଳେ, ନିଜ ସ୍ବାମୀଙ୍କ ଶରୀରର ଏମିତି ୧୪ ଖଣ୍ଡ ଅଂଶକୁ ଯୋଡ଼ି ପୁନଃ ଜୀବନ ଦିଅନ୍ତି, ଏବଂ ନିଜ ବଂଶ ବଞ୍ଚାଇବା ପାଇଁ ଜନ୍ମ ଦିଅନ୍ତି ପୁତ୍ର ଦେବତା ହରୋସ୍ ଙ୍କୁ।  ମିଶରୟଙ୍କ ବିଶ୍ୱାସ ପୁନର୍ଜନ୍ମର ଦେବତା ଓଜାରିସ୍ ଙ୍କ ଶରୀର ଏବେବି ଏଇ ଏଡୁଫୁ ମନ୍ଦିରରେ ସମାଧିସ୍ଥ।
  ଏସ୍ନା ସହର ଓ ବନ୍ଧ…
  ଏଡୁଫୁ ସହରରୁ ପାଖାପାଖି ଦେଢ ଘଣ୍ଟା ପରେ ଆସେ ଏସ୍ନା ସହର, ନୀଳନଦୀରେ ଜାହାଜ ଚଳାଚଳର ସୁବିଧା ପାଇଁ ଇଂରେଜ   ମାନେ ୧୯୦୬ ମସିହାରେ ନିର୍ମାଣ କରିଥିଲେ ଏକ ବନ୍ଧ, ପ୍ରତିଟି ଜାହାଜ ଏଇ ବନ୍ଧର ଫାଟକ ଦେଇ ପାରି ହେଲାପରେ ହିଁ ଲକ୍ସର ସହରକୁ ଯାଇପାରିବେ। ଜାହାଜ ଲକ୍ ମଧ୍ୟରେ ପ୍ରବେଶ କଲାପରେ ସ୍ବୟଂଚାଳିତ ଫାଟକସବୁ ବନ୍ଦ ହୋଇଯାଏ,ଏବଂ ବଡ଼ ବଡ଼ ମଟର ସାହାଯ୍ୟରେ ଅଧିକ ପାଣିସବୁକୁ ବାହାର କରିଦିଆ ଯାଏ,ତଳ ସ୍ତରର ପାଣି ସହ ସମାନ ହେଲା ପରେ ଆଗ ଫାଟକ ଖୋଲିଲେ ପୁଣି ଜାହାଜ ଚାଲିବା ଆରମ୍ଭ ହୁଏ,ଏଇ ପାଣି ନିଷ୍କାସନ ସମୟ ପ୍ରାୟ ୫/୬ ମିନିଟର କିନ୍ତୁ ଗୋଟିଏ ପରେ ଗୋଟିଏ ଜାହାଜ ଧାଡ଼ି ବାନ୍ଧି ଯାଉଥିବାରୁ ଘଣ୍ଟା ଘଣ୍ଟା ସମୟ ବିତିଯାଏ,ତେଣୁ ମଧ୍ୟାହ୍ନ ଭୋଜନ ପରେ ଯାତ୍ରୀମାନେ ପ୍ରାୟତଃ ଜାହାଜ ଛାତ ଉପରେ ଛିଡ଼ା ହୋଇ ଏହି ଦୃଶ୍ୟର ମଜା ନିଅନ୍ତି,ତାସହ ଭାସମାନ ଛୋଟ ଛୋଟ ଡଙ୍ଗାରେ ମିଶରିୟ ଚାଦର ଓ ତଉଲିଆର ଭ୍ରାମ୍ୟମାଣ ବିକ୍ରେତା ମାନଙ୍କ ଠାରୁ କିଣାକିଣି ବି ହୁଏ। ଏହି ସମୟର ସୁଯୋଗ ନେଇ ମୁଁ ଜାହଜର ଇଞ୍ଜିନ ଘର ବୁଲାବୁଲି ଏବଂ ମୂଖ୍ୟ କ୍ୟାପଟେନଙ୍କୁ ଭେଟିଥିଲି।
   ପ୍ରାଚୀନ ମିଶରର ରାଜଧାନୀ…ଲକ୍ସର ସହର
  ନୀଳନଦୀ କୂଳରେ ଅବସ୍ଥିତ ଏଇ ସହରର, ନଦୀର ପୂର୍ବତଟରେ ବହୁ ପ୍ରାଚୀନ ମନ୍ଦିର ସବୁ  ଅଛି ସେ ମଧ୍ୟରୁ ଲକ୍ସର ମନ୍ଦିର ଓ କର୍ଣ୍ଣକ୍ ମନ୍ଦିର ଅନ୍ୟତମ,ଜାହାଜ ରହଣୀ ସ୍ଥାନର ଠିକ୍ ବିପରୀତ ପାର୍ଶ୍ଵରେ ଅବସ୍ଥିତ ଲକ୍ସର ମନ୍ଦିର,ପ୍ରାୟ ୩୪୦୦ ବର୍ଷ ତଳେ ରାମସିସ୍ ଦ୍ୱିତୀୟଙ୍କ ଦ୍ବାରା ନିର୍ମିତ ଏଇ ମନ୍ଦିର ବିଶେଷକରି କୌଣସି ଦେବତାଙ୍କୁ ଉତ୍ସର୍ଗ କରାଯାଇ ନାହିଁ, କିନ୍ତୁ ଯେହେତୁ ଲକ୍ସର ସହର ପ୍ରାଚୀନ ମିଶରର ରାଜଧାନୀ ଥିଲା ଏହି ମନ୍ଦିରରେ ବିଭିନ୍ନ ସମୟରେ ବିଭିନ୍ନ ରାଜାଙ୍କର ରାଜାଭିଷେକ ହୋଇଛି, କିଛି ଐତିହାସିକଙ୍କ ମତରେ ସିକନ୍ଦରଙ୍କ ରାଜାଭିଷେକ ମଧ୍ୟ ଏହି ମନ୍ଦିରରେ ହୋଇଛି। Temple of Authority ଭାବରେ ଜଣା ଏହି ମନ୍ଦିର ସହରର ମୂଖ୍ୟ ଦେବତା ଆମୁନ୍ ରା ବା ସୂର୍ଯ୍ୟ ଦେବତାଙ୍କ ରାଣୀ ଦେବୀ ମଟ୍ ଙ୍କ ବାସସ୍ଥାନ ଭାବେ ମଧ୍ୟ ଜଣା।
 ଓପେଟ୍ ପର୍ବ
  ପ୍ରାଚୀନ କାଳରେ ଥିବାନ୍ ତ୍ରିଦେବ ଆମୁନ୍ ରା,ମଟ୍ ଏବଂ ତାଙ୍କ ସନ୍ତାନ ଖୋନ୍ସୁ ଙ୍କୁ ବର୍ଷରେ ଥରେ ବିରାଟକାୟ ଶୋଭାଯାତ୍ରାରେ କର୍ଣ୍ଣକ ମନ୍ଦିରରୁ ଲକ୍ସର ମନ୍ଦିର ପର୍ଯ୍ୟନ୍ତ ଅଣାଯାଉଥିଲା। କିଛିଦିନ ଏହି ମନ୍ଦିରରେ ଅବସ୍ଥାନ ପରେ ପୁଣି ଡଙ୍ଗାରେ ଫେରି ଯାଉଥିଲେ କର୍ଣ୍ଣକ ମନ୍ଦିର, ଲକ୍ସର ମନ୍ଦିର ସାମନାରୁ କର୍ଣ୍ଣକ ମନ୍ଦିର ପର୍ଯ୍ୟନ୍ତ ପାଖାପାଖି ୪ କିମି ରାସ୍ତାର ଉଭୟ ପାର୍ଶ୍ଵରେ ସ୍ପିଙ୍କସ୍ ମୂର୍ତ୍ତିସବୁ ଧାଡ଼ି ହୋଇ ଥିବାର ଦେଖିବାକୁ ମିଳିଥାଏ,ଏପର୍ଯ୍ୟନ୍ତ ମଧ୍ୟ କିଛି ସ୍ଥାନରେ ଖୋଦନ କାମ ଜାରି ରହିଛି କାରଣ କାଳକ୍ରମେ ଏଇ ରାସ୍ତା ସ୍ଥାନୀୟ ଲୋକଙ୍କ ଦ୍ୱାରା ଅକ୍ତିଆର ହୋଇଥିଲା।
  ଥିବାନ୍ ଏକ ପର୍ବତ ଶୃଙ୍ଖଳ,ଯାହା ନଦୀର ପଶ୍ଚିମ ତଟରେ ଅବସ୍ଥିତ, ଯେମିତି ଆମ ପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଆମେ ତ୍ରିମୂର୍ତ୍ତି ଓ ନୀଳକନ୍ଦର ନିବାସୀ ଭାବରେ ସମ୍ବୋଧନ କରିଥାଉ ଏବଂ ପ୍ରତିବର୍ଷ ଆଷାଢ଼ ମାସରେ ରଥଯାତ୍ରାରେ ଶ୍ରୀମନ୍ଦିରରୁ ମାଉସୀମା ମନ୍ଦିରକୁ ଆସନ୍ତି, ଠିକ୍ ସେହିପରି ଏଇ ପୂରାତନ ଓପେଟ୍ ପର୍ବ ବନ୍ୟା ଋତୁର ଦ୍ୱିତୀୟ ମାସରେ ବହୁ ଆଡମ୍ବରରେ ପାଳିତ ହେଉଥିବା ବିଷୟରେ ବିଭିନ୍ନ ଲୋକ କାହାଣୀରୁ ଜାଣିବାକୁ ମିଳିଥାଏ।
  ଲକ୍ସର ମନ୍ଦିର ପରିସରରେ ପ୍ରାୟ ସବୁ ଧର୍ମର ପ୍ରଭାବ ଦେଖିବାକୁ ମିଳିଥାଏ,ପ୍ରାଚୀନ ମିଶରିୟ ଧର୍ମ,ପରେ ଖ୍ରୀଷ୍ଟ ଧର୍ମର ପ୍ରଭାବ ଏବେବି କାନ୍ଥର ଚିତ୍ରସବୁରୁ ଜଣାପଡେ ଏବଂ ଇସଲାମ ଧର୍ମର ମଧ୍ୟ, ପରିସରରେ ଏବେ ମଧ୍ୟ ଏକ ମସଜିଦ କାର୍ଯ୍ୟକ୍ଷମ ଅଛି।
  ବିଶାଳତମ କର୍ଣ୍ଣକ୍ ମନ୍ଦିର
   ଥିବାନ୍ ତ୍ରୀଦେବଙ୍କୁ ଉତ୍ସର୍ଗୀକୃତ ପୂର୍ବ ତଟର ଅନ୍ୟ ଏକ ପ୍ରମୁଖ ମନ୍ଦିର ହେଉଛି କର୍ଣ୍ଣକ୍, ପୁରୁଣା ସମୟରେ ନୀଳନଦୀ କୂଳରେ ଥିବା ଏହି ମନ୍ଦିର ମିଶରର ବୃହତ୍ତମ ମନ୍ଦିର। ଏବେ ନଦୀ ଅବଶ୍ୟ କିଛି ଦୂରକୁ ଘୁଞ୍ଚି ଯାଇଛି କିନ୍ତୁ ତାର ଅବସ୍ଥିତ ବିଷୟରେ ଏବେ ମଧ୍ୟ ମନ୍ଦିର ଆଗରେ ଥିବା ଧାରାରୁ ଜଣାପଡିଥାଏ। ୧୦ ରୁ ୨୦ ମିଟର ଉଚ୍ଚ ପାଖାପାଖି ୧୩୪ଟି ଖମ୍ବ ୧୬ ଧାଡ଼ିରେ  ଛିଡ଼ା ହୋଇ ମନ୍ଦିରର ଶୋଭା ବର୍ଧନ କରିଥାନ୍ତି,ପ୍ରତି ଖମ୍ବର ଉପର ଭାଗର ଡିଜାଇନ ସବୁ ପଦ୍ମ ଓ ପାପିରସ୍ ଫୁଲର ପାଖୁଡ଼ା ସଦୃଶ। ମନ୍ଦିର ମଧ୍ୟ ଭାଗରେ ବିଶାଳ ଜଳାଶୟ,ପ୍ରାଚୀନ ସମୟରେ ଶୁଦ୍ଧ ହେବାପାଇଁ ଏହାର ବ୍ୟବହାର  କରାଯାଉଥିବା କଥା ଲୋକ କାହାଣୀରୁ ଜଣା ପଡେ। ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଜଳାଶୟ ସନ୍ନିକଟରେ ଥିବା ପବିତ୍ର ପଥର,ଯାହା ଚତୁର୍ପାଶ୍ବରେ ପ୍ରଦକ୍ଷିଣ କଲେ ସୌଭାଗ୍ୟ ମିଳେ ବୋଲି ଲୋକଙ୍କ ବିଶ୍ୱାସ, ସ୍ବାଭାବିକ ଭାବରେ ମନ୍ଦିର ମଧ୍ୟରେ ଏହି ସ୍ଥାନରେ ଭିଡ଼ ମଧ୍ୟ ସବୁଠାରୁ ବେଶି ଥିଲା।
  ବିଭିନ୍ନ ସମୟର ପାଖାପାଖି ତିରିଶ ଜଣ ଫାରୋଙ୍କ ଦ୍ବାରା ନିର୍ମିତ ଏହି ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି ବିଶାଳ Obelisk ସବୁ, ଏକକ ପଥରରୁ ନିର୍ମିତ ଏଇ obelisk ସବୁ ପ୍ରାଚୀନ ମିଶରର ସ୍ଥାପତ୍ୟ କଳାର ଚରମ ନିଦର୍ଶନ, ଲକ୍ସର ଓ କର୍ଣ୍ଣକ ମନ୍ଦିର ଏବଂ ମିଶରର ଅନ୍ୟାନ୍ୟ ସ୍ଥାନକୁ ଛାଡି ଏବେ ଏହି obelisk ଗ୍ରୀସ,ଫ୍ରାନ୍ସ ଏବଂ ରୋମ୍ ରେ ଦେଖିବାକୁ ମିଳିଥାଏ।
  ସଂଧ୍ୟା ସମୟରେ ମିଶରିୟ ସ୍ଥାପତ୍ୟ ଓ ବିରତ୍ବର କାହାଣୀ ଶବ୍ଦ ଓ ଆଲୁଅ ମାଧ୍ୟମରେ ମନ୍ଦିରର ବିଶାଳ କାନ୍ଥରେ ପ୍ରଦର୍ଶିତ  ହୋଇଥାଏ।
   ପଶ୍ଚିମ ତଟର ରାଜା ଓ ରାଣୀଙ୍କ ଉପତ୍ୟକା…
  ନୀଳନଦୀ ଅବବାହିକାରେ ଶେଷ ଦିନରେ ଗାଇଡ଼ ପ୍ରସ୍ତାବ ଦେଲେ Hot air balloon ରେ ଉଡ଼ି ଉପତ୍ୟକାର ସୁନ୍ଦରତା ଉପଭୋଗ କରିବା ପାଇଁ କିନ୍ତୁ ମୁଁ ରାଜି ନହେବା ପଛରେ ଦୁଇଟି କାରଣ ଥିଲା,ପ୍ରଥମଟି ବଡି ଭୋରରୁ ଉଠିବାକୁ ପଡିବ ଓ ଦ୍ୱିତୀୟ ହେଉଛି ନଦୀର ପଶ୍ଚିମ ତଟରେ ଥିବା ଅତି ଆକର୍ଷଣୀୟ ସ୍ଥାନ ସବୁ ଦେଖି ହେବନାହିଁ।ଶେଷରେ ଜଳଖିଆ ସାରି ବାହାରିଲୁ ନଦୀର ପଶ୍ଚିମ ତଟକୁ। ସବୁଜିମାରେ ଭରପୁର ରାସ୍ତା ସବୁ ଦେଖିଲେ ମନେ ହେଉଥିଲା ଆମ ଓଡ଼ିଶାର କୌଣସି ଗ୍ରାମାଞ୍ଚଳର ରାସ୍ତା କିନ୍ତୁ କିଛି କିଲୋମିଟର ଯିବା ପରେ ଥିଲା ପଥୁରିଆ ରାସ୍ତା, କାରଣ ଆମେ ଯାଉଥିଲୁ ଥିବାନ୍ ପର୍ବତ ପାଦଦେଶରେ ଥିବା ତିନିତଳ ବିଶିଷ୍ଟ ବିଶାଳ Hatshepsut ମନ୍ଦିର। ରାସ୍ତାରେ ଯିବା ସମୟରେ ଫାରୋ ଆମେନଟପ୍ ତୃତୀୟଙ୍କ ୬୦ ଫୁଟ ଉଚ୍ଚର ଦୁଇ ବିଶାଳ ମୂର୍ତ୍ତି ଦୀର୍ଘ ୩୪୦୦ ବର୍ଷ ଧରି ପୂର୍ବ ତଟକୁ ମୁହଁ କରି ଛିଡ଼ା ହୋଇଥିବାର ଦୃଶ୍ୟ ଦେଖି ପ୍ରାଚୀନ ମିଶରିୟ ମାନଙ୍କ କଳା ଭାସ୍କର୍ଯ୍ୟର ନିପୁଣତାରେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲି।
  ପଥର ଖୋଦେଇ ଉପରେ ମୋର ଆଗ୍ରହ ଦେଖି ଗାଇଡ଼ ନେଇ ଯାଇଥିଲେ Alabaster କାରଖାନା ଏବଂ ବିକ୍ରୟସ୍ଥଳୀକୁ। Alabaster ଅତି ନରମ ପଥର,ତେଣୁ ସେଥିରେ କାରୁକାର୍ଯ୍ୟ କରିବା ଅତି ସହଜ କିନ୍ତୁ handle କରିବା ଅତି କଷ୍ଟକର।
  ଅଳ୍ପ ସମୟ ଏହି କାରଖାନାରେ ଅତିବାହିତ କରି ବାହାରିଲୁ ରାଣୀ Hatshepsut ଙ୍କ ମନ୍ଦିର,ପୁରାତନ ମିଶର ଇତିହାସର ଦ୍ୱିତୀୟ ମହିଳା ଶାସକ ବୋଲି ଐତିହାସିକମାନଙ୍କ ଦ୍ବାରା ବର୍ଣ୍ଣିତ ଏହି ରାଣୀ ପ୍ରାଚୀନ ପଣ୍ଟ ବା ସୋମାଲିଆ ସହ ବାଣିଜ୍ୟ କାରବାର କରୁଥିବା କଥା ଖୋଦନ ସମୟରେ ମିଳିଥିବା ଏକ ଗଛରୁ ଜଣାପଡିଛି। ବିଶାଳ ମନ୍ଦିର ଆଗରେ ଅତି ରମଣୀୟ ଉଦ୍ୟାନ ଥିବା କଥା ମଧ୍ୟ ଐତିହାସିକ ମାନେ ସ୍ବୀକାର କରିଛନ୍ତି।
  ଦେବୀ ହାଥୋରଙ୍କ ବିଷୟରେ ଉପରେ ଲେଖିଛି, କିନ୍ତୁ ଏହି ମନ୍ଦିରରେ ଏକ ଦୃଶ୍ୟ ଯେଉଁଥିରେ ଗାଇଠୁ ଜଣେ ମହିଳା କ୍ଷୀର ପିଇବା ଅଙ୍କିତ ହୋଇଛି,ସଙ୍ଗୀତ ଓ ହର୍ଷ ଉଲ୍ଲାସର ଦେବୀଙ୍କୁ ଅନେକ ମିଶରିୟ ପ୍ରଜନନର ଦେବୀ ହିସାବରେ ଆରାଧନା କରିବାର ଦୃଷ୍ଟାନ୍ତ ମଧ୍ୟ ଅଛି।
  ମନ୍ଦିରରେ ସ୍ଥାନୀୟ ଭାଷାରେ ଅଶୱନ୍ ସହରର ଇତିହାସ ଉପରେ ଏକ ଚଳଚ୍ଚିତ୍ରର ସୁଟିଙ୍ଗ ଚାଲିଥିବାରୁ କିଛି କଳାକାରଙ୍କ ସହ ମିଶିବାର ସୌଭାଗ୍ୟ ମିଳିଥିଲା,ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ବହୁ ପ୍ରଶଂସକ ଥିଲେ ଏହି କଳାକାର ଦଳଟି।
   ଇଂରେଜ ପୁରାତତ୍ବବିତ ହାଓ୍ବାର୍ଡ କାର୍ଟର ୧୯୨୨ ମସିହାରେ ନିଜ ସାଥିଙ୍କ ସହ ଏହି ଥିବାନ୍ ପର୍ବତ ମଧ୍ୟରୁ ଖୋଜି ଖୋଜି ବିଭିନ୍ନ ସମୟର ଫାରୋଙ୍କ ସମାଧିସ୍ଥଳ ଗୁମ୍ଫା ଗୁଡିକ ଆବିଷ୍କାର କରିଥିଲେ। ପ୍ରାୟ ୬୨ ଜଣ ଫାରୋଙ୍କ ମମିଫାଏଡ଼ ଶରୀର ଏହି ପର୍ବତର ଗୁମ୍ଫା ମଧ୍ୟରୁ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇ ସାରିଛି,ଏବେବି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଖୋଦନ ଜାରି ରହିଛି କିନ୍ତୁ ପ୍ରଫେସର କାର୍ଟରଙ୍କ ଅନନ୍ୟ ଅବଦାନ ହେଉଛି ବାଳକ ଫାରୋ ତୁତ୍,ସବୁଠାରୁ କମ୍ ବୟସରେ ମିଶର ସାମ୍ରାଜ୍ୟର ଶାସନ ଭାର ହାତକୁ ନେଇଥିବା ଏହି ରାଜାଙ୍କ ବିଷୟରେ ଇତିହାସ ଓ ଲୋକ କାହାଣୀ ଅନେକ ଶୁଣିବାକୁ ମିଳିଥାଏ।
   ଏବେବି ତାଙ୍କ ଶରୀର ମିଶର ଜାତୀୟ ସଂଗ୍ରାହାଳୟରେ ସଂରକ୍ଷିତ ତାସହ ତାଙ୍କର ସେ ପ୍ରସିଦ୍ଧ ସୁବର୍ଣ୍ଣ ମୂଖା ମଧ୍ୟ ।
   ପଶ୍ଚିମ ତଟ କଦଳୀ ବଗିଚାରେ ସୂର୍ୟ୍ଯାସ୍ତ…
  ରାଜା ଓ ରାଣୀଙ୍କ ଉପତ୍ୟକାରୁ ଫେରି ଏକ ଛୋଟ ମଟର ଚାଳିତ ନୌକାରେ ବାହାରିଲୁ ନଦୀ ମଝିରେ ଥିବା ଏକ ଦ୍ବୀପକୁ , କଦଳୀ ଚାଷ ପାଇଁ ଆବଶ୍ୟକ ପଟୁ ମାଟିରେ ସମୃଦ୍ଧ ଏହି ଦ୍ବୀପକୁ ସ୍ଥାନୀୟ ଲୋକ ବନାନା ଆଇଲାଣ୍ଡ କୁହନ୍ତି, ମାଇଲ୍ ମାଇଲ୍ ବିସ୍ତୃତ କଦଳୀ ବଗିଚା ମଝିରେ ମଝିରେ ଆମ୍ବ ଓ ଅର୍ଥକାରୀ ଫସଲର ବଗିଚା ବେଶ୍ ଆକର୍ଷଣୀୟ ଥିଲା ଓ ତାସହ ଆମ ଦେଶର ଗ୍ରାମାଞ୍ଚଳର ଅନୁଭବ ହେଉଥିଲା। ସେଇ ବଗିଚା ମଧ୍ୟରେ ଥିବା ଏକ ଛୋଟ ରେସ୍ତୋରାରେ ବସି କଦଳୀ ଓ ଅନ୍ୟ ଫଳର ସରବତ ପିଇବାର ଆନନ୍ଦ ସହ ଅସ୍ତଗାମୀ ସୂର୍ଯ୍ୟଙ୍କର ରୂପ ନୀଳନଦୀ ଜଳରେ ପଡିବାର ଦୃଶ୍ୟ ଅନନ୍ୟ ଥିଲା।
  ସଞ୍ଜ ଗଡିବାରୁ ଜାହାଜକୁ ଫେରି ବିଦାୟ ନେବାର ସମୟ ଆସି ଯାଇଥିଲା,ଜାହାଜର ମୂଖ୍ୟ ରୋଷେଇଆ ଯିଏ ଚାରିଦିନ ଧରି ମୋ ପସନ୍ଦ ମୁତାବକ ନିରାମିଷ ଭୋଜନ ଭାରତୀୟ ଶୈଳୀରେ  ପରସି ଥିଲେ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇ ବାହାରିଲି ଲକ୍ସର ସହର ମଝିରେ ଥିବା ବ୍ରିଟିଶ ନାଗରିକଙ୍କ ଭାରତୀୟ ରେସ୍ତୋରାକୁ। ସୁସ୍ୱାଦୁ ଭାରତୀୟ ମିଠା ଓ ବ୍ୟଞ୍ଜନରେ ଆପ୍ୟାୟିତ କରିଥିଲେ ସ୍ଥାନୀୟ ମ୍ୟାନେଜର ମହାଶୟ,କିଛି ସମୟ ନିକଟସ୍ଥ ଚମଡା ପୋଷାକ ବଜାର ଏବଂ ପାପିରସ୍ ସଂଗ୍ରାହାଳୟ ବୁଲି ରାତ୍ରି ଦଶରେ ବାହାରିଲି ରେଳ ଷ୍ଟେସନକୁ ଫେରନ୍ତା ଯାତ୍ରା ପାଇଁ,ସାଥିରେ ଆଣିଲି ଅନେକ ଶିକ୍ଷଣୀୟ ଅନୁଭୂତି। ଟ୍ରେନରେ ବସି ଭାବୁଥିଲି ପ୍ରାଚୀନ କୀର୍ତ୍ତିରାଜିକୁ କିପରି ସୁରକ୍ଷିତ ରଖି ହେବ ଏ ବିଷୟରେ ମିଶରଠୁ ଆମକୁ ଶିକ୍ଷା କରିବାକୁ ପଡିବ। ଆମର ଗଙ୍ଗା କି ମହାନଦୀରେ ଏପରି ଛୋଟ ଜାହାଜ ଚଳାଚଳ କରି ପର୍ଯ୍ୟଟନ ବିକାଶ କିପରି କରାଯାଇ ପାରିବ ଭାବୁଭାବୁ ନିଦ୍ରା ଦେବୀ ନିଜ କୋଳକୁ ଟାଣି ନେଇଥିଲେ….
 
  
 
 
 
 
 
 
 
   


ଭିନ୍ନ ଏକ ଅନୁଭୂତି-ବସ୍ ଯାତ୍ରା (ଭାଗ-୧)


ନଭେମ୍ବର କି ଡିସେମ୍ବର ମାସ ଠିକ୍ ସେ ମନେପଡୁ ନାହିଁ,
ଜଙ୍ଗଲ ପାହାଡ଼ ଅଞ୍ଚଳରେ ଶୀତର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ଭାରି କଷ୍ଟକର ,ସେଥିରେ ପୁଣି ପାହାନ୍ତିଆ ବସ୍ ଯାତ୍ରା ଭୂବନେଶ୍ୱର ଅଭିମୁଖେ,କଣ୍ଡକ୍ଟରକୁ ହାତେଇ ତିନି ଜଣିଆ ସିଟରେ ବସିବାର ଯେଉଁ ଆନନ୍ଦ,ସେକଥା କେବଳ ବିନା ଆରକ୍ଷଣରେ ଦୂର ଯାତ୍ରା କରିଥିବା ଲୋକ ହିଁ କହିପାରିବେ।
ଗଡ଼ି ଚାଲୁଥିଲା “ଶାନ୍ତିଲତା” ତାର ଗନ୍ତବ୍ୟ ସ୍ଥଳୀ ଅଭିମୁଖେ,ଭିତରେ ଶାନ୍ତ ପରିବେଶ,ସକାଳର ସୁଖ ନିଦ୍ରାରେ ସମସ୍ତେ ସ୍ବପ୍ନ ଦେଖିବାରେ ବିଭୋର,କିନ୍ତୁ ଅଶାନ୍ତ ହୋଇ ବସିଥିଲା ମାନବ,ଦଶଟା ସୁଦ୍ଧା ଭୂବନେଶ୍ୱର ପହଞ୍ଚି କ୍ଲାସ କରିବାକୁ ପଡ଼ିବ,ହେ..କ୍ଲାସ ତ ଖାଲି ବାହାନା,ବହୁଦିନରୁ ମନ ଭିତରେ ଥିବା କିଛି କଥା ମିନୁକୁ କହିବା,ହେଲେ ମିନୁ କଣ ମାନିବ ମାନବ କଥା? ଏମିତି ଚିନ୍ତାରେ ମଗ୍ନ ମାନବ, କାନ୍ଧରେ କାହାର ଏକ ହାତର ସ୍ପର୍ଶରେ ଚିନ୍ତା ବ୍ୟାଘାତ,ମୁଖରେ ବିରକ୍ତିର ଭାବନା, କିଏ ବୋଲି କହିବା ପୂର୍ବରୁ ଧିର ସ୍ବରରେ ଶୁଭିଲା ସରି…ଆଖି ଉଠେଇ ଦେଖିଲା ମାନବ,ଆଶ୍ଚର୍ଯ୍ୟ… ଏକଣ?  ମିନୁ ଭଳି ଦେଖିବାକୁ ଇଏ କିଏ? ସାମାନ୍ୟ ହସିଦେଇ ଇଟ୍ସ ଓକେ କହି ପୁଣି ଭାବନା ରାଜ୍ୟକୁ ଫେରି ଆସି ବ୍ୟାଗ ଭିତରୁ ବହିଟିଏ ଖୋଲି ପଢିବାର ଚେଷ୍ଟା କରିଥିଲେ..
ଶୀତଦିନେ ଆଦିତ୍ୟଙ୍କ ନିଦ ଟିକେ ଡେରିରେ ଭାଙ୍ଗେ,ଯେମିତି ଉଠନ୍ତି ନିଜର ପ୍ରତାପ ଦେଖେଇବାକୁ ଭୁଲନ୍ତି ନାହିଁ, ଜାତୀୟ ରାଜପଥ ପହଞ୍ଚିବା ପାଇଁ ଆହୁରି କିଛି ସମୟ ବାକି ଅଛି,ସକାଳୁଆ ଅଫିସ ଯିବାପାଇଁ ଲୋକାଲ୍ ପ୍ୟାସେଞରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥାଏ,ବସ୍ ଭିତରେ କ୍ରିକେଟ ଖେଳିବା ପାଇଁ ସ୍ଥାନ ଅଛି କହି କଣ୍ଡକ୍ଟର ମହୋଦୟ ଆହୁରି ଅଧିକ ଲୋକଙ୍କୁ ଠେଲି ପେଲି ଭିତରକୁ ପସିବାକୁ କହୁଥାନ୍ତି,ଡ୍ରାଇଭର ବାବୁଙ୍କ ସାମନାରେ ଥିବା ଏକମାତ୍ର କ୍ୟାସେଟ ପ୍ଲେୟରରୁ ଫଟା ସ୍ବରରେ ଭାସି ଆସୁଥିଲା ନବେ ଦଶକର କୁମାର ଶାନୁଙ୍କ ଗୀତ ଶୋଚେଙ୍ଗେ ତୁମ୍ହେ ପ୍ୟାର୍ କରେଁ କି ନେହିଁ…,ଗରମର ମାତ୍ରା ବଢିବାରେ ଲାଗିଥାଏ ତାସହ ବସ୍ ଭିତରେ ଭିଡ଼,କାହିଁକି ଯେ ଝରକା ପାଖକୁ ନ ବସି ଏପଟେ ବସୁଥିଲି ଭାବି ମନେମନେ ନିଜକୁ ଧିକ୍କାର କରୁଥିବା ମାନବ ପୁଣି ଏକ କୋମଳ ସ୍ପର୍ଶରେ ଶୀହରିତ,ହେଲେ ଏତ କାହାର ହାତ ପରି ଲାଗୁନାହିଁ,
ଶରୀର ରୋମାଞ୍ଚିତ,ଆଖି ଉଠେଇ ଦେଖିବା ପାଇଁ ସାହସ ବି ହେଉନାହିଁ,ହଠାତ୍ ବ୍ରେକ ଉପରେ ପାଦ ଚାପିଲେ ଚାଳକ ମହୋଦୟ,ପୁଣିଥରେ ସେମିତି କୋମଳ ସ୍ପର୍ଶ, ଏଥର ଆଉ ରହି ପାରିଲା ନାହିଁ ମାନବ,ସିଟରୁ ଉଠି କହିଲେ ଆପଣ ଏଠି ବସନ୍ତୁ ମୁଁ ଛିଡ଼ା ହୋଇଛି,ଲୋକଙ୍କ ଠେଲାପେଲାରେ ଅତସ୍ତତଃ ହୋଇଥିବା ନିଜ ଡ୍ରେସକୁ ସଜାଡି ମୀନୁ ପରି ଦେଖାଯାଉଥିବା ଝିଅଟି କହିଲେ ଥେଙ୍କ ୟୁ, ସ୍ମିତ ହସି ମାନବ ପାଖରେ ଥିବା ରେଲିଙ୍ଗକୁ ଧରି ଲୋକଙ୍କ ଧକ୍କା ମୁକ୍କା ଖାଇ କେତେବେଳେ ଯେ କିଛି ସିଟ୍ ଆଗକୁ ପଳେଇ ଯାଇଥିଲେ ଜାଣି ପାରିନଥିଲେ,ହଠାତ୍ କୌଣସି ଜଣାଶୁଣା ସ୍ବରର ଡାକରେ ପ୍ରକୃତିସ୍ଥ ହୋଇ ଅନାଇ ଦେଖିଲେ..
ଆରେ ତମେ ଛିଡ଼ା କଣ ହୋଇଛ? ଏଇଠି ବସ,
ହେଲେ ଏ କଣ ? ନିଜ ସିଟ୍ ଛାଡିଥିବା ମାନବ ଏବେ ଦେଖୁଥିଲା ସେଇ ଝିଅ ଟି ଆଉଜଣେ  ଯୁବକଙ୍କୁ ଡାକି ଖାଲି ପଡିଥିବା ପାଖ ସିଟରେ ବସାଇଥିଲେ।
#ଧନ୍ୟ କହିବେ ଏମିତି ଝିଅଙ୍କୁ…
ଭାବୁଥାଏ ମାନବ ଆଉ ତାସହ ଜୀବନରେ ଆଉ କୌଣସି ଝିଅକୁ ଏମିତି ସିଟ୍ ନଛାଡିବାର ବଜ୍ର ଶପଥ ମଧ୍ୟ ନେଇ ସାରିଥିଲେ…

ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ….

ବିଗତ ଶତାବ୍ଦୀର ଶେଷ ବର୍ଷ ବୋଧହୁଏ, ଉଚ୍ଚଶିକ୍ଷାପାଇଁ ଗାଁ ଛାଡ଼ି ଯେବେ ସହରକୁ ପ୍ରଥମଥର ପାଇଁ ଆସିଥାଏ,ବିନା କୌଣସି ନୂଆ ସାଙ୍ଗସାଥିଙ୍କ କଲେଜ ଜୀବନର ପ୍ରଥମବର୍ଷ ଯେମିତିସେମିତି କଟିଗଲା,ସ୍ବଭାବରେ ଅନ୍ତର୍ମୂଖୀ ହୋଇଥିବାରୁ ସାଧାରଣତଃ କାହା ସହିତ ଏତେଶୀଘ୍ର ମିଶି ପାରୁ ନଥାଏ,ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ ଦିନେ ଥରେ ବସ୍ ଫେଲ ହେବାରୁ ଘରକୁ ଚାଲିଚାଲି କିଛି କିମି ଯିବାକୁ ଆରମ୍ଭ କରିଛି କେହି ଜଣେ ପଛରୁ ଇଂରାଜୀରେ କହିଲେ ମୋ ସାଇକେଲରେ ଆସି ପାରନ୍ତି, ପଛକୁ ବୁଲି ଦେଖେ ଦ୍ୱିତୀୟ ବେଞ୍ଚରେ ବସୁଥିବା ତଥା କ୍ଲାସରେ ସବୁଠାରୁ ଅଧିକ କଥାବାର୍ତ୍ତା କରୁଥିବା ପିଲାଟି,ସ୍ବାଭାବିକ ଭାବେ ଧନ୍ୟବାଦ କହି ମୁଁ ଚାଲିବାକୁ ପୁଣି ଆରମ୍ଭ କରିଛି ସିଏ ବି ସାଇକେଲରୁ ଓହ୍ଲାଇ ” ଚାଲିବା ସ୍ବାସ୍ଥ୍ୟ ପକ୍ଷେ ହିତକର” କହି ସାଥିରେ ଚାଲିବା ଆରମ୍ଭ କରିଥିବା ପିଲାଟି ସହ ଏପର୍ଯ୍ୟନ୍ତ ବି ଅତୁଟ ବନ୍ଧୁତା ବଜାୟ ରଖି ସୁଖଦୁଃଖରେ ସାଥିରେ ଚାଲିଛୁ।
ହଠାତ ଦିନେ ତାଙ୍କ ଘରକୁ ଭଣଜା ଜନ୍ମଦିନ ପାଳନ ପାଇଁ ନିମନ୍ତ୍ରଣ ଦେଇ ମୋତେ ଅତି ଅପ୍ରୀତିକର ପରିସ୍ଥିତିରେ ପକେଇ ଦେଇଥିଲେ,ସମ୍ପୂର୍ଣ୍ଣ ନିରାମିଷାଶୀ ହୋଇଥିବାରୁ ପିଲାଟି ଦିନରୁ ଅତି ନିକଟ ସମ୍ପର୍କୀୟଙ୍କୁ ଛାଡି ଅନ୍ୟ କାହା ଘରକୁ ଭୋଜି କିମ୍ବା ଉତ୍ସବ ପାଳନ ପାଇଁ ଯିବା କଥା ହେଲେ ଶହେଥର ଭାବୁଥିଲି ,ହେଲେ ବନ୍ଧୁଙ୍କ ଅନୁରୋଧ ଏଡାଇ ନପାରି ଯାଇ ଯେତେବେଳେ ପହଞ୍ଚି ଥିଲି ତାଙ୍କ ଦ୍ବୀତଳ ପ୍ରାସାଦରେ,ପ୍ରଥମେ ପରିଚୟ ଯାହାଙ୍କ ସହ ହୋଇଥିଲା ସେ ହାତରେ ସିଗାରେଟ ଖଣ୍ଡେ ଧରି,ଆଖିରେ ଚଷମା ପିନ୍ଧି କୌଣସି ଏକ ଇଂରାଜୀ ଉପନ୍ୟାସ ପଢି଼ବାରେ ମଗ୍ନ ଥିଲେ,ପାଖ ଛୋଟ ଟେବୁଲରେ ଚାହା କପ୍ ଆଉ ଯେଉଁ ସୋଫାରେ ବସିଥିଲେ ତାପଛରେ ଅନେକ ଇଂରାଜୀ ଲେଖକଙ୍କ ବହିସବୁ ଅତି ସୁନ୍ଦର ଭାବରେ ସଜାହୋଇଥିବା ବୁକ୍ ସେଲ୍ଫ। କାନ୍ଥରେ ଲାଗିଥିଲା ଏକ ତୈଳଚ୍ଚିତ୍ର ଯାଜପୁର ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବିପିନ ବିହାରୀ ମହାନ୍ତିଙ୍କ,ସତ କହିବାକୁ ଗଲେ ପ୍ରଥମ ପରିଚୟରେ ଲାଗିଥିଲା ସିଏ ଯେମିତି ଏକ ନିଆରା ବ୍ୟକ୍ତିତ୍ୱ। ଏକଥା ଶତ ପ୍ରତିଶତ ସତ ପ୍ରମାଣିତ ହେଲା ଯେବେ ତାଙ୍କ ଘର ସହ ସମ୍ପର୍କ ବଢ଼ିବାରେ ଲାଗିଲା।୬୦/୭୦ ଦଶକରୁ ମୁକ୍ତିଲାଭ କରିଥିବା ସମସ୍ତ ହିନ୍ଦୀ ଚଳଚ୍ଚିତ୍ରର ସଂଗୀତର କ୍ୟାସେଟ୍ ସଂଗ୍ରହର ସଉକ ହେଉ, ବହି ପଢିବାର ଅଭ୍ୟାସ କିମ୍ବା ପୁରୁଣା ହିନ୍ଦୀ ସିନେମା ଦେଖିବାର ଇଛା,ସବୁକିଛି ମୋ ପସନ୍ଦ ସହିତ ତାଳମେଳ ଖାଉଥିଲା। ଅନେକଥର ତାଙ୍କ ଘରକୁ ଯିବା ପଛରେ ଉଦ୍ଦେଶ୍ୟ ଥିଲା ମାଉସୀଙ୍କ ସ୍ନେହବୋଳା କଥା କେଇପଦ,ମଉସାଙ୍କର ଥଟ୍ଟାମଜାରେ ବି ଅନେକ ଶିଖିବାର କଥା ,ଦୀପୁଭାଇ,କାଳିଆ ଭାଇ,ଅରୁଦିଦି ଆଉ ଲକି ଓ ଲାକିଦେଇଙ୍କ ରୂପରେ ବଡ଼ଭାଇ ଓ ଭଉଣୀମାନଙ୍କ ଭଲପାଇବା ତାଛଡ଼ା ଅତି ଘନିଷ୍ଠ ବନ୍ଧୁଙ୍କ ସାନିଧ୍ୟ ଏବଂ ପରିଶେଷରେ ରାତ୍ରିଭୋଜନରେ ନିରାମିଷାଶୀ ଖାଦ୍ୟ। ସତ କହିବାକୁ ଗଲେ ରାତ୍ରିଭୋଜନରେ ପରିବାରର ସମସ୍ତ ସଦସ୍ୟ ସାଥିରେ ବସି ଖାଇବା ସମୟରେ ହେଉଥିବା ମଜାଳିଆ ଆଲୋଚନା ଦିନ ଯାକର ସମସ୍ତ ଥକାପଣକୁ ଦୂର କରିପାରୁଥିଲା।
ଏମିତି ଅନେକ ସ୍ମୃତିସହ କେତେବେଳେ ପାଠପଢ଼ାର ଶେଷବର୍ଷ ସରିଗଲା ଜଣା ବି ପଡି ନଥିଲା।ସୌଭାଗ୍ୟ ମୋର ଏମିତି ଥିଲା ଯେ ପ୍ରଥମ ଚାକିରୀ ପାଇଁ ହାଇଦ୍ରାବାଦ ଯିବା ସମୟରେ ମୋତେ ସ୍ବାଗତ କରିବାକୁ ମଉସାଙ୍କର ବି ସେଠାକୁ ବଦଳି ହୋଇ ଯାଇ ସାରିଥିଲା,ଶନିବାର ଅଫିସ ସରିଲେ କେମିତି ୧୦୭ ଭି ବସ୍ ଧରି ଶିବମ୍ ରୋଡ଼ ଯିବି ସେଇ ଚିନ୍ତାରେ ଦିନ ଗଣିବା ଆରମ୍ଭ କରୁଥିଲି। ଶନିବାର ସଞ୍ଜରୁ ସୋମବାର ସକାଳ ପର୍ଯ୍ୟନ୍ତ ଚାରମିନାରଠୁ ନେଇ ଗୋଲକୁଣ୍ଡା ଦୂର୍ଗ,ବିରଳା ମନ୍ଦିରଠୁ ନେଇ ସଲାର ଜଙ୍ଗ ସଂଗ୍ରାହାଳୟ ବୁଲିବା, ପାରାଡାଇଜରେ ପ୍ରଥମଥର ବିରୟାନୀ ଖାଇବା ହେଉ କି ପ୍ରିୟାରେ ସକାଳ ଜଳଖିଆ ସବୁକିଛି ମଉସାଙ୍କ ସାଥିରେ କଟୁଥିଲା।ଅବଶ୍ୟ ମୋର ପ୍ରିୟ ବନ୍ଧୁ ତାଙ୍କ ସେବେର ବାନ୍ଧବୀ ବର୍ତ୍ତମାନର ପତ୍ନୀଙ୍କୁ ଭେଟିବାକୁ ମୋତେ ସାଥିରେ ନେବାକୁ ଚାହୁଁଥିଲେ ବି ମଉସାଙ୍କଠୁ ଅନେକ କିଛି ଶିଖିବାର ଇଛା ପାଇଁ ଅଧିକାଂଶ ସମୟରେ ମୁଁ ଦ୍ବନ୍ଦରେ ପଡି ନିଷ୍ପତ୍ତି ନେଉଥିଲି। ଏମିତି ପରିସ୍ଥିତିରେ ହାଲୁକା ଥଟ୍ଟାମଜାରେ ମଉସା ଥରେ ତାଙ୍କର ଜଣେ ଉଚ୍ଚପଦସ୍ଥ ବନ୍ଧୁଙ୍କୁ ମୋର ପରିଚୟ ଦେଇ କହିଥିଲେ “ଇଏ ସାଇ,ମୋ ପୁଅର ବନ୍ଧୁ,ସପ୍ତାହାନ୍ତରେ ଘରକୁ ଆସେ ଆଉ ସେ ମୋ ପୁଅ ଯିଏ ସପ୍ତାହାନ୍ତରେ ଘରୁ ବାହାରକୁ ଯାଏ”
ମନେ ଅଛି ଯେବେ ପ୍ରଥମଥର ପାଇଁ ଆଳୁ ଭରତା ତିଆରି କରି ମଉସାଙ୍କୁ ଦେଇଥିଲି ସେଥିରେ ବି ସିଏ ବିଶେଷ ଶୈଳୀରେ ପ୍ରଶଂସା କରିଥିଲେ। ନିରାମିଷ ଖାଦ୍ୟର ବିଭିନ୍ନ ଦେଶୀୟ ଓ ବିଦେଶୀ ଖାଦ୍ୟର ବିବରଣୀ ସହ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଅନେକ ଆଲୋଚନା ରାତ୍ରିଭୋଜନର ମୂଖ୍ୟ ଅଙ୍ଗ ଥିଲା,ଅନେକ ସମୟରେ ଖାଇବା ମଝିରେ ପୁରୁଣା ହିନ୍ଦୀ ସିନେମା ବିଷୟରେ ପ୍ରଶ୍ନ ଉତ୍ତର ବି ଚାଲୁଥିଲା,ଅନେକଥର ସଠିକ ଉତ୍ତର ଦେଇ ତାଙ୍କ ପାଖରୁ ପାଇଥିବା ଡାଏରୀସବୁକୁ ଏପର୍ଯ୍ୟନ୍ତ ସାଇତି ରଖିଛି,ପ୍ରତିଦିନ ଡାଏରୀ ଲେଖିବା ଅଭ୍ୟାସ ଅନେକ ବର୍ଷ ଧରି ବଜାୟ ରଖିଥିଲି ମଉସାଙ୍କ ପ୍ରେରଣାରୁ।
ମନେଅଛି ବହି ପଢିବାର ସଉକଥିଲେ ବି ଅର୍ଥାଭାବରୁ କିଣି ପାରୁନଥିବା ସମୟରେ ମଉସା ତାଙ୍କ ବହି ଥାକର ଅନେକ ବହି ପଢିବାକୁ ଦେଇଛନ୍ତି।
ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ଥିଲା କୌଣସି ପରିସ୍ଥିତିରେ ବି ନିଜର ଆର୍ଥିକ ସ୍ଥିତି ବିଷୟରେ ନଭାବି ଅନ୍ୟର ସାହାଯ୍ୟ କରିବା,ଅନେକ ସମୟରେ ” ନା” ନକହିବା ସ୍ବଭାବପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି ନିଜକୁ କିପରି ସମ୍ଭାଳି ନେଇ ଆଗକୁ ବଢିହେବ ସେକଥା ଅନେକଥର ଶିଖାଇଛନ୍ତି।
ଚାକିରି ଜୀବନର ଅଧିକାଂଶ ସମୟ ରାଜ୍ୟ ବାହାରେ କଟି ଥିବାରୁ ଓଡ଼ିଆ ବହି ପଢି ପାରି ନଥିଲେ ବୋଲି ଅନେକ ସମୟରେ ଅନୁଶୋଚନା କରୁଥିବା ମଉସା କିନ୍ତୁ ଅବସର ପରେ ଓଡ଼ିଆ ବହି ପଢିବାର ସଉକ ପାଇଁ ମାସର ପେନସନର ପ୍ରାୟ ବଡ଼ ଭାଗ ବିଭିନ୍ନ ବହି ଓ ପତ୍ରିକା କିଣିବାରେ ଖର୍ଚ୍ଚ କରୁଥିଲେ।
ଲେଖାଲେଖିର ସଉକ କେବେଠାରୁ ଥିଲା ସଠିକ କହି ପାରିବି ନାହିଁ କିନ୍ତୁ ଅସୁସ୍ଥତା ଓ ଜଟିଳ ଅସ୍ତ୍ରୋପଚାର ପରେ ଯେବେ ଡାକ୍ତର ସମ୍ପୂର୍ଣ୍ଣ ଆରାମ କରିବାକୁ କହିଥିଲେ ସେ ସମୟ ଅପଚୟ ନକରି ଆରମ୍ଭ କରିଥିଲେ ଗପ ଲେଖିବା,କିଛି ଲେଖି ଅନେକ ସମୟରେ ମୋତେ ପଠାନ୍ତି ପଢି ମତାମତ ଦେବାପାଇଁ,ମୁଁ ମୋର ସ୍ବଳ୍ପ ଜ୍ଞାନରେ ଯାହାକିଛି ବି ମତାମତ ଦେଉଥିଲି ତାକୁ ଅତି ଖୁସିରେ ଗ୍ରହଣ କରୁଥିଲେ,ଯଦିଓ ବିଭିନ୍ନ ପ୍ରତିଷ୍ଠିତ ପତ୍ରିକା ତଥା ସମ୍ବାଦପତ୍ରରେ ତାଙ୍କ ଲେଖା ପ୍ରକାଶ ପାଇ ସାରିଥିଲା ତଥାପି ମୁଁ ଯେତେବେଳେ ଅନୁରୋଧ କରିଥିଲି ଶୁଭପଲ୍ଲବ ପାଇଁ ଲେଖା ଦେବାପାଇଁ ଅତି ଖୁସିରେ ନିଜର ସୁନିର୍ବାଚିତ ଏକ ଗଳ୍ପ ତତ୍କ୍ଷଣାତ ପଠାଇ ଥିଲେ।
ଅନେକ ସମୟରେ କୌଣସି ଲେଖା ପସନ୍ଦ ଆସିଲେ ସିଧାସଳଖ ଲେଖକଙ୍କୁ ଫୋନ ଯୋଗେ ଅଭିନନ୍ଦନ ଏବଂ ମତାମତ ଦେବାପାଇଁ ଭୁଲନ୍ତି ନାହିଁ,ସେଥିପାଇଁ ଖୁବ୍ କମ୍ ସମୟରେ ଅନେକ ଲେଖକ ତାଙ୍କର ବନ୍ଧୁ ହୋଇଯାଇଥିଲେ ଏକଥା ଜାଣିବାକୁ ପାଇଲି ଯେବେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ କିଛି ଘଣ୍ଟା ତାଙ୍କ ସହିତ ଅତିବାହିତ କରିଥିଲି,ଯେଉଁ ବି ପ୍ରକାଶନ ସଂସ୍ଥାର ଷ୍ଟଲକୁ ଯାଉଥିଲେ କିଛି ଲେଖକବନ୍ଧୁମାନେ ଆସି ଅଭିନନ୍ଦନ ଜଣାଇବା ସହିତ ବହି କିଛି ଦେଇ ଯାଉ ଥାଆନ୍ତି।ସେଇ କିଛି ଘଣ୍ଟା ଭିତରେ ପ୍ରାୟତଃ ୧୦୦ ଖଣ୍ଡ ଓଡ଼ିଆ ବହି କିଣି ଓ ଉପହାରରେ ପାଇବା ପରେ ଯେତେବେଳେ ଘରେ ପହଞ୍ଚି ଥାକରେ ସଜାଡୁଥିଲୁ ଅତି କୋହ ଭରା କଣ୍ଠରେ କହିଲେ “ଏତେ ଗୁଡାଏ ବହି ସଂଗ୍ରହ କଲି ହେଲେ ମୋ ଯିବା ପରେ ଏସବୁ ପଢିବ କିଏ?” ମୋତେ କଣ ଜଣାଥିଲା ଯେ ମୁଁ ଫେରି ଆସିବା ପରେ ତାଙ୍କ ଦେହ ଏତେ ଅସୁସ୍ଥ ହେବ ବୋଲି, ପ୍ରତିଦିନ ସକାଳେ ହ୍ବାଟ୍ସଆପରେ ତାଙ୍କର ଶୁଭସକାଳ ମେସେଜ ଆସିବା ଜାରି ରହିଥିଲା କିନ୍ତୁ କିଛି ଦିନ କାର୍ଯ୍ୟବ୍ୟସ୍ତତା ପାଇଁ ମେସେଜ ସବୁ ଦେଖି ପାରି ନଥିଲି ଯେବେ ଖବର ପାଇଲି ସେତେବେଳକୁ ସିଏ ଏକ ଘରୋଇ ଚିକିତ୍ସାଳୟରେ ଆଇ ସି ୟୁରେ ଭର୍ତ୍ତି ଥିଲେ, ନିଜର ଚିରାଚରିତ ମଜାଳିଆ ସ୍ବଭାବରେ ସେ ହ୍ଟାଟ୍ସଆପର ଷ୍ଟାଟସରେ ଲେଖିଥିଲେ ” 49 Days in ICU”। ୧୯ ଜୁଲାଇ ସକାଳୁ ପ୍ରିୟ ବନ୍ଧୁଙ୍କ ମେସେଜ ପାଇଲି “ଭାଇ,ବାପା ଚାଲିଗଲେ” କିଛିକ୍ଷଣ ସ୍ତବ୍ଧ ହୋଇ ନିଜକୁ ସମ୍ଭାଳି ବନ୍ଧୁଙ୍କୁ ସାନ୍ତ୍ବନା ଦେଉଦେଉ ମଧ୍ୟ ଆଖିର ଲୁହ ଅଟକାଇ ପାରି ନଥିଲି ,ନିଜର ଗଳ୍ପ “୭୦ କି ୭୨” ଶୁଭପଲ୍ଲବରେ ପ୍ରକାଶିତ ହୋଇଥିଲେ ବି ପଢିବା ପୂର୍ବରୁ ସେ ଇହଧାମ ତ୍ୟାଗ କରି ଚାଲିଗଲେ।
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବିରଜା ମଉସା । ଆପଣ ୭୦ କି ୭୨ ପର୍ଯ୍ୟନ୍ତ ବି ଅପେକ୍ଷା କରି ପାରଲେ ନାହିଁ…..

ଗୋବିନ୍ଦ ସାର୍

ପ୍ରଥମ ଶ୍ରେଣୀ…
ନୂଆ ନୂଆ ବଦଳି ହୋଇଥାଏ ବାପାଙ୍କର ନୂଆ ଏକ ସହରକୁ,ନୂଆ ନୂଆ ମୁଁ ବି ପ୍ରଥମଥର ପାଇଁ ନୂଆ ଏକ ସ୍କୁଲରେ ପାଦ ଦେଲି, ଯଦିଓ ପୁରୁଣା ସ୍କୁଲରେ ପ୍ରଥମଶ୍ରେଣୀ ସାରି ଦ୍ୱିତୀୟରେ ବସୁଥିଲି କିନ୍ତୁ ନୂଆ ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ପାଇଁ ପ୍ରଧାନଶିକ୍ଷକଙ୍କ ରୋକଠାକ ମନା କରିବା କଥାଟା ଏ ଛୋଟ ହୃଦୟରେ ବଡ଼ କଷ୍ଟ ଦେଇଥିବ କି ନାହିଁ ମନେନାହିଁ କିନ୍ତୁ ଅଲଗା ଏକ ଡ଼ର ତାଙ୍କ ପ୍ରତି ହୋଇଥିଲା ନିଶ୍ଚିତ। ପାଠ ନପଢି଼ଲେ ବାପାଙ୍କ ତାଗିଦ “ଲୁନା ଶବ୍ଦ ଶୁଣୁଛୁ ନା,ଗୋବିନ୍ଦ ସାର୍ ଯାଉଛନ୍ତି” ନିଦ ଆସୁଥିଲେ ବି ବହି ଧରି ବସୁଥିଲି ବହୁ ବର୍ଷ ପର୍ଯ୍ୟନ୍ତ। କେବଳ ମୋ ପାଇଁ ନୁହେଁ ଅନେକ ମୋ ବୟସର ତଥା ମୋ ସ୍କୁଲର ଛାତ୍ରଙ୍କ ପାଇଁ ଗୋବିନ୍ଦସାରଙ୍କ ଲୁନାର ଶବ୍ଦ ଏକ କୋକୁଆ ଭୟ ସୃଷ୍ଟି କରିଥିଲା ।
ଚତୁର୍ଥ ଶ୍ରେଣୀ…
ବଡ଼ ଜେଜେମାଙ୍କ ଦେହାନ୍ତ ସମୟରେ ବାର୍ଷିକ ପରୀକ୍ଷା ଚାଲୁଥିଲା,ଦଶାହ ଘାଟ କର୍ମ ଦିନରେ ଶେଷ ପରୀକ୍ଷା,ଯେମିତିହେଲେ ବାପାଙ୍କୁ ୧୦୦ କିମି ଦୂର ଗାଁରେ ପହଞ୍ଚିବାକୁ ପଡିବ,ସେତେବେଳେ ଗମନାଗମନର ଏକମାତ୍ର ପନ୍ଥା ସରକାରୀ ବସ୍ ଯାହାର ସମୟ ଭୋର୍ ୫:୪୫।
ବାପାଙ୍କ ଅନୁରୋଧରୁ ନିୟମ ବହିର୍ଭୁତ ରାତି ୩ରେ ସ୍କୁଲ ଅଫିସ ଖୋଲିଲା,ଦୁଇ ବିଷୟର ପ୍ରଶ୍ନପତ୍ର ସିଲ୍ଡ ଲଫାପାରୁ ଖୋଲି ଦୁଇଘଣ୍ଟାରେ ଶେଷ କରିବାକୁ ଆଦେଶ ଦେଇଥିବା ସାରଙ୍କୁ ସେଦିନ ଅନ୍ୟ ଏକ ରୂପରେ ଦେଖିଥିଲି।
ଗାଁରୁ ଫେରିବା ପରେ ଯେତେବେଳେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ପ୍ରଥମ ତିନିଜଣଙ୍କ ଭିତରେ ସ୍ଥାନ ପାଇଥିବାରୁ ଗୋବିନ୍ଦ ସାରଙ୍କ ଆଖି ସର୍ବଦା ମୋ ଉପରେ ରହୁଥିଲା। ପ୍ରାର୍ଥନା ସଭାରେ ଲିଡ଼୍ କରିବା ହେଉ କିମ୍ବା ଅନ୍ୟ କିଛି କାମରେ ହେଉ ସବୁବେଳେ ପ୍ରୋତ୍ସାହିତ କରୁଥିଲେ ସାର୍।
ଚିତ୍ରକଳାରେ ବିଶେଷ ପାରଙ୍ଗମ ନଥିଲି କିନ୍ତୁ ସାରଙ୍କ ପ୍ରଚେଷ୍ଟାରେ ସ୍କୁଲରେ ମାସିକ ଖୁବ୍ କମ୍ ଅର୍ଥ ବ୍ୟୟରେ ପ୍ରସିଦ୍ଧ ଚିତ୍ରକରମାନଙ୍କଠାରୁ (ଆଜି ସେମାନେ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ) କିଛି ଶିଖିବାର ସୁଯୋଗ ମିଳିଥିବାରୁ ଚିର ଋଣୀ।
ପଞ୍ଚମ ଶ୍ରେଣୀ…
ସ୍ବାଧୀନତା/ଗଣତନ୍ତ୍ର କିମ୍ବା ଉତ୍କଳ ଦିବସର ଉପଲକ୍ଷେ ଉପଖଣ୍ଡ ସ୍ତରୀୟ ବକ୍ତୃତା,ଚିତ୍ରାଙ୍କନ କିମ୍ବା କୁଇଜ୍ ପ୍ରତିଯୋଗିତାରେ ଭାଗ ନେବାପାଇଁ ଜବରଦସ୍ତି ନାମ ପଠାଇ ପ୍ରସ୍ତୁତ ହେବାପାଇଁ କହିବା ସାରଙ୍କ ଏକ ବିଶେଷ ଧରଣର ଉପାୟ ଥିଲା ଆତ୍ମ ବିଶ୍ୱାସ ବଢା଼ଇବା ପାଇଁ।ଯଦିଓ ଅନ୍ୟ ସ୍କୁଲର ଛାତ୍ରଛାତ୍ରୀମାନେ ତାଙ୍କ ପ୍ରଧାନଶିକ୍ଷକଙ୍କ ଲିଖିତ ବକ୍ତବ୍ୟକୁ ଘୋଷି ବିଭିନ୍ନ ଭାବଭଙ୍ଗୀ କରି ଟେବୁଲ ବାଡେଇ ୧ମ ଆଉ ୨ୟ ପୁରସ୍କାର ପାଉଥିଲେ କିନ୍ତୁ ଥରେ ନିଜ ମନରୁ ବକ୍ତୃତା ଦେଇ ୩ୟ ପୁରସ୍କାର ପାଇବା କଥାକୁ ସେ ସ୍କୁଲ ସାଧାରଣ ସଭାରେ ଘୋଷଣା କରି ପ୍ରଶଂସାକରିବା ଏପର୍ଯ୍ୟନ୍ତ ମନେଅଛି।
ଷଷ୍ଠ ଶ୍ରେଣୀ..
ଗୋବିନ୍ଦ ସାରଙ୍କ ବଦଳି ଖବର ସ୍କୁଲର କିଛି ପିଲାମାନଙ୍କୁ ଦୁଃଖ ଦେଇଥିବ କି ନାହିଁ କହିପାରିବି ନାହିଁ କିନ୍ତୁ କିଛି ଦିନ ଆଗରୁ ସାରଙ୍କ ଲୁନାଶବ୍ଦ ନଶୁଣି ଗପରେ ମଜ୍ଜିଥିବାରୁ ପାଇଥିବା ଦଣ୍ଡ ପାଇଁ ଖୁସି କିନ୍ତୁ ହୋଇଥିଲି।
ଚାକିରୀ ବର୍ଷ…
ବହୁତ ବର୍ଷ ପରେ ଯେତେବେଳେ ଚାକିରି କରି ଘର ଖଣ୍ଡେ କିଣିଲି ତାହା ବି ଥିଲା ସାରଙ୍କ ଘର ପାଚେରୀକୁ ଲାଗି। ଭାରି ଖୁସିରେ ଘର ପ୍ରତିଷ୍ଠା ଉତ୍ସବରେ ଆସି ଅତି ଆନନ୍ଦରେ ଅନେକ ସମୟ ଅତିବାହିତ କରିଥିଲେ,ତାସହିତ ଅନେକ ପ୍ରଶଂସା ସହିତ କହିଥିଲେ ” ଯାହାହେଉ ଆଜି ଗର୍ବର ସହ କହି ପାରିବି ମୋର ଅନେକ ଛାତ୍ର ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟରୁ ବି ପଢି଼ ଆଜି ବିଦେଶରେ ଅଛନ୍ତି”
କିଛି ମାସ ତଳେ ସାମାଜିକ ଗଣମାଧ୍ୟମରୁ ଖବର ପାଇଲି ସାରଙ୍କ ଉପରେ ମରଣାନ୍ତକ ଆକ୍ରମଣ କୌଣସି ଏକ ଭୁଲ୍ ବୁଝାମଣା ପାଇଁ,ବହୁତଦିନ ଧରି ଡାକ୍ତରଖାନାରେ ଚିକିତ୍ସା ପାଇ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ,ନିଜର ଏକମାତ୍ର ପୁତ୍ରଙ୍କ ଭୁବନେଶ୍ୱର ବାସଭବନରେ ରହୁଥିବା ଖବର ପାଇ ଭେଟିବା ଯୋଜନା କରିଥିଲି ମଧ୍ୟ।
କିଛି ଦିନ ତଳେ ହଠାତ ତାଙ୍କର ଫୋନ ବାପାଙ୍କ ପାଖକୁ କହିଲେ “ଆପଣଙ୍କୁ ଗୋଟେ ଅନୁରୋଧ,ସାଇକୁ କୁହନ୍ତୁ ଆପଣଙ୍କ ଘରକୁ ଲାଗି ମୋର ସେ ଘର ଟା କିଣିନେଉ” ଏଥର ଛୁଟିରେ ଗଲେ ତାଙ୍କୁ ଭେଟି ଦେହପା କଥା ବୁଝି କଥାହେବି ବୋଲି କହିବାକୁ କହି ବାପାଙ୍କୁ କହିଥିଲି ତାଙ୍କୁ ଜଣାଇଦେବା ପାଇଁ ହେଲେ ଆଜି ସକାଳେ ହଠାତ ଖବର ପାଇଲି “ଗୋବିନ୍ଦସାର୍ କାଲି ରାତିରେ ଚାଲିଗଲେ”
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଗୋବିନ୍ଦସାର୍ 🙏🙏

ପୁସ୍ତକ ସମୀକ୍ଷା ସୁଲଗ୍ନା ମହାନ୍ତିଙ୍କ “ନାଲିଚୁଡା଼” କ୍ଷୁଦ୍ରଗଳ୍ପ ସଂକଳନ…

ବିଗତ ଶତାବ୍ଦୀର ଶେଷ ବର୍ଷ ଓ ଏଇ ଶତାବ୍ଦୀର ପ୍ରଥମ ବର୍ଷରେ ହିଁ ମୁଁ କିଛି ଓଡ଼ିଆ ଗଳ୍ପ,ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ପଢିବାର ସୁଯୋଗ ପାଇଥିଲି,ପରେ କର୍ମ ଓ ସଂସାର ଜଞ୍ଜାଳରେ ଛନ୍ଦି ହୋଇ ବହୁବର୍ଷ ପର୍ଯ୍ୟନ୍ତ କାଗଜ ଛପା ପୁସ୍ତକ କିଛି ପଢିବା ସୁଯୋଗ ମିଳି ନଥିଲା,ଯାହା କିଛି ପଢିଥିଲି ସେସବୁ କିଣ୍ଡଲ୍ ଭରସଣ ନହେଲେ ଇ-ପୁସ୍ତକ।
ଏଇ ବର୍ଷର ଆରମ୍ଭରେ ସୋସିଆଲ ମିଡ଼ିଆରେ ବହୁଳ ଭାବେ ଆଦୃତ କିଛି ଗଳ୍ପର ଚର୍ଚ୍ଚା ଶୁଣିବା ପରେ ଏବଂ ଲେଖିକାଙ୍କ ସହ ମତ ବିନିମୟ ଅବସରରେ ତାଙ୍କର ସଦ୍ୟ ପ୍ରକାଶିତ ଗଳ୍ପ ସଂକଳନ କିଣିବା ପାଇଁ ମନସ୍ଥ କରିସାରିଥିଲି କେବଳ ଛୁଟିରେ ଭାରତ ଗସ୍ତରେ ଯିବାର ଅପେକ୍ଷାହିଁ କରିଥିଲି..
ଶେଷରେ ସେ ସମୟ ଆସି ଉପସ୍ଥିତ ହେଲା ଜୁଲାଇ ମାସରେ, କିଛି ପୁସ୍ତକ ପ୍ରିୟ ପୁରୁଣା ବନ୍ଧୁଙ୍କ ଠାରୁ ପୁରୁଣା ବସ୍ ଷ୍ଟାଣ୍ଡର ପୁରୁଣା ବହି ଦୋକାନର ଠିକଣା ନେଇ ପହଞ୍ଚି ଥିଲି,ବାଛି ବାଛି ଚାରି ଖଣ୍ଡ ମନୋଜ ଦାସଙ୍କ,ଦି ଖଣ୍ଡ ସୁରେନ୍ଦ୍ର ମହାନ୍ତିଙ୍କ ବହି କିଣିଲା ପରେ ସର୍ବମୋଟ ବହି ସଂଖ୍ୟା ଆଠ ହେବାରୁ ବ୍ରହ୍ମ ସଂଖ୍ୟା ନଅ କରିବା ଆଶାରେ ବିକ୍ରେତା ମହାଶୟଙ୍କୁ ପଚାରିଲି ଆଉ ଗୋଟେ ବହି ଅଛି ଯଦି ଦିଅନ୍ତୁ କିନ୍ତୁ କୌଣସି ନୂଆ ଲେଖକ/ଲେଖିକାଙ୍କ(ଏମିତି ପଚାରିବା ଅର୍ଥ ଥିଲା ଲେଖିକାଙ୍କ ବହି ବିଷୟରେ ସେ ଜାଣିଛନ୍ତି କି ନାହିଁ) ପୁରୁଣା ଥାକ ଭିତରୁ ଧୁଳି ଝାଡି ଖଣ୍ଡେ ଚଟିବହି ଆଣି ଧରାଇ ଦେଇ କହିଲେ ଆପଣଙ୍କ ଭାଗ୍ୟ ଟାଣ ଏଇ ଖଣ୍ଡେ କେମିତି ରହି ଯାଇଛି ନହେଲେ ଏ ବହିର ଡିମାଣ୍ଡ ଏତେ ଯେ ମିଳିବା କଷ୍ଟ, ମୁଁ ବି ମଲାଟରେ ଲେଖିକାଙ୍କ ନାମଦେଖି ମଧ୍ୟ ନ ଦେଖିଲା ଭଳି ପଚାରିଲି କିଏ ସେ ଲେଖିକା? ତତ୍କ୍ଷଣାତ୍ ଉତ୍ତର ଆସିଲା ଆଜ୍ଞା ସୁଲଗ୍ନା ମହାନ୍ତି, ଆଛା ସିଏ ଯେଉଁ ଅଧ୍ୟାପିକା ଅଛନ୍ତି ସିଏ?ଫଟ୍ କରି ମୁଁ ବି ପଚାରିଲି, ଦୋକାନୀ ଜଣକ କହିଲେ ଆଜ୍ଞା,ତାଙ୍କରି ବହି,ବହୁତ ବଢିଆ ଲେଖିଛନ୍ତି ,ନେଇଯାଆନ୍ତୁ….
ପୂର୍ବ ଯୋଜନା ଅନୁଯାୟୀ ବହି କିଣି ସିଧା ପହଞ୍ଚି ଗଲି ଲେଖିକାଙ୍କ ଘର ଦୁଆର ମୁହଁରେ,ଲେଖିକାଙ୍କ ଦସ୍ତଖତ ଖଣ୍ଡେ ବହିର ପ୍ରଥମପୃଷ୍ଠାରେ ନେଇ ଫଟୋ ସହ ତାଙ୍କୁ ଟୁଇଟରରେ ଟ୍ୟାଗିଲେ ଯାଇ ସିନା ଲୋକ ଜାଣିବେ….😉 ହେଲେ ବହୁ ସମୟ ଠିଆ ହେଲାପରେ ତଳ ମହଲାର ପାଳିତ କୁକୁରର ଚିତ୍କାରରେ ଅତିଷ୍ଠ ହୋଇ ଦରଓ୍ବାନ ମହୋଦୟ କହିଲେ ଆଜ୍ଞା ଆପଣ ଯାହାକୁ ଖୋଜୁଛନ୍ତି ସିଏ ଏବେ ଏଠି ରହୁ ନାହାନ୍ତି….🤦କହିବା ବାହୁଲ୍ୟ ବିଫଳ ମନୋରଥରେ ଫେରିଥିଲି😒
ଲେଖିକାଙ୍କ ପରିଚୟ ଦେବା ଗଳ୍ପ ସମୀକ୍ଷକଙ୍କ ମୂଖ୍ୟ କାମ ମଧ୍ୟରୁ ଏକ,ହେଲେ ଲେଖିକାଙ୍କୁ ପ୍ରାୟ ସମସ୍ତେ ଜାଣିଥିବାରୁ ମୋ ପରିଚୟ ଦେଇ ଦେଉଛି😁 ପ୍ରାୟ ୧୮ ବର୍ଷ ତଳେ ଏବେ ଲେଖିକାଙ୍କ ଘର ଯେଉଁଠି,ସେଇ ସ୍ଥାନରେ ଛିଡ଼ା ହୋଇ ଏକାମ୍ର ନଗରୀର ବହୁ ରମଣୀୟ ସଂଧ୍ୟା ଅତିବାହିତ କରିଥିଲି,ତାଙ୍କ ଘର ପରେ ଯେଉଁ ରାସ୍ତା ସେଇଠି ଥିଲା ଗୋଟିଏ ମଣ୍ଡପ ଯେଉଁଠି କେତେ ଗଣେଶ ପୂଜାର ଆୟୋଜନ କରି ସ୍ଥାନୀୟ କଲୋନୀର ଭାଇ ଭଉଣୀ,ମା ମାଉସୀଙ୍କୁ ପ୍ରସାଦ ବିତରଣ କରିଥିଲୁ, ବୋଧେ କେବେ ଲେଖିକା ମହାଶୟା ନିଜେ ଆସି ପ୍ରସାଦ ନେଇଥିବେ ସେକଥା ମନେ ପକାଇବାର ଚେଷ୍ଟା କରୁଛି 🤔😉
ଉପକ୍ରମଣ ଏତେ ଲମ୍ବା ହେଲାଣି ଯେ ବହିରେ ଥିବା ସବୁଠାରୁ ବଡ଼ ଗପର ଧାଡ଼ି ସହ ସମାନ ହୋଇଯିବ ଲାଗୁଛି😁
ଦ୍ୱିତୀୟ ପୃଷ୍ଠାରେ ” ଇଂରାଜୀରେ ଲେଖିବା ଯାହା ପିଜ୍ଜା ବର୍ଗର ଖାଇବା ସେଇଆ,ପେଟ ଭରିବ କିନ୍ତୁ ମନ ଭରିବ ନାହିଁ” ଧାଡ଼ି ହିଁ ଗଳ୍ପ ସଂକଳନର ମୂଖ୍ୟ କଥା,ଆଗକୁ ଯେତିକି ଗପ ଅଛି ସବୁଥିରେ ଓଡିଆମିର ଝଲକ ଦେଖିବାକୁ ମିଳିବ। ପୃଷ୍ଠା ୯ ରେ ଥିବା ମୂଖ୍ୟ ଗଳ୍ପ “ନାଲିଚୁଡା଼” ଅବଶ୍ୟ ଶେଷକୁ ରଖିଥିଲେ ହୋଇଥାନ୍ତା କିନ୍ତୁ ଆମେ ଓଡ଼ିଆ ଖାଇବାପିଇବା ବିଷୟ ଆଗେ ହିଁ ଲେଖିବା 😋 ଆଉ ଏହା ପ୍ରମାଣିତ ଦ୍ୱିତୀୟ ଗପ “କ୍ଷୀରି”ରେ ଏବଂ ବହିରେ ଥିବା ଅନ୍ୟ ୩ ଟି ଖାଇବା ଉପରେ ଗପରୁ 😉
ଇଉରୋପ ଟୁରରେ ନଯାଇ କେମିତି ଫେସବୁକ ଉପରେ ରାଗିଛନ୍ତି ସେ ବିଷୟକୁ ନେଇ ଲେଖିଥିବା ଗପ ଆଗକୁ ଯାଇ ଫେସବୁକିଆ ମହାସଂଘର ଭାବାବେଗ ଆଘାତ ନକରୁ..
ବହିର ସବୁଠାରୁ ବଡ଼ ଗପ “କବିତା ବୁଝୁ ନଥିବା ଝିଅ” କଥା କବିତା ବୁଝୁ ନଥିବା ପୁଅ କଣ ବା ଲେଖିବ !!
“ବାୟୁଦୋଷ” ଗପରେ ଲେଖିକାଙ୍କ ଗବେଷଣା ମାନିବାକୁ ପଡିବ 👌
ଗୋଟିଏ ବିଶେଷ ସତର୍କ ସୂଚନା 👉 ଏସବୁ ଗପ ପଢୁ ପଢୁଯଦି ରାତି ଅଧିକ ହୋଇଛି ତେବେ ପୃଷ୍ଠା ୭୦ ଲେଉଟାଇବେ ନାହିଁ,ଆଉ କୋମଳ ହୃଦୟ ବିଶିଷ୍ଟ ପାଠକ ତ ବିଲକୁଲ୍ ନୁହେଁ😱
ଭୂତଗପ -୧ ଆଉ ୨କୁ ସକାଳେ ପଢିବା ପାଇଁ ରଖିବେ ନହେଲେ ରାତିରେ ୧/୨ ଯିବା ପାଇଁ ଡ଼ର ଲାଗିଲେ ଲେଖିକାଙ୍କୁ ଦାୟୀ କରିବେ ନାହିଁ…
“ଉର୍ମିଳା” କାହାଣୀ ପଢିଲା ପରେ ଲାଗିଲା ଲେଖିକା ବୋଧେ ମୋର ପୁରୁଣା ଟୁଇଟ ଦେଖିଛନ୍ତି ଯେଉଁଥିରେ ଲେଖିଥିଲି ରାମାୟଣରେ ଉର୍ମିଳାଙ୍କ ଚରିତ୍ର ସବୁଠାରୁ ପସନ୍ଦ ବୋଲି🤔
ଗଳ୍ପ ସଂକଳନର କିଛି ଗଳ୍ପ ଆଗରୁ ସୋସିଆଲ ମିଡ଼ିଆରେ ଲେଖିକା ନିଜ ପୃଷ୍ଠାରେ ଛାପିଥିବାରୁ ପଢିବା ସୁଯୋଗ ମିଳିଥିଲା କିନ୍ତୁ ଅନେକ ନୂଆ ଗପ ମଧ୍ୟ ବହିରେ ସ୍ଥାନ ପାଇଛି। ଆଶ୍ଚର୍ଯ୍ୟ କେବଳ ଏତିକି ଲାଗିଲା ନିତିଦିନିଆ ଘଟୁଥିବା ଛୋଟଛୋଟ ଘଟଣାସବୁକୁ ନେଇ ଅତି ସୁନ୍ଦର କାହାଣୀ କେମିତି ଲେଖି ପାରନ୍ତି ଆଉ ତାସହ ଅଧିକାଂଶ ଗପର ସମାପ୍ତି ଏପରି ଲେଖିଛନ୍ତି ଯେମିତି କୌଣସି ହିନ୍ଦୀ ସିନେମାର ଯବନିକା ପତନ ଦୃଶ୍ୟ।
ମୋଟାମୋଟି ଭାବରେ କହିବାକୁ ଗଲେ ଗଳ୍ପ ସଂକଳନରେ ଅଛି ହାଲୁକା ବ୍ୟଙ୍ଗ,ତୀକ୍ଷ୍ଣ ସାମାଜିକ ସନ୍ଦେଶ,ପ୍ରଚଳିତ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ,ମାନବୀୟ ସମ୍ପର୍କର ବିଭିନ୍ନ ଦିଗ ଏବଂ ଓଡ଼ିଆ ଚଳଣିର ଅନେକ ଆଭାସ…
ଶେଷରେ ଏତିକି କହିବି ଯେଉଁମାନେ ଏପର୍ଯ୍ୟନ୍ତ ବହି କିଣି ପଢିନାହାନ୍ତି ସେମାନେ ଏକ ସୁବର୍ଣ୍ଣ ସୁଯୋଗ ହରାଇବେ,କାରଣ ଆଗକୁ ଯାଇ ସୁବିଖ୍ୟାତ କଥାକାର ମନୋଜ ଦାସଙ୍କ ଦ୍ବାରା ପ୍ରଶଂସିତ ଏଇ ଲେଖିକାଙ୍କ ପ୍ରଥମ ବହି ପଢିଥିଲି ବୋଲି କହି ପାରିବେ…
ପୁଣି ଶେଷରେ ରିତ୍ବିକ୍ ବାବୁଙ୍କୁ ଧନ୍ୟବାଦ କାରଣ ସେ ଯଦି କହି ନଥାନ୍ତେ “ତତେ ଯଦି ଠିକ୍ ଲାଗୁଛି ତୁ କରେ,ମୁଁ ତ ସାଥିରେ ଅଛି” ଆଜି ଆମକୁ ଏ ବହି ପଢିବାର ସୁଯୋଗ ମିଳି ନଥାନ୍ତା….😀

|| ସମାପ୍ତ ||

“ବାୟା ମାଙ୍କଡ଼ର ଖେଳ”- ଗଳ୍ପ ସଂକଳନର ସମୀକ୍ଷା

ଦି ବର୍ଷ ତଳେ ବିପ୍ଲବୀ ବୀର ବାଘାଯତୀନଙ୍କ ଉପରେ କିଛି ତଥ୍ୟ ସନ୍ଧାନ ପାଇଁ ଯାଇଥାଏ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାର ବାଘାଯତୀନ ସ୍ମୃତି ପରିଷଦର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲଚନ୍ଦ୍ର ମହାଳିକଙ୍କ କାର୍ଯ୍ୟାଳୟକୁ,ସାରଙ୍କ ମୂଖରୁ ବାଘାଯତୀନଙ୍କ କାହାଣୀ ସବୁ ଶୁଣି ମନ୍ତ୍ରମୁଗ୍ଧ ହୋଇ ଯାଇଥିଲି,ପରେ ସେସବୁ ତଥ୍ୟକୁ ନେଇ ଏକ ନିବନ୍ଧ ଲେଖିଥିଲି ଶୁଭପଲ୍ଲବ ଇ-ପତ୍ରିକା ପାଇଁ।
ଏମିତି ଆଲୋଚନା ଅବସରରେ ଜାଣିବାକୁ ପାଇଲି ମୟୂରଭଞ୍ଜର ଅନ୍ୟ ଏକ ଐତିହାସିକ ସ୍ଥାନ ଶୀଳଘାଟି ବନ୍ଧ ବିଷୟରେ,କିଛି ଅଧିକ ତଥ୍ୟ ଜାଣିବା ପାଇଁ ଚାହିଁବାରୁ ମହାଳିକ ସାର ଆଉଜଣେ ଭଦ୍ରବ୍ୟକ୍ତିଙ୍କ ଠିକଣା ଦିଅନ୍ତି ଓ ତାଙ୍କୁ ଭେଟିବା ପାଇଁ କୁହନ୍ତି,ସମୟ ଅଭାବରୁ ସେତେବେଳେ ତାଙ୍କୁ ଭେଟି ପାରି ନଥିଲି,କିନ୍ତୁ କିଛି ମାସ ତଳେ ମୋର ଭାରତ ଗସ୍ତ ସମୟରେ ଶୀଳଘାଟି ବନ୍ଧକୁ ସ୍ବଚକ୍ଷୁରେ ଦେଖି ତା ବିଷୟରେ ଅଧିକ ଜାଣିବା ପାଇଁ ଭେଟିଥିଲି ଶ୍ରୀ ବସନ୍ତକୁମାର ରାଉଳଙ୍କୁ ତାଙ୍କ ବାସ ଭବନରେ, ସାମାନ୍ୟ ପରିଚୟ ଆଦାନ ପ୍ରଦାନରେ ଜାଣିବାକୁ ପାଇଲି ଶ୍ରୀଯୁକ୍ତ ରାଉଳ ଜଣେ ଅବସର ପ୍ରାପ୍ତ ସମାଜ କଲ୍ୟାଣ ଅଧିକାରୀ,ନିଜ ଚାକିରୀ ଜୀବନରେ ମୟୂରଭଞ୍ଜ ଜିଲ୍ଲାର ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା ତଥା ବିଭିନ୍ନ ସାହିତ୍ୟ ସଂଗଠନର ମୂଳଦୁଆ ପ୍ରତିଷ୍ଠା କରିଥିବାର କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲା,କେମିତି ଏତେ ସବୁ କାମ ସରକାରୀ ଚାକିରି ଓ ସାଂସାରିକ ଜୀବନର ଜଞ୍ଜାଳ ଭିତରେ ରହି ମଧ୍ୟ କରି ପାରୁଥିଲେ। କଥାବାର୍ତ୍ତା ଅବସରରେ ଜାଣିବାକୁ ପାଇଲି ଶ୍ରୀଯୁକ୍ତ ରାଉଳଙ୍କ ପୈତୃକ ଘର ବାଲେଶ୍ଵର ଜିଲ୍ଲାରେ କିନ୍ତୁ ବଣ ଜଙ୍ଗଲ ଘେରା ମୟୂରଭଞ୍ଜକୁ ନିଜର କର୍ମ ସ୍ଥାନରେ ପରିଣତ କରି ଅବସର ଜୀବନ ଏକ ତ୍ରୈମାସିକ ପତ୍ରିକା ସମ୍ପାଦନାରେ କଟାଉଛନ୍ତି। “ମାଟିଫୁଲ” ତାଙ୍କରି ମାନସ ସନ୍ତାନ,ଗ୍ରାମାଞ୍ଚଳର ଲେଖକ/ଲେଖିକା ମାନଙ୍କୁ ଖୋଜି ଖୋଜି ତାଙ୍କୁ ପ୍ରୋତ୍ସାହନ ସହ ଅଧିକ ଲେଖିବାକୁ ପ୍ରେରଣା ଦେବା କିଛି କମ୍ ବଡ଼ କଥା ନୁହେଁ,ନିଜର ଅବସର ଭତ୍ତାକୁ ଏମିତି ଲେଖକଙ୍କ ଲେଖାସବୁ ମାଟିଫୁଲରେ ଛାପିବା ପାଇଁ ଖର୍ଚ୍ଚ କରିବା କେବଳ ଜଣେ ସାହିତ୍ୟାନୁରାଗୀ ବ୍ୟକ୍ତି ହିଁ କରିପାରେ। ଜଣେ ଭିକ୍ଷୁକ ଓ ଜଣେ ସୈନିକ କେମିତି ‘ମାଟିଫୁଲ” ପାଇଁ ଲେଖା ଦେଇଥିଲେ ସେ କଥା ସାରଙ୍କ ମୁହଁରୁ ଶୁଣିବା ସମୟରେ ତାଙ୍କ ଆଖିରେ ସାଫଲ୍ୟତାର ଚମକ ମୁଁ ଠିକ୍ ବାରି ପାରୁଥିଲି।
ଯେତେବେଳେ ଶୀଲଘାଟି ବନ୍ଧ ଓ ତାସହ ଜଡ଼ିତ କିଛି ତଥ୍ୟ ବିଷୟରେ ଆଗ୍ରହୀ ହୋଇ ପଚାରିଲି ବହି ଥାକ ଖୋଜି ଖୋଜି ତାଙ୍କ ସ୍ବରଚିତ ଏକ ଲେଖାର ଜେରକ୍ସ କପି ଏବଂ ଦୁଇଟି ବହି ମୋ ହାତକୁ ଅତି ଆଦରରେ ବଢାଇ ଦେଇଥିଲେ। ବହିର ପ୍ରଛଦରେ ଲେଖା ହୋଇଥିଲା “ବାୟା ମାଙ୍କଡ଼ର ଖେଳ”, ଇଏ କେମିତି ନାଁ ଭାବି ଆଶ୍ଚର୍ଯ୍ୟ ହେଉଥିଲି କିନ୍ତୁ ଯେତେବେଳେ ପଢିବା ଆରମ୍ଭ କଲି ନସାରି ରହି ପାରିଲି ନାହିଁ। “ଜଗୁଆଳି”ର ଅସହାୟ ନରହରିବାବୁଙ୍କ କଥା ହେଉ ଅବା “ଗାନ୍ଧୀ କାନ୍ଦୁଛନ୍ତି” ହେଉ ସବୁ ଗଳ୍ପରେ ସମାଜକୁ କିଛି ବାର୍ତ୍ତା ଦେବାର ଚେଷ୍ଟା ରହିଛି। “ଫେରିଆ ଲକ୍ଷ୍ମୀ” ରେ ଲକ୍ଷ୍ମୀର ଦୃଢ ସଂକଳ୍ପ ଏକ ଝିଅ/ପୁଅ ବାଛ ବିଚାର ଭିନ୍ନ ସମାଜର ମୂଳଦୁଆ କେମିତି ହୋଇପାରେ ତାର ଚିତ୍ର। “ଲୁହ” ଅଣୁଗଳ୍ପରେ ଚିତ୍ରକର ଆଖିରେ ଲୁହ କାହିଁକି ପ୍ରଶ୍ନ ହେଉ କିମ୍ବା ” ସତ ଠାକୁର-ମିଛ ପୂଜା” ରେ ପ୍ରଚଳିତ ପଦ୍ଧତି ଉପରେ ପ୍ରଶ୍ନ ହେଉ ପ୍ରାୟତଃ ସବୁ ଗଳ୍ପରେ କିଛି ସନ୍ଦେଶ କିଛି ପ୍ରଶ୍ନ କିଛି ଦିଗଦର୍ଶନ ରହିଛି ଆଜିର ସମାଜ ପାଇଁ।
“ପାଠଶାଠ” ଆଉ “ବି ପି ଏଲ୍” ଗପ ସମ୍ୟକ ବ୍ୟଙ୍ଗଧର୍ମୀ ହେଲେ ମଧ୍ୟ ସେଥିରେ ରହିଛି ମଣିଷ ପାଇଁ କିଛି ଶିକ୍ଷା। ସତ୍ୟ ଘଟଣା ଉପରେ ଆଧାରିତ “ଦୁଇଟି ହାତୀର ଚିତ୍ର”ରେ ହାତୀର ବିପରୀତ ବ୍ୟବହାର ମଣିଷର ଜଙ୍ଗଲୀ ଜନ୍ତୁଙ୍କ ପ୍ରତି ଥିବା ଧାରଣା ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ଶେଷ ଗଳ୍ପ “ବାୟା ମାଙ୍କଡ଼ର ଖେଳ” ରେ ଆଜିର ସରକାରୀ ଯୋଜନାର ପ୍ରଣୟନ ଓ ଫଳାଫଳ ଉପରେ ଅନେକ କଥା ମାଙ୍କଡ଼ ଦ୍ବାରା କହିଛନ୍ତି…
ଶେଷରେ ଏତିକି କହିବି ୧୭ ଟି ଗଳ୍ପର ଏଇ ସମାହାର ପାଠକଙ୍କ ମନରେ ନିଶ୍ଚିତ ଭାବେ ଏକ ଆଲୋଡ଼ନ ସୃଷ୍ଟି କରିବ…

ବାଘା-କଲିକତାରୁ କପ୍ତିପଦା

ଏକ ଶୀତୁଆ ସକାଳରେ ଗାଁ ପାଖ ରେଳ ଷ୍ଟେସନକୁ ଯିବାର ଥିଲା, କଲିକତାରୁ ଆସୁଥିବା ଜଣେ ସମ୍ପର୍କୀୟଙ୍କୁ ପାଛୋଟି ଆଣିବାକୁ ହେଲେ ଉଠିବା ବେଳକୁ ବିଳମ୍ବ ହୋଇଯାଇଥିଲା ଯେମିତି ସେମିତି ମୁହଁ ଧୋଇ ଗାଡ଼ି ନେଇ ବାହାରି ପଡ଼ିଲି, ଷ୍ଟେସନ ସାମନାରେ ପହଞ୍ଚି ଶୁଣିଲି ଗାଡ଼ି ଆସିବାରେ ବିଳମ୍ବ ହେବ ପାଖରେ ଥିବା ଚା’ ଦୋକାନରେ ଗିଲାସେ ଚା’ ମଗାଇ ସକାଳର ଖବରକାଗଜ ଉପରେ ଆଖି ବୁଲାଇଆଣୁଥିଲି, ଜଣେ ଭଦ୍ରବ୍ୟକ୍ତି ଦୌଡ଼ି ଦୌଡ଼ି ଆସି ପଚାରିଲେ ଭାଇ ବାଘା ଆସିଲାଣି?

ବାଘା?

ଆଶ୍ଚର୍ଯ୍ୟ ହୋଇ ମୁହଁକୁ ଚାହିଁ ରହିଥାଏ ମୁଁ !

ନାଁ, ଡେରି ହେବ ।

ଚା’ ଦୋକାନୀଙ୍କ ଉତ୍ତର ଶୁଣି କିଛି ସମୟ ନୀରବ ରହି ପଚାରିଲି, କେଉଁ ବାଘା କଥା କହୁଛନ୍ତି?

ବାଘା ଫାଷ୍ଟ ପାସେଞ୍ଜର ।

ହାୱଡାରୁ ଭଦ୍ରକ ପର୍ଯ୍ୟନ୍ତ ପ୍ରାୟ ୩୦୦ କିମି ଦୂରତା ଅତିକ୍ରମ କରୁଥିବା ଏଇ ଟ୍ରେନକୁ ବାଲେଶ୍ୱର ଜିଲ୍ଲାର ଜୀବନରେଖା କହିଲେ ଅତ୍ୟୁକ୍ତି ହେବନାହିଁ ପାଖାପାଖି ସବୁ ଷ୍ଟେସନରେ ରହି ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାଏ ବାଘା, ସାଥିରେ କଲେଜ ଛାତ୍ରଛାତ୍ରୀଙ୍କ ସାଇକେଲ, ଚାକିରିଆଙ୍କ ଭୁଜାବୁରା, ବେପାରୀଙ୍କ ଲୁଗାବୁରା ସହିତ…

କେଉଁ ମସିହାରେ ଶୁଭାରମ୍ଭ ହୋଇଥିଲା ଏ ଟ୍ରେନ୍ ସେକଥା ଖୋଜିଥିଲେ ମିଳିଥାନ୍ତା ଅବଶ୍ୟ, ହେଲେ ୧୯୧୫ ମସିହାରେ କିଛି ଯୁବକ ଏଇ ରାସ୍ତାରେ ଏକ ଦୁଃସାହସିକ ରେଳଯାତ୍ରା କରିଥିଲେ କଲିକତାରୁ ବାଲେଶ୍ୱର ଏବଂ ତା’ପରେ ଜଙ୍ଗଲ ପଥରେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାକୁ ।

ସ୍କୁଲରେ ପଢ଼ୁଥିବା ସମୟରେ କପ୍ତିପଦା ପାଖରେ ଏକ ଗାଁ’କୁ ଯାଇଥିଲି ବାପାଙ୍କ ସହ କୌଣସି ଏକ କାମରେ ଗାଁ ଲୋକଙ୍କଠାରୁ ଏକ ଜଙ୍ଗଲ ମଧ୍ୟରେ ଥିବା ଏକ ହୁଡ଼ି (ମୟୂରଭଞ୍ଜ ଜିଲ୍ଲାରେ ଛୋଟ ପାହାଡ଼କୁ ସ୍ଥାନୀୟ ଭାଷାରେ ହୁଡ଼ି/ହୁଡ଼ା ବୋଲି କୁହାଯାଏ) ବିଷୟରେ ଶୁଣିଥିଲି, ପରେ ସାଙ୍ଗ ମାନଙ୍କ ସହ ସାଇକେଲରେ ପାଖାପାଖି ୧୦/୧୨ କିଲୋମିଟର ଯାତ୍ରା କରି ମୟୂରହୁଡ଼ା ବୋଲି ଏକ ଛୋଟ ପାହାଡ଼ର ଶୀଖର ପର୍ଯ୍ୟନ୍ତ କୌଣସି ପ୍ରକାର ଚଢ଼ିଯାଇ ଗଡ଼ ଜୟ କଲାଭଳି ଆନନ୍ଦ ଅନୁଭବ କରିଥିଲି ସେତେବେଳେ ଏ ପାହାଡ଼ ପଛର ଇତିହାସ କିନ୍ତୁ ଜଣାନଥିଲା ।

ଏବେ କଥାକୁ ଇତିହାସ ଆଡ଼କୁ ଟାଣିନେବା…

୧୯୧୫ ମସିହା

ଆଗରୁ ଲେଖିଛି କିଛି ଯୁବକ ଏକ ଦୁଃସାହସିକ ରେଳଯାତ୍ରା ଆରମ୍ଭ କରିଥିଲେ କଲିକତାର ଗଙ୍ଗା ନଦୀରେ ନୌକାରେ ବସାଇ ବିଦାୟ ଦେଉଛନ୍ତି ରାମଚନ୍ଦ୍ର ମଜୁମଦାର ଏହି ଯୁବକମାନଙ୍କୁ ଓ କୋହଭରା କଣ୍ଠରେ କହୁଛନ୍ତି “ବଙ୍ଗଳାର ପ୍ରାଣ ଆଜି ଆପଣଙ୍କ ହାତରେ ଦେଇଗଲୁ” ଗଙ୍ଗା ନଦୀ ପାର ହୋଇ ଛଦ୍ମ ବେଶରେ ଚଢ଼ିଲେ ଟ୍ରେନର ସାଧାରଣ କମ୍ପାର୍ଟମେଣ୍ଟରେ ଦୁଇ ଇଂରେଜ ସିପାହୀ ଆସି ବସିଲେ ଠିକ୍ ଏ ଯୁବକମାନଙ୍କ ଦଳପତିଙ୍କ ପାଖରେ, ଯାହାକି ଅସହ୍ୟ ଥିଲା ଦେଶପ୍ରେମୀ ଯୁବକମାନଙ୍କ ପକ୍ଷରେ ହିନ୍ଦୀ, ବଙ୍ଗଳା ମିଶାଇ ଦଳପତି କହିଲେ “ଆପଣମାନେ କ’ଣ ଏ କଳା ଲୋକଙ୍କ ସହ ଘସିହୋଇ ଯାଇପାରିବେ?” ସିପାହୀ ଦୁଇଜଣ ଓହ୍ଲାଇ ପଡ଼ିଥିଲେ ଖଣ୍ଡାପୁର ଷ୍ଟେସନରେ ସହାସ ବଦନରେ ଦଳପତି କହିଲେ, “ମାତୃଭୂମିକୁ ଇଂରେଜ ଶାସନ ମୁକ୍ତ କରିବା ପାଇଁ ଆମେ ଆତ୍ମଗୋପନ କରିଛୁ ଯେଉଁ ଉଦ୍ଦେଶ୍ୟ ନେଇ ବାହାରିଛୁ ଆତ୍ମସଂଯମ ହରାଇ ତାକୁ ପଣ୍ଡ କରି ଦେଇଥାଆନ୍ତି?” ଗାଡ଼ି ପହଞ୍ଚି ଯାଇଥିଲା ବାଗନାନ୍ ଯୁବ ଦେଶପ୍ରେମୀ କିଛି ଦିନ ସେଠାରେ ରହି ପୁଣି ଟ୍ରେନରେ ବାଲେଶ୍ୱର ସହର ଭିତରେ ଖୋଲିଲା ୟୁନିଭର୍ସାଲ୍ ଏମ୍ପୋରିୟମ୍ ଲୋକଙ୍କ ନଜରରେ ଏହାର କାମ ଥିଲା ସାଇକେଲ ମରାମତି ଓ ବିକ୍ରି କେନ୍ଦ୍ର, ହେଲେ ସଞ୍ଜ ନଇଁଲେ ଆରମ୍ଭ କରୁଥିଲେ ଇଂରେଜ ଶାସନର ମୂଳୋତ୍ପାଟନର ଯୋଜନା, ସଶସ୍ତ୍ର ସଂଗ୍ରାମର ରୂପରେଖ ଆଉ ଉଇଲିୟମ୍ ଦୂର୍ଗ ଅକ୍ତିଆରର ଅବିଶ୍ୱସନୀୟ ଚିନ୍ତା

ବାଲେଶ୍ୱରରୁ କପ୍ତିପଦା, ପାଖାପାଖି ୪୫ କିଲୋମିଟର ରାସ୍ତା ନୀଳଗିରି ଓ ସଜନାଗଡ଼ର ଘଞ୍ଜ ଜଙ୍ଗଲ ମଧ୍ୟ ଦେଇ ବିପ୍ଲବୀ ଦଳ ପହଞ୍ଚିଥିଲେ ତାଙ୍କ ନୂଆ କର୍ମ କ୍ଷେତ୍ର କପ୍ତିପଦାରେ ସାଥିରେ ଥିଲେ ମଣି ଚକ୍ରବର୍ତ୍ତୀ, ଯାହାଙ୍କ ବାପା ଥିଲେ କପ୍ତିପଦା ଦେୱାନ୍ ତାଙ୍କର ସହାୟତାରେ ନିର୍ମାଣ ହେଲା ଏକ କୁଟୀର ରାମାନନ୍ଦ ସ୍ୱାମୀ ହେଲେ ଦଳପତି, ତାଙ୍କ ଚେଲା ହୋଇ ରହିଲେ ଅନ୍ୟ ବିପ୍ଳବୀ ଆଖପାଖ ଗାଁ ଲୋକଙ୍କ ପାଇଁ ଆରମ୍ଭ ହେଲା ହୋମିଓପ୍ୟାଥିକ ଚିକିତ୍ସା ଓ ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ ଛୋଟ ତେଜରାତି ଦୋକାନ ଖୁବ୍ କମ୍ ସମୟରେ ଗାଁ ଲୋକଙ୍କର ଆସ୍ଥା ଓ ବିଶ୍ୱାସ “ସ୍ୱାମିଜୀ ରାଜା”ଙ୍କ ଉପରେ ଦୃଢ଼ ହୋଇଯାଇଥିଲା ଛୋଟ ଛୋଟ ସୁବିଧା ଅସୁବିଧାରେ ମଧ୍ୟ ସରଳ ନିଷ୍ପାପ ଗ୍ରାମବାସୀମାନେ ଦୌଡ଼ି ଆସୁଥିଲେ ଗୋପାଳଡିହାର (ଗୋପାଳ ରାୟ ଥିଲା ବିପ୍ଳବୀ ନଳିନୀ କରଙ୍କ ଛଦ୍ମ ନାମ, ତାଙ୍କ ନାମ ହିସାବରେ ପରେ ଗୋପାଳଡିହା ହିସାବରେ ନାମିତ) ସେଇ କୁଟୀରକୁ, ତାଙ୍କର ଅତି ପ୍ରିୟ ରାମାନନ୍ଦ ସ୍ୱାମୀଙ୍କ ପାଖକୁ ଶ୍ରୀ ଅକ୍ଷର ବିବର୍ଜିତ ଗ୍ରାମବାସୀଙ୍କୁ କିଛି ବିପ୍ଳବୀ ପାଠଶାଳା ଖୋଲି ଲେଖାପଢ଼ା ବି ଶିଖାଇବା ଆରମ୍ଭ କରିଥିଲେ ଧୀରେ ଧୀରେ ଦେଶପ୍ରେମୀ ଯୁବକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା ମୁଖ୍ୟତଃ ଏମାନେ କଲିକତାର “ଯୁଗାନ୍ତର” ପୁରୁଣା ସହଯୋଗୀ ଥିଲେ ।

ମେଘାସନ ପର୍ବତମାଳାର ପାଦଦେଶରେ ବିସ୍ତୃତ ଜଙ୍ଗଲ ଶିମିଳିପାଳର ଅପୂର୍ବ ସୌନ୍ଦର୍ଯ୍ୟରେ ବିମୋହିତ ବିପ୍ଳବୀଗଣ ଖୋଜୁଥିଲେ ଏପରି ଏକ ସ୍ଥାନ, ଯେଉଁଠି ରହି ସେମାନେ ଲୁଚିଛପି ଗରିଲା ଯୁଦ୍ଧ କରିପାରିବେ ଡୁଭିଗଡ଼ ବୋଲି ଏକ ଚୂଡ଼ା ପସନ୍ଦ ହେଲା ବିପ୍ଳବୀଙ୍କର ଆଉ ଅନତି ଦୂରରେ ଆଉଏକ ଚୂଡ଼ା ଦୁଇଟି ମଧ୍ୟରେ ପାଖାପାଖି ୩୦ ହାତ ଦୂରତା ଆଉ ମାଟି ଓ ପଥର ନିର୍ମିତ ରାସ୍ତା ସଂଯୋଗ କରୁଥିଲା (ସ୍ଥାନୀୟ ଲୋକଙ୍କ ଧାରଣା ମରହଟ୍ଟା ଶାସନ ସମୟରେ ଏ ରାସ୍ତାର ନିର୍ମାଣ) ପାହାଡ଼ର ଚୂଡା ଥିଲା ସମତଳ, ସହସ୍ରାଧିକ ବିପ୍ଳବୀଙ୍କ ଛାଉଣୀ ସ୍ଥାପିତ କରାଯାଇପାରେ ଚତୁଃର୍ପାଶ୍ୱରେ ଗଭୀର ଖାଇ ଏବଂ ତଳେ ପ୍ରଚୁର ପାଣି ଥିବା ପୋଖରୀ ରାମାନନ୍ଦ ସ୍ୱାମୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ଏଇ ପାହାଡ଼ରେ ସମରାଭ୍ୟାସ, ଲାଠି ଚାଳନା, ଘୋଡ଼ା ଚାଳନା ଏବଂ ଆଗ୍ନେୟାସ୍ତ୍ର ନିର୍ମାଣ ଓ ବ୍ୟବହାରର ତାଲିମ । ବିପ୍ଳବୀମାନଙ୍କ ପାଇଁ ପତାକା ଆଉ ଖାକି ପୋଷାକ ମଧ୍ୟ ତିଆରି ହୋଇ ମହଜୁଦ ରହିଲା ।

ଲକ୍ଷ୍ୟ ଥିଲା “ମେଭରିକ୍” ଜାହାଜରେ ଆସୁଥିବା ଅସ୍ତ୍ର ନେଇ ବିପ୍ଳବ ଓ ବେଙ୍ଗଲ ନାଗପୁର ରେଳରାସ୍ତାକୁ ଉଡ଼ାଇବା ଓ ଟେଲିଗ୍ରାମ ତାର କାଟିବା, ଫଳରେ ଇଂରେଜ ସୈନ୍ୟବାହିନୀ କଲିକତାରେ ପହଞ୍ଚିବା ପୂର୍ବରୁ ଉଇଲିୟମ୍ ଦୂର୍ଗ ଦଖଲ ।

ହେଲେ ଅସ୍ତ୍ର କେବେ ଆସିବ ସେପର୍ଯ୍ୟନ୍ତ ହାତବାନ୍ଧି ବସିନଥିଲେ ବିପ୍ଲବୀମାନେ କୁସ୍ତି ଅଭ୍ୟାସ, ଚାଷକାମ ସହ ଗାଁ ଗାଁ ବୁଲି ରୋଗୀ ସେବା ବି ଆରମ୍ଭ ହୋଇଥିଲା ସନ୍ଧ୍ୟାରେ ଗୀତାପାଠର ଶବ୍ଦରେ ଗୋପାଳଡିହର ପରିବେଶ ହେଉଥିଲା ଆଧ୍ୟାତ୍ମିକ ମୟ

ବିପ୍ଳବୀମାନଙ୍କ ଦୈନନ୍ଦିନ ଜୀବନ ଏମିତି ଚାଲିଥିଲା ହଠାତ୍ କଲିକତାରୁ ସମ୍ବାଦ ନେଇ ପହଞ୍ଚିଲେ ଦୁଇ ଦୂତ ଖବରକାଗଜ ଫର୍ଦ୍ଦ ବଢ଼ାଇ ଦେଲେ ସ୍ୱାମିଜୀଙ୍କ ଆଡ଼କୁ ଲେଖାଥିଲା “ମେଭରିକ୍” ଜାହାଜ ଧରାପଡ଼ିଛି ଇଂରେଜମାନଙ୍କ ହାତରେ ଶାନ୍ତ ସ୍ୱରରେ କହିଲେ ସ୍ୱାମିଜୀ, “ଭୁଲ୍ କରିବାକୁ ଯାଉଥିଲୁ ଆମେ, ଭଗବାନ ଚେତାଇ ଦେଲେ, ବିଦେଶୀ ସାହାଯ୍ୟ ନେଇ ଦେଶ ସ୍ୱାଧୀନ କରିବାକୁ ଚାହୁଁଥିଲୁ; କିନ୍ତୁ ଏବେ ଦେଶ ଛିଡ଼ା ହେବ ନିଜ ଶକ୍ତିରେ ।”

ଆଉ ଏକ ଦୁଃଖଦ ଖବର ମଧ୍ୟ ଯଥାଶୀଘ୍ର ମିଳିଥିଲା, ତାହା ଥିଲା କଲିକତାରେ ହେରି ଏଣ୍ଡ ସନ୍ସ ଉପରେ ପୋଲିସ ଚଢ଼ାଉ, ଶୈଳେଶ୍ୱର ବସୁଙ୍କ ସାନଭାଇ ସେ ଘଟଣାରେ ଗିରଫ ।

“ଏଥର ଏମାନେ ୟୁନିଭର୍ସାଲ୍ ଏମ୍ପୋରିୟମ୍ ଉପରେ ଚଢ଼ାଉ କରିବେ, ଆମେ ଏଠାରେ ଜାଗତିଆର ରହିବୁ ମୁକାବିଲା ପାଇଁ”- ସ୍ୱାମିଜୀ ତାଙ୍କ ଶିଷ୍ୟଗଣଙ୍କୁ ସତର୍କ ସୂଚନା ଦେଲେ ।

“ଲଢେ଼ଇ କରି ମାରିବୁ ଏବଂ ମରିବୁ ହେଲେ ସେମାନଙ୍କ ହାତରେ ଧରାଦେବୁ ନାହିଁ ।”

‌୧୯୧୫, ସେପ୍ଟେମ୍ବର ମାସରେ ଇଂରେଜ ପୋଲିସ ଅଫିସର ଚଢ଼ାଉ କଲେ ଶୈଳେଶ୍ୱର ବସୁଙ୍କ ୟୁନିଭର୍ସାଲ୍ ଏମ୍ପୋରିଅମ୍, ତ‌ତ୍‌କ୍ଷଣାତ୍ ଗିରଫ ହେଲେ ସେ ଓ ତାଙ୍କ ସହଯୋଗୀମାନେ ତନ୍ନ ତନ୍ନ କରି ସବୁକିଛି ଖୋଜିଲା ପରେ ମିଳିଲା “ଗୋପାଲ” ନାମରେ ଦସ୍ତଖତ ଥିବା ଚିଠି, ସନ୍ଦେହ ଦୃଢ଼ିଭୂତ ହେଲା ଯେବେ ସେଥିରୁ ଜାଣିବାକୁ ମିଳଲା କପ୍ତିପଦା ବିଷୟରେ କିଛି ଖବର ପରଦିନ ସକାଳୁ ଇଂରେଜ ସୈନ୍ୟବାହିନୀ ମୁହାଁଇଲେ କପ୍ତିପଦା ଆଡ଼କୁ ।

ଅଜଣା ଆଶଙ୍କାରେ ଗାଁ ଲୋକମାନେ ଧାଇଁ ଆସିଲେ ସ୍ୱାମିଜୀଙ୍କ ପାଖକୁ ଖବର ଦେବାକୁ ସାଥିଙ୍କ ଅନୁରୋଧ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟକୁ ଆତ୍ମଗୋପନ ପାଇଁ ପଳାଇବା ଇଂରେଜ ମାନଙ୍କ ଆଖିରେ ଧୂଳି ଦେଇ, ହେଲେ ସ୍ୱାମିଜୀଙ୍କ ରୋକଠୋକ କଥା- “ତାହା ସମ୍ଭବ ନୁହେଁ”, କେମିତି ବା ସମ୍ଭବ ହୋଇଥାନ୍ତା ! ଯିଏ ୨୭ ବର୍ଷ ବୟସରେ ଏକୁଟିଆ ଲଢ଼ି ମହାବଳ ବାଘକୁ ଚିତ୍ କରିଥିଲେ, ତା’ପାଇଁ ପଛଘୁଞ୍ଚା ଦେବା କଥା ଅସମ୍ଭବ ହିଁ ଥିଲା ।

“ସମସ୍ତ ପରିକଳ୍ପନାର ଅନ୍ତ ଘଟିଛି ସମୟ ଆସିଛି ଏବେ ଦେଶ ପାଇଁ କିଛି ଆଦର୍ଶ ଛାଡ଼ି ଯିବାର ଦେଶବାସୀ ତାଙ୍କ ଆତ୍ମବିଶ୍ୱାସ ଫେରି ପାଇବେ ଆଉ ଆଗେଇ ଯିବେ ଆମର ପ୍ରଦର୍ଶିତ ବିପ୍ଳବ ପଥରେ ମନରୁ ମୃତ୍ୟୁଭୟ ପୋଛି ପକାଇବା, ଆମେ ମରିବୁ; କିନ୍ତୁ ଆମର ଛାତିର ତାଜା ରକ୍ତରେ ଜାଗିଉଠିବ ଦେଶ ମାଟି” ସ୍ୱାମିଜୀ ଓରଫ ଜ୍ୟୋତିଦା ଓରଫ ଯତୀନ୍ଦ୍ରନାଥ ମୁଖାର୍ଜୀ ଓରଫ ବିପ୍ଳବୀବୀର “ବାଘା ଯତୀନ”ଙ୍କ ଏଇ କଥାରେ, ବର୍ଷଣ ମୂଖର ରାତିରେ ଜଙ୍ଗଲ ମଧ୍ୟରେ ନିର୍ଭୀକ ବିପ୍ଳବୀମାନେ ମାଡ଼ିଚାଲିଲେ ପୁଣି ବାଲେଶ୍ୱର ଅଭିମୁଖେ, ଛତିଶ ଘଣ୍ଟା ଅଖିଆ ଅପିଆ, ପାଣିକାଦୁଅକୁ ଖାତିର ନକରି ବୁଢ଼ାବଳଙ୍ଗ କୂଳେ କୂଳେ ପହଞ୍ଚିଗଲେ ଚଷାଖଣ୍ଡ ଗାଁ ପାଖରେ ଚତୁର ଇଂରେଜ ସରକାର ସେତେବେଳେ ପ୍ରଚାର କରିଦେଇଥାନ୍ତି ବଙ୍ଗାଳୀ ଡକାୟତ ଦଳଙ୍କ ବିଷୟରେ ଆଖପାଖ ଗାଁ ଲୋକଙ୍କ ସନ୍ଦେହ ଘେରରୁ ଖସିବା ବି ସହଜ ନଥିଲା ଅସ୍ତ୍ରଶସ୍ତ୍ର ଧାରି ବିପ୍ଳବୀଙ୍କ ପକ୍ଷରେ ସରକାରଙ୍କ ପକ୍ଷରୁ ପୁରସ୍କାର ପାଇବା ଆଶାରେ ଗାଁ ଲୋକେ ଖବର ଦେଲେ ଇଂରେଜ ଅଫିସର କିଲବି ସାହେବଙ୍କୁ ପୋଖରୀହୁଡ଼ାର ଖାତ ମଧ୍ୟରେ ଆଶ୍ରୟରତ ବିପ୍ଳବୀଙ୍କୁ ଚତୁର୍ପାଶ୍ୱରୁ ଘେରିଗଲେ ଗାଁ ଲୋକ ଓ ପୋଲିସ ଦଳ ଏକ ଘଣ୍ଟା ପନ୍ଦର ମିନିଟ ଚାଲିଲା ଘମାଘୋଟ ଲଢେ଼ଇ ଇଂରେଜ ଗୁଳିରେ ଟଳିପଡ଼ିଲେ ବିପ୍ଳବୀ ଚିତ୍ତପ୍ରିୟ ରାୟ ଚୌଧୁରୀ, ଜ୍ୟୋତିଷ ପାଲ୍ ଭୀଷଣ ଆହତ, ଗୁଳି ସରିଯିବାରୁ ମନୋରଞ୍ଜନ ସେନଗୁପ୍ତ ଓ ନୀରେନ୍ଦ୍ରନାଥ ଦାସଗୁପ୍ତ ଜୀବନ୍ତ ଧରାପଡ଼ିଲେ, ଗୁଳି ମାଡ଼ରେ କ୍ଷତାକ୍ତ ବାଘା ଯତୀନ ପାଣି କାଦୁଅରେ ପଡ଼ିଥାନ୍ତି, ସାଥିଙ୍କ ଅନୁରୋଧରେ କିଲବି ସାହେବ ନିଜ ଟୋପିରେ ପାଣି ପିଆଇଲେ ବାଘାଙ୍କୁ ସଂଜ୍ଞାହୀନ ହେବା ପୂର୍ବରୁ କହିଲେ, “ମୁଁ ଆଉ ବଞ୍ଚିବି ନାହିଁ, ମୋର ଶେଷ ଅନୁରୋଧ, ମୋ ସାଥିମାନେ ନିର୍ଦୋଷ, ସେମାନଙ୍କୁ କ୍ଷମା କରିଦେବେ ।”

୧୯୧୫ ମସିହା ସେପ୍ଟେମ୍ବର ୯ ତାରିଖ,

ଇଂରେଜ ପୋଲିସ ଓ ବିପ୍ଳବୀଙ୍କ ମଧ୍ୟରେ କଥାବାର୍ତ୍ତାରୁ ଗାଁ ଲୋକଙ୍କ ବୁଝିବା ବାକି ରହିଲା ନାହିଁ ଯାହାକୁ ସେମାନେ ଡକାୟତ ଭାବି ଧରାପକାଇଥିଲେ ସେମାନଙ୍କ ପ୍ରକୃତ ପରିଚୟ ଅନୁତାପ ଦଗ୍ଧ ଗ୍ରାମବାସୀ ରାତି ୧୧ଟାରେ ଶୋଭାଯାତ୍ରାରେ ଆଣି ପହଞ୍ଚାଇଥିଲେ ବାଲେଶ୍ୱର ସରକାରୀ ଚିକିତ୍ସାଳୟରେ ବିପ୍ଳବୀମାନଙ୍କୁ ଅମର ବୀର ଚିତ୍ତପ୍ରିୟଙ୍କ ଶରୀର ପଠାଗଲା ଶବ ବ୍ୟବଚ୍ଛେଦ ପାଇଁ, ନୀରେନ୍ ଓ ମନୋରଞ୍ଜନଙ୍କୁ ପ୍ରାଥମିକ ଚିକିତ୍ସା ଦେଇ କାରାଗାରକୁ, ଜ୍ୟୋତିଷ ପାଲଙ୍କୁ ଡାକ୍ତର ହେପାଜତରେ ଛାଡ଼ି ବାଘାଙ୍କୁ ନିଆଗଲା ଅପରେସନ ଟେବୁଲକୁ ଡାହାଣ ହାତର ବୁଢା ଆଙ୍ଗୁଳି କ୍ଷତାକ୍ତ, ତଳିପେଟ ଓ ନାହି କଡ଼ରେ ଗୁଳିର କ୍ଷତ, ରକ୍ତ ବୋହି ଚାଲିଛି ହେଲେ ବୀର ବାଘାଯତୀନଙ୍କ ଚିନ୍ତା ନିଜ ଅନ୍ୟ ସାଥିଙ୍କ ପାଇଁ ପୁଣିଥରେ କିଲବି ସାହେବଙ୍କୁ ଅନୁରୋଧ ସାଙ୍ଗମାନଙ୍କୁ ଛାଡ଼ିଦେବାକୁ ।

ସେପ୍ଟେମ୍ବର ୧୦ତାରିଖ,

ଅପରେସନ ପରେ ସଂଜ୍ଞା ଫେରିଲା ବାଘାଙ୍କ, ନିଜ ଦେହରେ ଲାଗିଥିବା ପଟିକୁ ଛିଡ଼ାଇ ଗର୍ଜନ କରିଉଠିଲେ, “ମୋତେ ଫାଶୀରେ ଝୁଲାଇ ଥାଆନ୍ତ, ଗୋଟିଏ ବିପ୍ଳବୀର ରକ୍ତରୁ ଶହଶହ ବିପ୍ଳବୀ ଜନ୍ମ ନେଇ ଇଂରେଜ ଶାସନର ଦମନ ଲୀଳାରୁ ଦେଶକୁ ମୁକ୍ତ କରିବେ ବନ୍ଦେ ମାତରମ୍ ! ଭାରତ ମାତା କି ଜୟ !! ହେ ମା, ମୁଁ ତୋତେ ମୁକ୍ତ କରିପାରିଲି ନାହିଁ, ମୋତେ କ୍ଷମା କରିଦେ” କହି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ନବ ଭାରତର ହଳଦୀଘାଟ କହି ଚଷାଖଣ୍ଡ ଯୁଦ୍ଧର ବୀରତ୍ୱପୂର୍ଣ ଗାଥା ବର୍ଣ୍ଣନା କରିଥିଲେ କବି କାଜୀ ନଜରୁଲ ଇସଲାମ ତାଙ୍କ କବିତାରେ ।

ଏମିତି ଯବନିକା ପଡ଼ିଥିଲା ବାଘାଙ୍କ କଲିକତାରୁ କପ୍ତିପଦା ଯାତ୍ରାର ହେଲେ କେତେ ଗୁଡ଼ିଏ କଥା ମନକୁ ଏବେବି ଆନ୍ଦୋଳିତ କରିଥାଏ ଯଦି ସାଥିଙ୍କ ଅନୁରୋଧ ରକ୍ଷାକରି ଶିମିଳିପାଳ ଭିତରକୁ ପ୍ରବେଶ କରିଥାନ୍ତେ ତେବେ ବୋଧେ ସ୍ୱାଧୀନତା ସଂଗ୍ରାମର ରୂପରେଖ ଅଲଗା ହୋଇଥାନ୍ତା ଯଦି ଚଷାଖଣ୍ଡ ଆଖପାଖ ଗାଁ ଲୋକ ଏମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିଥାନ୍ତେ ତେବେ ବୋଧେ ସ୍ୱାଧୀନତା ପାଇଁ ୧୯୧୫ରୁ ୧୯୪୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିନଥାନ୍ତା……

ବିଦ୍ର: ଉପରୋକ୍ତ ଲେଖା ୨୦୧୬ ମସିହାରେ କପ୍ତିପଦା ଭ୍ରମଣ ସମୟରେ ଶହୀଦ୍ ବାଘାଯତୀନ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକଙ୍କ ସହ କଥୋପକଥନ ତଥା ତାଙ୍କ ଦ୍ୱାରା ପ୍ରଦତ୍ତ ବାଘାଯତୀନଙ୍କ ନାତି ପୃଥୀନ୍ଦ୍ର ନାଥଙ୍କ ବହିରୁ ଉଧୃତ ।

ବିଚ୍ଛେଦର ତିନୋଟି ଗଜଲ

(୧)
ଭଲ ଲାଗୁଥିଲା ଚାନ୍ଦନୀ ରାତି
ଭଲ ଲାଗୁଥିଲା ବର୍ଷାଭିଜା ମାଟି
ଭଲ ଲାଗୁଥିଲା ପଢିବାକୁ ପ୍ରେମ ଚିଠି
ଭଲ ଲାଗୁଥିଲା ଲୁଚାଛପା ପ୍ରୀତି
ଭଲ ଲାଗୁନାହିଁ ଏବେ ଆଉକିଛି…..😢

(୨)

ତୁମେ ସେଇ ଝିଅ ଯାହାର ଓଠ ଦିନେ
କହିଥିଲା ମୁଁ ତୁମକୁ ଭଲପାଏ….😍
ତୁମେ ସେଇ ଝିଅ ଯାହାର ଆଖି ଆଜି
କହିଲା ତୁମେ କିଏ ଆଉ ମୁଁ କିଏ…..😢

(୩)

ତୁମେ ଯେବେ ଆସିଥିଲେ ଜୀବନରେ ମୋର
ସେଦିନ ମୁଁ ହସ ଶିଖୁଥିଲି….😄
ତୁମେ ଯେବେ ଚାଲିଗଲ ଜୀବନରୁ ମୋର
ସେଦିନ ମୁଁ କାନ୍ଦ ଶିଖୁଥିଲି….😢

୨୯|୦୫|୧୯୯୮
ପୁରୁଣା ଡାଏରୀ ପୃଷ୍ଠାରୁ…..

ଅଦୃଶ୍ୟ ସମ୍ପର୍କ

ସହରର ଶେଷ ପ୍ରାନ୍ତରେ ଥିଲା ମୋ ଘର, ସହର କହିଲେ ଛୋଟ ସହରଟିଏ, ଆଠ,ଦଶ ହଜାରରୁ ଅଧିକ ଜନବସତି ନୁହେଁ ବୋଧେ। ଘରର ସାମନାରେ ମୋରମ ପଡିଥିବା ଲାଲ୍ ରାସ୍ତା, କଂକ୍ରିଟ କି ପିଚୁ ହୋଇନଥିଲା,ବୋଧେ ସରକାରଙ୍କ ରାସ୍ତା ଯୋଜନା ସବୁ ଲାଗୁହୋଇନଥିଲା ସେତେବେଳେ।ରାସ୍ତାର ଆରପଟେ ଥିଲା ସରକାରୀ ଜଙ୍ଗଲ, ଆଗରୁ ଘଞ୍ଚ ଜଙ୍ଗଲ ଥିବା କଥା ଶୁଣିଥିଲି, ସମୟକ୍ରମେ ସେସବୁ ଗଛ କଟା ହୋଇ ସ୍ଥାନୀୟ ଲୋକଙ୍କ ଘର ଓ ଆସବାବପତ୍ର ତିଆରିରେ ଲାଗିଯାଇଥିଲା, ସରକାରଙ୍କ ବନୀକରଣ ଯୋଜନାରେ ଏବେ ସେଠି ଆକାଶି ଓ ଶାଗୁଆନର କୃତ୍ରିମ ଜଙ୍ଗଲ ଟି ବଢିଉଠିଛି। ମୋ ଘରଠୁ ଶହେ ଦୁଇଶହ ମିଟର ପରେ ଏକ ମାଇଲ୍ ଖୁଣ୍ଟ ( ସେରଲେକ ହୋମ୍ସର କାହାଣୀ ପଢି ଥରେ ସେ ଖୁଣ୍ଟ ତଳେ ଗୁପ୍ତ ସୁଡ଼ଙ୍ଗ ଥିବା କଥା ମନକୁ ଆସିଥିଲା ଓ କିଛି ବନ୍ଧୁଙ୍କ ସହ ତାକୁ ଖୋଳି ସୁଡ଼ଙ୍ଗ ଖୋଜିବାର ଅପଚେଷ୍ଟା ବି ହୋଇଥିଲା) ସେଇଠୁ ଜଙ୍ଗଲ ମଝିକୁ ଯିବାପାଇଁ ପାଦଚଲା ରାସ୍ତାଟିଏ, ଠିକ୍ ସେଇ ରାସ୍ତା ପାଖରେ ଗୋଟେ ବିରାଟକାୟ ମହୁଲ ଗଛ, କେହି ସହୃଦୟ ବ୍ୟକ୍ତି ବୋଧେ ସେ ଗଛକୁ ନ କାଟି ଛାଡ଼ି ଦେଇଥିବାର ଅନୁମାନ,ଗଛର ପତ୍ରକୁ ପୋଡ଼ି ବହୁ ଥର ପାହାଡ଼ ଜଙ୍ଗଲ ଅଞ୍ଚଳର ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇଛେ, ଆଉ ଭୋରରୁ ଆସି ମହୁଲ ଫୁଲ ଗୋଟାଇବାର ଆନନ୍ଦ ଅଲଗା ପ୍ରକାରର, ଆଉ ତାପରେ ତାର ପିଠା.. ଆହାଃ…ଅବଶ୍ୟ ବହୁ ଥର ଘରଲୋକମାନେ ବାରଣ କରିଛନ୍ତି ଫୁଲ ଗୋଟାଇବା ପାଇଁ, କାରଣ, ଜଙ୍ଗଲୀ ଭାଲୁଙ୍କର ମଧ୍ୟ ଏହା ଭାରି ପସନ୍ଦ, ଅବଶ୍ୟ ମୋ ସହ କେବେ ଭେଟ ହୋଇନାହିଁ ତାଙ୍କର,କ୍ରିକେଟ ଖେଳର ନିଶା ଧରିବା ପରେ ସେ ଗଛର ଡାଳରେ ବ୍ୟାଟ ଓ ୱକେଟ ତିଆରି ମଧ୍ୟ କରାଯାଇଥିଲା,କେବେକେମିତି ବଣଭୋଜି ପାଇଁ ମଧ୍ୟ ପତ୍ର ଓ ଡାଳକୁ ବ୍ୟବହାର କରିଯିବାର ନଜିର ମଧ୍ୟ ରହିଛି। ମୋଟାମୋଟି କହିଲେ ସେ ଗଛ ସହ ଏକପ୍ରକାର ଆତ୍ମୀୟତାର ସଂପର୍କ ଗଢିଉଠିଥିଲା।
ଦିନେ ଜଣେ ସାଙ୍ଗ ଓ ତା ବଡ଼ଭାଇଙ୍କୁ କୋଦଳ ଓ କୁରାଢୀ ଧରି ସେ ରାସ୍ତାରେ ଯିବାର ଦେଖି କାରଣ ପଚାରିଲି,ଉତ୍ତର ଥିଲା ଜଙ୍ଗଲ ରାସ୍ତାରେ ସେ ଗଛ ପାଖରେ କିଛି ଜାଗା ସେମାନେ ଅକ୍ତିଆରକୁ ନେଇ ସେଠି ନିଜ ଘର ତିଆରି କରିବେ, ଆଶ୍ଚର୍ଯ୍ୟ ହୋଇ ତାଙ୍କ ସାହାସିକ କାମରେ ଯୋଗଦେଇଥିଲି ଅବଶ୍ୟ, ମାଟି ଖୋଳି କିଛି ଯାଗାରେ କଳମ ଡାଙ୍ଗରେ ବାଡ଼ ତିଆରି କରି ଯଥାଶୀଘ୍ର ଯାଗାକୁ ଘେରାଉ କରିଥିଲେ, ସମୟକ୍ରମେ ଇଟା କାନ୍ଥ ଓ ଟାଇଲି ଛପର ଘରଟିଏ ମଧ୍ୟ ଗଢିଉଠିଥିଲା ସେ ଯାଗାରେ।ସମୟ ସହ ସେ ଗଛ ସହ ଏକ ଭାବର ସଂପର୍କ ଗଢିଉଠିଥିଲା, କିନ୍ତୁ କାହାଣୀରେ ଏକ ମୋଡ଼ ଆସିଲା ଯେତେବେଳେ ସେ ଘରର ପ୍ରତିଷ୍ଠା ଉତ୍ସବ ପାଇଁ ସାଙ୍ଗର ବାପା ସେ ଅଞ୍ଚଳର ଜଣେ ବିଖ୍ୟାତ ତାନ୍ତ୍ରିକଙ୍କୁ ନିମନ୍ତ୍ରଣ କରିଥିଲେ,ଅଳ୍ପ ଉଚ୍ଚତା ଓ ବଡ଼ ବଡ଼ ଆଖି ବିଶିଷ୍ଟ ସେ ମହାଶୟ ଜଣଙ୍କ ଘର ଅଗଣାକୁ ପ୍ରବେଶ କରି ପ୍ରଥମ ବାକ୍ୟ ଉଚ୍ଚାରଣ କରିଥିଲେ: ସାବଧାନ,ସେ ଗଛରେ ଗୋଟେ ଆତ୍ମା ଅଛି…
ପ୍ରଥମ ଥର ପାଇଁ ଏମିତି କିଛି ଶୁଣୁଥିବା ମୁଁ ଓ ମୋ ବୟସର ଅନ୍ୟ ପିଲାଙ୍କ ମନରେ ଅନେକ ପ୍ରଶ୍ନ ଗଢିଉଠିଥିଲା, ତାପରେ ଖେଳର ସମୟ କମି ଏବିଷୟରେ କାହାଣୀ ଆରମ୍ଭ ହେଲା, ଘର ଲୋକଙ୍କ ତାଗିଦ ପାଇଁ ସଂଧ୍ୟା ପରେ ଗଛ ରାସ୍ତାରେ ଯିବା ପାଖାପାଖି ବନ୍ଦ ହୋଇଯାଇଥିଲା। ମୋଠାରୁ ବଡ଼ କିଛି ସାହାସୀ ପିଲା ଯେଉଁମାନେ ଖେଳ ସରିଲାପରେ ସଂଧ୍ୟାରେ ନିତ୍ୟକର୍ମ ପାଇଁ ଜଙ୍ଗଲ ମଧ୍ୟକୁ ଯାଉଥିଲେ ତାହା ମଧ୍ୟ ବନ୍ଦ କରିଦେଲେ, କିଛି ଦିନ ପରେ ତାନ୍ତ୍ରିକ ମହାଶୟ ଗଛଟିକୁ କାଟିବା ପାଇଁ ମଧ୍ୟ ଶୁଭଦିନଟି ମଧ୍ୟ ନିର୍ଘଣ୍ଟ କରିଦେଲେ, ହେଲେ ଆମ ବୟସର କିଛି ପିଲା ଓ ବୟସ୍କ ବ୍ୟକ୍ତି ଏଥିରେ ସହମତ ହୋଇନଥିଲେ କାରଣ ଏପର୍ଯ୍ୟନ୍ତ ସେମିତି କୌଣସି ଅଘଟଣ ଘଟିନଥିଲା,ହେଲେ ଗଛ ପାଖର ଘର ମାଲିକଙ୍କ ଜିଦି ଆଗରେ ସମସ୍ତେ ନରମ ପଡିଯାଇଥିଲେ ଅବଶ୍ୟ।
ଆମ ପଡିଶା ଘର ଝିଅ ଜଣେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ଭଲ ପାଠ ପଢା ପାଇଁ ସମସ୍ତେ ତାଙ୍କ ଉଦାହରଣ ଦେଉଥିଲେ, କିନ୍ତୁ ହଠାତ୍ ଦିନେ ରାତିରେ ତାଙ୍କ ଘର ଉପରକୁ ଟେକା ପଥର ବୃଷ୍ଟି ହେବାର କଥା ତାପର ଦିନ ସକାଳୁ ଜଣାପଡିଲା ପରେ ଆମ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା,ଏ କଥାକୁ ଆହୁରି ଚାଞ୍ଚଲ୍ୟକର ଭାବେ ପରିବେଷଣ କରିଥିଲେ ସେ ଗଛ ମୂଳ ଘରର ମାଲିକ, ସେ କେଉଁଠି ଏକ ନର ଖପୁରୀ, କିଛି ସିନ୍ଦୂର ଓ ଚାଉଳରେ ଗଢାହୋଇଥିବା କିଛି ଗାର ଆବିଷ୍କାର କରିଥିଲେ ଗଛ ପାଖ ତିନିଛକରେ। ଅବଶ୍ୟ ଏଘଟଣା ପରେ ସେ ପଡୋଶୀ ଝିଅର ବ୍ୟବହାରରେ ପରିବର୍ତ୍ତନ ଆସିଥିବା କଥା ଘର ଲୋକଙ୍କ ଆଲୋଚନା କରିବାର ଶୁଣିଥିଲି।
ମୋ ଟିଉସନ ଯିବା ରାସ୍ତା ଅବଶ୍ୟ ଅଲଗା ଥିଲା ହେଲେ ସେ ରାସ୍ତାରେ ଥିବା ଜଣେ ଶୁଖୁଆ ବିକ୍ରେତାଙ୍କ ଘର ଆଉ ତାଙ୍କର ପାଳିତ ଦୁଇ ଶ୍ୟାମ ବର୍ଣର କୁକୁର, ଶୁଖୁଆର ଗନ୍ଧ ଓ ଏ ଦୁଇ ଜନ୍ତୁଙ୍କ ଡର ପାଇଁ ମୁଁ ପ୍ରାୟତଃ ଅଧ କିଲୋମିଟର ବୁଲାଣି ରାସ୍ତା ମାନେ ସେଇ ଗଛ ରାସ୍ତା ହିଁ ଆପଣେଇ ଥିଲି, ବୋଧେ ଅଦୃଶ୍ୟ ଆତ୍ମା ଠାରୁ ସଦୃଶ୍ୟ ଜୀବାତ୍ମାଙ୍କ ଡର ମୋତେ ବେଶି ଲାଗୁଥିଲା।
ସରସ୍ବତୀ ପୂଜାରେ ଟିଉସନର ସାଜସଜ୍ଜାର ଦାୟିତ୍ୱ ମୋ ଉପରେ ପଡିଥିଲା, ସଂଧ୍ୟା ପୂର୍ବରୁ ସାରି ଘରକୁ ଫେରିବା ମୋର ଇଛା ଥିଲା କିନ୍ତୁ ସରୁସରୁ ରାତି ନଅ,ଘରକୁ ଫେରିବି କି ନାହିଁ ଚିନ୍ତାରେ ନେଲି ଏକ ସାହସିକ ପଦକ୍ଷେପ, ମନରେ ଡର କିନ୍ତୁ ଘରକୁ ଫେରିବା ନିଶ୍ଚିତ,କାରଣ ଘର ଲୋକଙ୍କ ବ୍ୟସ୍ତତା ଓ ତାପର ଦିନ ଶୀଘ୍ର ଉଠି ପୂଜାରେ ଅଂଶଗ୍ରହଣ କରିବାର ଅଦମ୍ୟ ଇଚ୍ଛା ସାମନାରେ ସେ ଗଛ କଥା ନଭାବି ଆରମ୍ଭ କରିଥିଲି ଚାଲିବା, କିଛି ଶହ ମିଟର ପୂର୍ବରୁ ଏକ ଘଞ୍ଜ ବାଉଁଶ ବୁଦା, ତାହା ମୂଳରେ ଏକ ବିଦ୍ୟୁତ ଖୁଣ୍ଟ, ସେଥିରେ ଲାଗିଥିବା ନିଅନ ଲାଇଟଟି ହଲିଯାଇ କେତେବେଳେ ଜଳୁଥିଲା ତ କେବେ ବନ୍ଦ ହୋଇଯାଉଥିଲା,ସେ ପର୍ଯ୍ୟନ୍ତ କୌଣସି ପ୍ରକାର ପହଞ୍ଚି ଯାଇଥିଲି, ଗଛ ପାଖରୁ କୌଣସି ଏକ ଲାଇଟ କୁହୁଡିର ବଳୟ ଭେଦକରି ମୋ ଆଡ଼କୁ ଆସୁଥିବା କଥା ଦେଖିପାରୁଥିଲି,ହୃଦୟର ଗତି ତୀବ୍ର ମାତ୍ରାରେ ବଢିଚାଲିଥିଲା,ହଠାତ୍ ଟପ୍ କରି ବାଉଁଶ ଗଛରୁ କାକାର ବିନ୍ଦୁ ପଡିଥିଲା ମୋ ମୁଣ୍ଡ ଉପରେ , ଅତର୍କିତ ଭୟରେ ଦୌଡ଼ିବା ଆରମ୍ଭ କରିଦେଇଥିଲି,ତାପରେ କଣ ହେଲା ଜଣା ନଥିଲା…
ଚେତା ଫେରିଲା ପରେ ବାପାଙ୍କ ପ୍ରଶ୍ନ…
କଣ ହେଲା?
ତୋର ଡେରି ହେବା ଦେଖି ମୁଁ ଟର୍ଚ୍ଚ ଧରି ତୋତେ ଖୋଜିବାକୁ ଯାଇଥିଲି…
ଏତେ ଶୀତରେ ତୋ ଦେହରୁ ଝାଳ ବୋହୁଛି,ଡରିଗଲୁ ନା କଣ??
ତାପର ଦିନ ସକାଳୁ ତିନି ଚାରି ଜଣ ଗଛ କଟାଳୀ ସେ ଗଛକୁ ଧରାଶାୟୀ କରିଦେଇଥିଲେ,ବାପା ଓ ସେ ଘରର ମାଲିକଙ୍କ କହିବା କଥା ଯେ ସେ ଗଛ ପାଇଁ ମୁଁ ଡ଼ରିଯାଇଥିଲି,ତେଣୁ ଗଛ କାଟିବାର ନିଷ୍ପତ୍ତି ଥିଲା ଅଟଳ…
ମନ ଦୁଃଖ ଓ କ୍ଷୋଭରେ ଭରିଯାଇଥିଲା ଯେ ଯେଉଁ ଗଛସହ ସଂପର୍କ ଅତି ନିବିଡ଼ ଥିଲା ସେ ଆଜି ମୋହରି ପାଇଁ ଭୁଲୁଣ୍ଠିତ..

ଏଘଟଣା ପରେ ଉଚ୍ଚ ଶିକ୍ଷା ପାଇଁ ସହର ଛାଡି ବାହାରକୁ ଆସିଥିଲି ଆଉ ତାପରେ କେବେକେମିତି ସହରକୁ ଗଲେ ସେ ରାସ୍ତାରେ ଯିବାର ଇଛା ଜାହିର କରିନଥିଲି,କିନ୍ତୁ କିଛି ବର୍ଷ ତଳେ କୌଣସି ଏକ କାରଣ ବଶତଃ ସେ ରାସ୍ତାରେ ଯିବା ସମୟରେ ଗାଡ଼ିର କାଚ ଖୋଲି ଦେଖିଥିଲି ସେହି ସ୍ଥାନରେ କିଏ ଜଣେ ସହୃଦୟ ବ୍ୟକ୍ତି ବର ଓ ଅଶତ୍ଥ ଗଛର ଚାରା ରୋପଣ କରିଛନ୍ତି ଏବଂ ପ୍ରଥମ ବର୍ଷାର ଆଗମନରେ ନବପଲ୍ଲବ ଅଙ୍କୁରିତ ହୋଇଥିବା ଦେଖି ଦୀର୍ଘ ନିଶ୍ଵାସ ଛାଡିଥିଲି।

ଅନ୍ୟ ଏକ ମିରା…

ମା…ଏ ମା….କଣ ହେଲା ବାପା?ତଳକୁ ଆସ,କିଏ ଜଣେ ବାବୁ ଆସିଛନ୍ତିକଣ କାମ..?ଆରେ ତାଙ୍କ ଝିଅକୁ ନାଚ ଶିଖାଇବା ପାଇଁ କଥା ହେବେ… ମୋହନ ବାବୁ ଆପଣ ବସନ୍ତୁ, ଝିଅ ଆସୁଥିବ…ମୋହନ… 🤔ଆଗକୁ ବଢ଼ିଥିବା ପାଦଦୁଇଟି ମିରାର ହଠାତ ଅଟକି ଗଲା…. ଫ୍ଲାସବ୍ୟାକରେ ଗଲାପରି କିଛିକ୍ଷଣ ନୀରବ ହୋଇଗଲା,ଏ ଆଉ ସେଇ ମୋହନ ନୁହେଁତ?? ଭାବନା ରାଇଜରେ କିଛି ସମୟ ପାଇଁ ମନେପକାଇବାକୁ ଚେଷ୍ଟା କଲା ତାଙ୍କ ମୁହଁ… 🤔ଆରେ ଏତେ ସମୟ କଣ ଲାଗୁଛି,ବାପାଙ୍କ ଡାକରେ ମିରା ପୁଣି ବର୍ତ୍ତମାନକୁ ଫେରିଆସିଥିଲା..ନମସ୍କାର ଆଜ୍ଞା… 🙏ଛୋଟ ଛୋଟ ନିଶ ଦାଢୀ ରଖିଥିବା ବ୍ୟକ୍ତି ଜଣକ କଣ ମୋହନ… ନମସ୍କାର କହି ଯେତେବେଳେ ଆଖି ମିଶିଲା… ଏଇ ତ ସେଇ ଆଖି… ତାକୁ କଣ ଏତେ ଶୀଘ୍ର ଭୁଲିପାରିବ ମିରା? ଯେଉଁ ଆଖିରେ ଦିନେ ସେ ଅନେକ ସ୍ବପ୍ନ ଦେଖିଥିଲା, ଯେଉଁ କଥାକୁହା ଆଖିକୁ ଅନାଇ ସେ ଦିନେ ନିଜ ମନର କଥା କହିଥିଲା… କିନ୍ତୁ ମୋହନ କଣ ଚିହ୍ନିପାରିଲେ ? ନାଁ…ବୋଧେ… କେମିତି ଭୁଲିଗଲେ ସେ ମିରାକୁ,ଶେଷ ଦେଖା ବାର ବର୍ଷ ତଳେ କଲେଜରେ। ଇଂଜିନିୟରିଂ ସରିଲା ପରେ କୋୖଣସି ଏକ କାମରେ ମୋହନ ଯାଇଥାଏ କଲେଜ, ଡିପାର୍ଟମେଣ୍ଟର ସାରମାନଙ୍କୁ ଦେଖାକରି ଯେବେ ଅଫସରୁ ବାହାରୁଛି ହଠାତ ତା ସାମନାକୁ ଦୌଡ଼ି ଆସିଥିଲା ମିରା…😢 କାନ୍ଦି କାନ୍ଦି ପ୍ରଥମ ପ୍ରଶ୍ନ କଲା… କାହିଁକି ସେଦିନ କାହାକୁ କିଛି ନକହି ରୁମ ଛାଡି ଚାଲିଯାଇଥିଲେ…? ଅପ୍ରତ୍ୟାଶିତ ମିରାକୁ ଭେଟିବ ବୋଲି ଆଶା କରୁନଥିଲା ମୋହନ ସିଏବି ନିଜ କଲେଜରେ ଆଉ ନିଜ ଡିପାର୍ଟମେଣ୍ଟରେ, ଉତ୍ତର କଣ ଦେବ ଭାବୁଥାଏ 🤔ଆଗରୁ ବହୁତ ଚେଷ୍ଟା କରିଛି ମିରାକୁ ବୁଝାଇବା ପାଇଁ ହେଲେ ସେ କାହିଁକି ବୁଝିବ,ବାପା ମାର ଏକମାତ୍ର ଝିଅ, ବାପା ତାଙ୍କର ଆର୍ମିରେ ଡାକ୍ତର, ରୁହନ୍ତି ମିଜୋରାମରେ,କେଉଁ କଥାରେ ସେ ମିରାକୁ ମନାକରି ନାହାନ୍ତି, କିନ୍ତୁ ସବୁକଥାରେ ତାର ଜିଦି… ଆରେ ମୋହନ… ତମକୁ ସାର ଡାକୁଛନ୍ତି, ପଛରୁ ଦୀପକ ସାରଙ୍କ ପାଟି ଶୁଣି, ମୁଁ ଆସୁଛି କହି ମୋହନ ଚାଲିଯାଇଥିଲା ମିରାର ପ୍ରଶ୍ନର ଊତ୍ତର ନଦେଇ…..ମୋହନ ସେତେବେଳେ ନୂଆକରି ଇଂଜିନିୟରିଂ ପଢିବାକୁ ରାଜଧାନୀକୁ ଆସିଥାଏ,ସାଙ୍ଗ ମାନଙ୍କ ସହ ରୁମ ଗୋଟେ ଭଡ଼ା ନେଇ ରହୁଥାଏ,ଖୁବ୍ କମ୍ ସମୟରେ କଲୋନୀର ସମସ୍ତଙ୍କ ସହ ଭଲ ଚିହ୍ନାପରିଚୟ ହୋଇଯାଇଥିଲା,କ୍ରିକେଟ ଖେଳ ଓ ଚିତ୍ର ଆଙ୍କିବା ଏ ଦୁଇଟି ତାର ମୂଖ୍ୟ କାମ..କଲୋନୀର ପ୍ରାୟ ସବୁ ଛୋଟ ପିଲାଙ୍କୁ ସ୍କୁଲ ପାଇଁ ଚିତ୍ର ଆଙ୍କିବାରେ ସାହାଯ୍ୟ କରେ ସେ..ଦିନେ କଲେଜରୁ ଫେରି ମୋହନ ଶୋଇଥାଏ, କଲିଂ ବେଲର ଘଣ୍ଟିରେ ନିଦ ଭାଙ୍ଗିଲା, କିଏ ବୋଲି ପଚାରି ଯେବେ କବାଟ ଖୋଲେ ଦେଖିଲା ପାଖ ସ୍କୁଲର ଝିଅଟିଏ, ଖାତା ଖଣ୍ଡେ ଆଗକୁ ବଢାଇ କହିଲା ମୋ ସ୍କୁଲ ପ୍ରୋଜେକ୍ଟ ପାଇଁ କିଛି ଚିତ୍ର ଆଙ୍କିଦେବେ? ହଁ କହି ନିଦ ବାଉଳାରେ କବାଟ ବନ୍ଦ କଲା, ଖାତାର ଭିତର ଫର୍ଦ୍ଦ ଓଲଟେଇ ଦେଖିଲା ନାଁ ମିରା,ନାଇନ୍ଥ ଷ୍ଟାଣ୍ଡାର୍ଡ। ତାପର ଦିନ ଯେତେବେଳେ ଖାତା ନେବାକୁ ଆସିଲା କିଛି ନ କହି ଖାତା ନେଇ ଚାଲିଗଲା, ମହୋନ ଭାବୁଥାଏ ଅଜବ ଝିଅ? ଥାଙ୍କ ୟୁ ବି କହିଲାନି…ଦିନେ ସଂଧ୍ୟାରେ ସାଙ୍ଗ ମାନଙ୍କ ସହ ପାହାଡ଼ ଉପରେ ଥିବା ମନ୍ଦିର ପାଖରେ ମୋହନ ଖଟି କରୁଥାଏ, ଝିଅଟିଏ ସ୍କୁଟିରେ ଆସି ପହଞ୍ଚିଲା,ସିଧା ମୋହନ ଆଗରେ ପହଞ୍ଚି କହିଲା ମୋତେ ସେ ଚିତ୍ର ପାଇଁ ସ୍କୁଲରୁ ବହୁତ ପ୍ରଶଂସା ମିଳିଛି, ଏଇ ନିଅ ଚକଲେଟ, ପୁଣି ଗାଡ଼ି ଷ୍ଟାର୍ଟ କରି ଚାଲିଲା। ଆଶ୍ଚର୍ଯ୍ୟ…… ସାଙ୍ଗ ମାନଙ୍କ ଟାପରା ଶୁଣି ଫେରି ଆସିଥିଲା ରୁମକୁ, ଭାବିଥିଲା କେମିତି ଝିଅ ଖଣ୍ଡେ ଚିତ୍ର ପାଇଁ ଥାଙ୍କ ୟୁ ନାହିଁ ଚକଲେଟ !! 🍬🤔କିଛି ଦିନ ପରେ ହଠାତ ଦିନେ ମୋହନ ମିରାକୁ ଫୁଲ ଦୋକାନରେ ଦେଖିଲା,🌹ଗୋଲାପ କିଣୁଥିବା ମିରା ହସିଦେଇ ହାଏ କହି ଚାଲିଯାଇଥିଲା ଆଉକିଛି କଥା ହେବା ଆଗରୁ। ଗୋଲାପ କିଣୁଛି କାହାପାଇଁ ପ୍ରଶ୍ନର ଉତ୍ତର ପାଇଁ ମିରାକୁ ଫଲୋ କରି ଯାଇ ପହଞ୍ଚି ଥିଲା ଏକ ବସ୍ତିରେ,ସେଠି ଥିବା ଛୋଟ ଛୋଟ ପିଲାଙ୍କୁ ଗୋଲାପ ବାଣ୍ଟୁଥିବା ଦେଖି ମୋହନ ଆଶ୍ଚର୍ଯ୍ୟ ହୋଇଗଲେ।ଏଠି କଣ ? ମୋ ପିଛା କରୁଥିଲେ..ହା ହା… ନାଇଁ… ମୁଁ…ହଉ ମୁଁ ଚାଲିଲି…ବାଏ… କହି ଚାଲିଯାଇଥିଲା ମିରା।ଏମିତି ପ୍ରାୟ ଅନେକ ଚିତ୍ର ଆଙ୍କି ଦେଇଥିଲା ମିରା ପାଇଁ, ଆଉ ଧିରେ ଧିରେ ମିରା ବି ମୋହନ ରୁମକୁ ଆସିବା ଆରମ୍ଭ କରିଦେଇଥିଲା,କେବେ ଚିତ୍ର ପାଇଁ ତ କେବେ କେଉଁ ବିଷୟରେ ଡାଉଟ କ୍ଲିୟର ପାଇଁ,ଆସ୍ତେ ଆସ୍ତେ ଦୁଇଜଣଙ୍କ ଭିତରେ ଏକ ବନ୍ଧୁତାର ସଂପର୍କ ଗଢିଉଠିଥିଲା। ହେଲେ ମୋହନକୁ ଏସବୁ ଭଲ ଲାଗୁନଥାଏ,ଝିଅ ଜଣେ ରୁମକୁ ଆସୁଛି, କିଏ କଣ ଭାବିବ..କିଏ କଣ କହିବ.. ଥରେ ସାହସ କରି ମିରାକୁ କହିଲା,କିନ୍ତୁ ମିରାର ରୋକଠୋକ ଜବାବ ଯାହା କହିବେ ମୋତେ କହିବେ ତମର କଣ ? ମୁଁ ଆସିବି ତମ ରୁମକୁ.. ଅଜବ ଅବୁଝା ଝିଅ ଖଣ୍ଡେ… ସେଦିନଠାରୁ କେବେ କିଛି କହିନାହିଁ,ବନ୍ଧୁତାର ସୁତା ମଜବୁତ ହୋଇଚାଲିଥାଏ,ଥଟ୍ଟା ମଜା ହସଖୁସିରେ ସମୟ ବିତି ଚାଲିଥିଲା… ଦିନେ ସକାଳୁ କଲେଜ ଯିବା ପାଇଁ ମୋହନ ପ୍ରସ୍ତୁତ ହେଉଥାଏ ହଠାତ ମିରା ପହଞ୍ଚି ଯାଇ ଗୋଲାପ ଫୁଲ ଓ କାର୍ଡ ଦେଇ କହିଲା ଖୋଲି ପଢିବ..💐ଆଜି କଣ କିଛି ସ୍ପେଶାଲ? ଓହୋ ଭାଲେଣ୍ଟାଇନ ଡେ ପରା,ହେଲେ ଏସବୁ କଣ ? ତମେ ପଢ ଆଗ,ମୁଁ ସ୍କୁଲ ଯାଉଛି ଆସିଲେ କଥା, ରାସ୍ତା ଯାକ ମିରା ମନରେ ଅସରନ୍ତି ପ୍ରଶ୍ନ ଆଉ ଉତ୍ତର। କାର୍ଡ ଖୋଲି ପଢିଥିବେ? ହଁ… କଣ ଭାବୁଥିବେ ? ଭାବୁଥିବେ କି ପାଗଳୀ ଝିଅ…ହେ… କଣ ମୋତେ ମନାକରିବେ?? ନା… ସ୍କୁଲ କାନ୍ଥଘଣ୍ଟାର କଣ୍ଟା ଆଜି ବହୁତ ଧୀରେ ବୁଲୁଛି, ଗାଡ଼ି ଛୁଟାଇ ମିରା ପହଞ୍ଚିଲା ମୋହନ ରୁମ ସାମନାରେ, ଏ କଣ,ତାଲା ପଡିଛି? କଲେଜରୁ ଫେରି ନାହାନ୍ତି ? ଏକ୍ସଟ୍ରା କ୍ଲାସ୍?? ସଂଧ୍ୟା ୭, ଏପର୍ଯ୍ୟନ୍ତ ଦେଖାନାହିଁ? ନିଦ ବା କେମିତି ଆସିବ,ସକାଳୁ ଯାଇ ମୋହନ ରୁମର ବେଲ୍ ଚିପିଲା ମିରା,ହେଲେ ଏ କଣ କବାଟ ଖୋଲୁନାହାନ୍ତି କେହି? ମୋହନର ସାଙ୍ଗ ଜଣେ କବାଟ ଖୋଲିଲା, ମୋହନ କାହାନ୍ତି ? ବ୍ୟାଗ ପ୍ୟାକ୍ କରି ସକାଳୁ ଯାଇଛି ଏଯାଏଁ ଫେରିନି… ହେଲେ କାହିଁକି….?? ଏ ପ୍ରଶ୍ନର ଉତ୍ତର ପାଇଁ ଏପର୍ଯ୍ୟନ୍ତ ଅପେକ୍ଷା କରିଛି ମିରା…… ମିରାର କାର୍ଡ଼ ପଢି ମୋହନର ମନରେ ଥିଲା ଅନେକ ପ୍ରଶ୍ନ ଆଉ କିଛି ର ଉତ୍ତର। ମିରା କଣ ସତରେ ତାକୁ ଭଲପାଏ? ନହେଲେ ଲେଖିଥାନ୍ତା କାହିଁକି? ହେଲେ ସେ କଣ ମିରାକୁ ଆପଣାର କରି ପାରିବ? ଏତେ ବଡ ଘରର ଏକମାତ୍ର ଝିଅ, ତାର ସମକକ୍ଷ କଣ ସେ ହୋଇପାରିବ? ଦଶମ ଶ୍ରେଣୀ ହେଲା ଏବର୍ଷ, ପିଲାଳିଆମିରେ ଏମିତି କରିନାହିଁ ତ? ଆଗକୁ ଶେଷ ପରୀକ୍ଷା ତାର, କ୍ୟାମ୍ପସ ସିଲେକସନ୍ ଅଛି କିଛି ଦିନ ପରେ,ଯଥାଶୀଘ୍ର ଚାକିରୀ ଖଣ୍ଡେ ପାଇବା ତାର ଅଦମ୍ୟ ଇଚ୍ଛା,ପରିବାରର ବଡ଼ପୁଅ ସେ,ସମସ୍ତଙ୍କ ଆଶା ତାରି ଉପରେ, ଆଉ ସେ ଯଦି ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେବ ତାହେଲେ ତା ଉପରେ ଆଶା ରଖିଥିବା ପରିବାରକୁ କଣ କହିବ? ନା….ପ୍ରେମ ପାଇଁ ତା ପାଖରେ ସାହସ ନାହିଁ, ହେଲେ ମିରାକୁ କଣ କହିବ?? ଏମିତି ସେ ଅବୁଝା,ସବୁ କଥାରେ ଜିଦ,ତା କଥା କଣ ବୁଝିବ? ନା…. ମିରାର ପ୍ରେମ ଓ ନିଜ ପରିବାରର ଲୋକଙ୍କ ଆଶାକୁ ନିଜ ହୃଦୟ ନିକିତିରେ ତଉଲିବାକୁ ଲାଗିଥିଲା ମୋହନ, ବୋଧେ ଦ୍ବିତୀୟ ଟା ଭାରି ଲାଗିଥିଲା, ସେଥିପାଇଁ ପଳାତକ ସାଜିବାକୁ ଠିକ୍ ଭାବିଥିଲା.. ବାପା… ବାପା.. ମୋ ପାଇଁ ଚିତ୍ର ଆଙ୍କିଦେବ? ତମେ ଭଲ ଚିତ୍ର ଆଙ୍କ ବୋଲି ଆମ ନାଚ ଦିଦି କହୁଥିଲେ.. ୧୫ ବର୍ଷ ଧରି ରଙ୍ଗ ତୁଳୀ ଧରିନଥିଲା ମୋହନ,ଭାବନା ରାଇଜକୁ ଚାଲିଯାଇଥିଲା ଝିଅର ପ୍ରଶ୍ନ ଶୁଣି, ମିରା କଣ ଏପର୍ଯ୍ୟନ୍ତ ଅପେକ୍ଷା କରିଛି ତା ପ୍ରଶ୍ନର ଉତ୍ତର ପାଇଁ??