ବଡ଼ ଫ୍ରେମର ଚଷମା

୯୮ ମସିହାରେ ଯେତେବେଳେ ଯୋଗଦିଏ କଳିଙ୍ଗ ପଲିଟେକ୍ନିକରେ ପଢିବା ପାଇଁ, ସହରରେ ନୂଆ, ଶିକ୍ଷାନୁଷ୍ଠାନରେ ନୂଆ ତେଣୁ ଏକ ଅଜଣା ଭୟ ମନରେ ପଶିଗଲା କିନ୍ତୁ ଯେବେ ନୂଆ କ୍ୟାମ୍ପସ (ନଂ ୩)ରେ କ୍ଲାସ୍ ଆରମ୍ଭ ହେଲା ଗେଟ୍ ପାଖରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ସବୁଦିନେ ଭେଟୁଥିଲି,କିଛି କଥାବାର୍ତ୍ତା ନଥିଲା  ସେ ଖାଲି ସେଠି ଛିଡ଼ା ହୋଇ ସବୁ ଛାତ୍ରଛାତ୍ରୀଙ୍କ ଆଡ଼କୁ ଏକ ଅଭିଭାବକର ଲକ୍ଷ୍ୟରେ ଅନାଇ ରହୁଥିଲେ। ବଡ଼ ଫ୍ରେମର ଚଷମା ପରିହିତ ତାଙ୍କର ଆଖି ସବୁବେଳେ କଲେଜ ପରିସରର ଘଟଣା ଉପରେ ତିକ୍ଷ୍ଣ ନଜର ରଖିଥିଲା।

ଅନେକ ଦିନ ପରେ ଥରେ ଘରୁ ଟିଉସନ ଫି ଆସିବା ବିଳମ୍ବ ହେବାରୁ କଣ କରିବି ଭାବି ନପାରି ଯେତେବେଳେ ଆଡମିନଷ୍ଟ୍ରେଟରଙ୍କ ଅଫିସକୁ ସମୟ କିଛି ମାଗିବା ପାଇଁ ଗଲି ପ୍ରଥମ କଥାବାର୍ତ୍ତା ସେଇଠି ତାଙ୍କ ସହିତ।ଅତି ପରିଚିତ ଭଳି କଥାବାର୍ତ୍ତା ଆରମ୍ଭ କରି ସବୁ ଅସୁବିଧା ବୁଝି ସାନ୍ତ୍ବନା ଦେଇଥିଲେ, କଥାବାର୍ତ୍ତାରୁ ଜାଣିଲି ଘର ତାଙ୍କର ଭଦ୍ରକ, ବାପାଙ୍କ ପ୍ରଥମ ଚାକିରି ଭଦ୍ରକ କହିଲି ଯେତେବେଳେ ସେ କେଉଁ ବିଭାଗ କଣ ପଦବୀ ଇତ୍ୟାଦି ପଚାରି ମୋର ଆର୍ଥିକ ଅବସ୍ଥାର ଆକଳନ ଅରି ନେଇଥିଲେ। ଓଡ଼ିଶା ପ୍ରଶାସନିକ ସେବାରୁ ଅବ୍ୟାହତି ନେଇଥିବା ତାଙ୍କୁ ସେ ସମୟରେ ସରକାରୀ ଚାକିରିଆଙ୍କ ଦରମା ମିଳିବାରେ ଅସୁବିଧା କଥା ଭଲ ଭାବେ ଜ୍ଞାତ ଥିଲା ତେଣୁ ସମବେଦନା ଜଣାଇ ସବୁବେଳେ କହୁଥିଲେ ଯେବେ ଘରୁ ପଇସା ଆସିବ ସେବେ ଦେଲେ ଚଳିବ। ଆଜିବି ଅନେକ ବର୍ଷ ପରେ କେ କେ ସାର୍( ଏଇ ନାମରେ ସାରା କଲେଜରେ ପରିଚିତ ଥିଲେ)ଙ୍କ ସେ ସମୟର ସାହାଯ୍ୟ କଥା ମନେ ପଡିଲେ ହୃଦୟ କୋହରେ ଭରିଯାଏ,ଶେଷ ବର୍ଷ ପରୀକ୍ଷାର ଫର୍ମ ଫିଲପର ଶେଷ ଦିନ, ବାପା ରାତି ବସ୍ ରେ ଗାଁରୁ ଆସି ପହଞ୍ଚିଲେ ବ୍ୟାଙ୍କ ଡ୍ରାଫ୍ଟ ନେଇ କିନ୍ତୁ ଭୁଲରେ ଡ୍ରାଫ୍ଟ ବଦଳରେ ବ୍ୟାଙ୍କ ରିସିପ୍ଟ ନେଇ ଆସିଥିଲେ, କଣ କରିବି କିଂକର୍ତ୍ତବ୍ୟମୂଢ଼ ହୋଇ ଦୌଡ଼ିଲି ସେଇ କେକେ ସାରଙ୍କ ପାଖକୁ, ମୋ ଝାଳନାଳ ଅବସ୍ଥା ଦେଖି ଅଧା ଘଟଣା ସେ ବୁଝି ସାରିଥିଲେ, କହିଲେ ପରୀକ୍ଷା ଦିଅ ମୁଁ ଦେଖିବି,ବାସ୍ ଏଇ ଦି ପଦ କଥାରେ ମନରେ ସାହାସ ଆସିଯାଇଥିଲା। କିଛିଦିନ ପରେ ଯେବେ ଘରୁ ସ୍ପିଡ଼ ପୋଷ୍ଟରେ ପଇସା ଆସିଲା ସଞ୍ଜ ୫ ପୂର୍ବରୁ ଯାଇ ତାଙ୍କୁ ପଇସା ଦେଇ ଆସିଲି କହିଲେ ଆରେ ବ୍ୟସ୍ତ ହେବାର ନାହିଁ,ମନ ଦେଇ ପଢାପଢି କର କେବଳ।

ଶେଷ ପରୀକ୍ଷା ଦିନ ଜଣେ ବନ୍ଧୁଙ୍କ ଦୂର୍ଘଟଣା ହୁଏ,ଦୌଡ଼ି ଯେତେବେଳେ ତାଙ୍କୁ ଜଣାଇଲି କହିଲେ ତମେ ପରୀକ୍ଷା ହଲ୍ କୁ ଯାଅ ସେ ପିଲା କଥା ମୁଁ ବୁଝୁଛି,ପରୀକ୍ଷା ହଲ୍ ରୁ ବାହାରି ଯେବେ ତାଙ୍କୁ ଭେଟିଲି କହିଲେ ” ଚିନ୍ତା କରନା, ସିଏ ଠିକ୍ ଅଛି, କଳିଙ୍ଗ ହସପିଟାଲରେ ତାର ଅପରେସନ ବି ସରିଛି”

ଆଖିରେ ଲୁହ ଓ ହୃଦୟରେ କୋହରେ ତାଙ୍କ ପାଦ ଛୁଇଁ ଆସିଥିଲି ଯେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ଭେଟ ହେବାର ସୁଯୋଗ ମିଳିନଥିଲା।

କିଛିବର୍ଷ ପୂର୍ବରୁ ଥରେ କଲେଜ ଯାଇଥିଲି କିନ୍ତୁ ସମୟ ଅଭାବରୁ ତାଙ୍କ ସହ ଭେଟିବା ସମ୍ଭବପର ହୋଇନଥିଲା, ଯେତେବେଳେ ତାଙ୍କ ସ୍ବର୍ଗବାସର ଖବର ମିଳିଲା ମନ ଭାରାକ୍ରାନ୍ତ ହୋଇଯାଇଥିଲା।ଅତି ପରିଣତ ବୟସରେ ବି କଲେଜ ପରିସରସ୍ଥ ଜଗନ୍ନାଥ ମନ୍ଦିରର କାର୍ଯ୍ୟର ତଦାରଖ କରି ଜଣେ ପ୍ରକୃତ କର୍ମଯୋଗୀର ଉଦାହରଣ ସମସ୍ତଙ୍କ ଆଗରେ ରଖିଯାଇଛନ୍ତି।

ଅଶୃଳ ଶ୍ରଦ୍ଧାଞ୍ଜଳି କେକେ ସାର୍ 🙏

ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ….

ବିଗତ ଶତାବ୍ଦୀର ଶେଷ ବର୍ଷ ବୋଧହୁଏ, ଉଚ୍ଚଶିକ୍ଷାପାଇଁ ଗାଁ ଛାଡ଼ି ଯେବେ ସହରକୁ ପ୍ରଥମଥର ପାଇଁ ଆସିଥାଏ,ବିନା କୌଣସି ନୂଆ ସାଙ୍ଗସାଥିଙ୍କ କଲେଜ ଜୀବନର ପ୍ରଥମବର୍ଷ ଯେମିତିସେମିତି କଟିଗଲା,ସ୍ବଭାବରେ ଅନ୍ତର୍ମୂଖୀ ହୋଇଥିବାରୁ ସାଧାରଣତଃ କାହା ସହିତ ଏତେଶୀଘ୍ର ମିଶି ପାରୁ ନଥାଏ,ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ ଦିନେ ଥରେ ବସ୍ ଫେଲ ହେବାରୁ ଘରକୁ ଚାଲିଚାଲି କିଛି କିମି ଯିବାକୁ ଆରମ୍ଭ କରିଛି କେହି ଜଣେ ପଛରୁ ଇଂରାଜୀରେ କହିଲେ ମୋ ସାଇକେଲରେ ଆସି ପାରନ୍ତି, ପଛକୁ ବୁଲି ଦେଖେ ଦ୍ୱିତୀୟ ବେଞ୍ଚରେ ବସୁଥିବା ତଥା କ୍ଲାସରେ ସବୁଠାରୁ ଅଧିକ କଥାବାର୍ତ୍ତା କରୁଥିବା ପିଲାଟି,ସ୍ବାଭାବିକ ଭାବେ ଧନ୍ୟବାଦ କହି ମୁଁ ଚାଲିବାକୁ ପୁଣି ଆରମ୍ଭ କରିଛି ସିଏ ବି ସାଇକେଲରୁ ଓହ୍ଲାଇ ” ଚାଲିବା ସ୍ବାସ୍ଥ୍ୟ ପକ୍ଷେ ହିତକର” କହି ସାଥିରେ ଚାଲିବା ଆରମ୍ଭ କରିଥିବା ପିଲାଟି ସହ ଏପର୍ଯ୍ୟନ୍ତ ବି ଅତୁଟ ବନ୍ଧୁତା ବଜାୟ ରଖି ସୁଖଦୁଃଖରେ ସାଥିରେ ଚାଲିଛୁ।
ହଠାତ ଦିନେ ତାଙ୍କ ଘରକୁ ଭଣଜା ଜନ୍ମଦିନ ପାଳନ ପାଇଁ ନିମନ୍ତ୍ରଣ ଦେଇ ମୋତେ ଅତି ଅପ୍ରୀତିକର ପରିସ୍ଥିତିରେ ପକେଇ ଦେଇଥିଲେ,ସମ୍ପୂର୍ଣ୍ଣ ନିରାମିଷାଶୀ ହୋଇଥିବାରୁ ପିଲାଟି ଦିନରୁ ଅତି ନିକଟ ସମ୍ପର୍କୀୟଙ୍କୁ ଛାଡି ଅନ୍ୟ କାହା ଘରକୁ ଭୋଜି କିମ୍ବା ଉତ୍ସବ ପାଳନ ପାଇଁ ଯିବା କଥା ହେଲେ ଶହେଥର ଭାବୁଥିଲି ,ହେଲେ ବନ୍ଧୁଙ୍କ ଅନୁରୋଧ ଏଡାଇ ନପାରି ଯାଇ ଯେତେବେଳେ ପହଞ୍ଚି ଥିଲି ତାଙ୍କ ଦ୍ବୀତଳ ପ୍ରାସାଦରେ,ପ୍ରଥମେ ପରିଚୟ ଯାହାଙ୍କ ସହ ହୋଇଥିଲା ସେ ହାତରେ ସିଗାରେଟ ଖଣ୍ଡେ ଧରି,ଆଖିରେ ଚଷମା ପିନ୍ଧି କୌଣସି ଏକ ଇଂରାଜୀ ଉପନ୍ୟାସ ପଢି଼ବାରେ ମଗ୍ନ ଥିଲେ,ପାଖ ଛୋଟ ଟେବୁଲରେ ଚାହା କପ୍ ଆଉ ଯେଉଁ ସୋଫାରେ ବସିଥିଲେ ତାପଛରେ ଅନେକ ଇଂରାଜୀ ଲେଖକଙ୍କ ବହିସବୁ ଅତି ସୁନ୍ଦର ଭାବରେ ସଜାହୋଇଥିବା ବୁକ୍ ସେଲ୍ଫ। କାନ୍ଥରେ ଲାଗିଥିଲା ଏକ ତୈଳଚ୍ଚିତ୍ର ଯାଜପୁର ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବିପିନ ବିହାରୀ ମହାନ୍ତିଙ୍କ,ସତ କହିବାକୁ ଗଲେ ପ୍ରଥମ ପରିଚୟରେ ଲାଗିଥିଲା ସିଏ ଯେମିତି ଏକ ନିଆରା ବ୍ୟକ୍ତିତ୍ୱ। ଏକଥା ଶତ ପ୍ରତିଶତ ସତ ପ୍ରମାଣିତ ହେଲା ଯେବେ ତାଙ୍କ ଘର ସହ ସମ୍ପର୍କ ବଢ଼ିବାରେ ଲାଗିଲା।୬୦/୭୦ ଦଶକରୁ ମୁକ୍ତିଲାଭ କରିଥିବା ସମସ୍ତ ହିନ୍ଦୀ ଚଳଚ୍ଚିତ୍ରର ସଂଗୀତର କ୍ୟାସେଟ୍ ସଂଗ୍ରହର ସଉକ ହେଉ, ବହି ପଢିବାର ଅଭ୍ୟାସ କିମ୍ବା ପୁରୁଣା ହିନ୍ଦୀ ସିନେମା ଦେଖିବାର ଇଛା,ସବୁକିଛି ମୋ ପସନ୍ଦ ସହିତ ତାଳମେଳ ଖାଉଥିଲା। ଅନେକଥର ତାଙ୍କ ଘରକୁ ଯିବା ପଛରେ ଉଦ୍ଦେଶ୍ୟ ଥିଲା ମାଉସୀଙ୍କ ସ୍ନେହବୋଳା କଥା କେଇପଦ,ମଉସାଙ୍କର ଥଟ୍ଟାମଜାରେ ବି ଅନେକ ଶିଖିବାର କଥା ,ଦୀପୁଭାଇ,କାଳିଆ ଭାଇ,ଅରୁଦିଦି ଆଉ ଲକି ଓ ଲାକିଦେଇଙ୍କ ରୂପରେ ବଡ଼ଭାଇ ଓ ଭଉଣୀମାନଙ୍କ ଭଲପାଇବା ତାଛଡ଼ା ଅତି ଘନିଷ୍ଠ ବନ୍ଧୁଙ୍କ ସାନିଧ୍ୟ ଏବଂ ପରିଶେଷରେ ରାତ୍ରିଭୋଜନରେ ନିରାମିଷାଶୀ ଖାଦ୍ୟ। ସତ କହିବାକୁ ଗଲେ ରାତ୍ରିଭୋଜନରେ ପରିବାରର ସମସ୍ତ ସଦସ୍ୟ ସାଥିରେ ବସି ଖାଇବା ସମୟରେ ହେଉଥିବା ମଜାଳିଆ ଆଲୋଚନା ଦିନ ଯାକର ସମସ୍ତ ଥକାପଣକୁ ଦୂର କରିପାରୁଥିଲା।
ଏମିତି ଅନେକ ସ୍ମୃତିସହ କେତେବେଳେ ପାଠପଢ଼ାର ଶେଷବର୍ଷ ସରିଗଲା ଜଣା ବି ପଡି ନଥିଲା।ସୌଭାଗ୍ୟ ମୋର ଏମିତି ଥିଲା ଯେ ପ୍ରଥମ ଚାକିରୀ ପାଇଁ ହାଇଦ୍ରାବାଦ ଯିବା ସମୟରେ ମୋତେ ସ୍ବାଗତ କରିବାକୁ ମଉସାଙ୍କର ବି ସେଠାକୁ ବଦଳି ହୋଇ ଯାଇ ସାରିଥିଲା,ଶନିବାର ଅଫିସ ସରିଲେ କେମିତି ୧୦୭ ଭି ବସ୍ ଧରି ଶିବମ୍ ରୋଡ଼ ଯିବି ସେଇ ଚିନ୍ତାରେ ଦିନ ଗଣିବା ଆରମ୍ଭ କରୁଥିଲି। ଶନିବାର ସଞ୍ଜରୁ ସୋମବାର ସକାଳ ପର୍ଯ୍ୟନ୍ତ ଚାରମିନାରଠୁ ନେଇ ଗୋଲକୁଣ୍ଡା ଦୂର୍ଗ,ବିରଳା ମନ୍ଦିରଠୁ ନେଇ ସଲାର ଜଙ୍ଗ ସଂଗ୍ରାହାଳୟ ବୁଲିବା, ପାରାଡାଇଜରେ ପ୍ରଥମଥର ବିରୟାନୀ ଖାଇବା ହେଉ କି ପ୍ରିୟାରେ ସକାଳ ଜଳଖିଆ ସବୁକିଛି ମଉସାଙ୍କ ସାଥିରେ କଟୁଥିଲା।ଅବଶ୍ୟ ମୋର ପ୍ରିୟ ବନ୍ଧୁ ତାଙ୍କ ସେବେର ବାନ୍ଧବୀ ବର୍ତ୍ତମାନର ପତ୍ନୀଙ୍କୁ ଭେଟିବାକୁ ମୋତେ ସାଥିରେ ନେବାକୁ ଚାହୁଁଥିଲେ ବି ମଉସାଙ୍କଠୁ ଅନେକ କିଛି ଶିଖିବାର ଇଛା ପାଇଁ ଅଧିକାଂଶ ସମୟରେ ମୁଁ ଦ୍ବନ୍ଦରେ ପଡି ନିଷ୍ପତ୍ତି ନେଉଥିଲି। ଏମିତି ପରିସ୍ଥିତିରେ ହାଲୁକା ଥଟ୍ଟାମଜାରେ ମଉସା ଥରେ ତାଙ୍କର ଜଣେ ଉଚ୍ଚପଦସ୍ଥ ବନ୍ଧୁଙ୍କୁ ମୋର ପରିଚୟ ଦେଇ କହିଥିଲେ “ଇଏ ସାଇ,ମୋ ପୁଅର ବନ୍ଧୁ,ସପ୍ତାହାନ୍ତରେ ଘରକୁ ଆସେ ଆଉ ସେ ମୋ ପୁଅ ଯିଏ ସପ୍ତାହାନ୍ତରେ ଘରୁ ବାହାରକୁ ଯାଏ”
ମନେ ଅଛି ଯେବେ ପ୍ରଥମଥର ପାଇଁ ଆଳୁ ଭରତା ତିଆରି କରି ମଉସାଙ୍କୁ ଦେଇଥିଲି ସେଥିରେ ବି ସିଏ ବିଶେଷ ଶୈଳୀରେ ପ୍ରଶଂସା କରିଥିଲେ। ନିରାମିଷ ଖାଦ୍ୟର ବିଭିନ୍ନ ଦେଶୀୟ ଓ ବିଦେଶୀ ଖାଦ୍ୟର ବିବରଣୀ ସହ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଅନେକ ଆଲୋଚନା ରାତ୍ରିଭୋଜନର ମୂଖ୍ୟ ଅଙ୍ଗ ଥିଲା,ଅନେକ ସମୟରେ ଖାଇବା ମଝିରେ ପୁରୁଣା ହିନ୍ଦୀ ସିନେମା ବିଷୟରେ ପ୍ରଶ୍ନ ଉତ୍ତର ବି ଚାଲୁଥିଲା,ଅନେକଥର ସଠିକ ଉତ୍ତର ଦେଇ ତାଙ୍କ ପାଖରୁ ପାଇଥିବା ଡାଏରୀସବୁକୁ ଏପର୍ଯ୍ୟନ୍ତ ସାଇତି ରଖିଛି,ପ୍ରତିଦିନ ଡାଏରୀ ଲେଖିବା ଅଭ୍ୟାସ ଅନେକ ବର୍ଷ ଧରି ବଜାୟ ରଖିଥିଲି ମଉସାଙ୍କ ପ୍ରେରଣାରୁ।
ମନେଅଛି ବହି ପଢିବାର ସଉକଥିଲେ ବି ଅର୍ଥାଭାବରୁ କିଣି ପାରୁନଥିବା ସମୟରେ ମଉସା ତାଙ୍କ ବହି ଥାକର ଅନେକ ବହି ପଢିବାକୁ ଦେଇଛନ୍ତି।
ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ଥିଲା କୌଣସି ପରିସ୍ଥିତିରେ ବି ନିଜର ଆର୍ଥିକ ସ୍ଥିତି ବିଷୟରେ ନଭାବି ଅନ୍ୟର ସାହାଯ୍ୟ କରିବା,ଅନେକ ସମୟରେ ” ନା” ନକହିବା ସ୍ବଭାବପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି ନିଜକୁ କିପରି ସମ୍ଭାଳି ନେଇ ଆଗକୁ ବଢିହେବ ସେକଥା ଅନେକଥର ଶିଖାଇଛନ୍ତି।
ଚାକିରି ଜୀବନର ଅଧିକାଂଶ ସମୟ ରାଜ୍ୟ ବାହାରେ କଟି ଥିବାରୁ ଓଡ଼ିଆ ବହି ପଢି ପାରି ନଥିଲେ ବୋଲି ଅନେକ ସମୟରେ ଅନୁଶୋଚନା କରୁଥିବା ମଉସା କିନ୍ତୁ ଅବସର ପରେ ଓଡ଼ିଆ ବହି ପଢିବାର ସଉକ ପାଇଁ ମାସର ପେନସନର ପ୍ରାୟ ବଡ଼ ଭାଗ ବିଭିନ୍ନ ବହି ଓ ପତ୍ରିକା କିଣିବାରେ ଖର୍ଚ୍ଚ କରୁଥିଲେ।
ଲେଖାଲେଖିର ସଉକ କେବେଠାରୁ ଥିଲା ସଠିକ କହି ପାରିବି ନାହିଁ କିନ୍ତୁ ଅସୁସ୍ଥତା ଓ ଜଟିଳ ଅସ୍ତ୍ରୋପଚାର ପରେ ଯେବେ ଡାକ୍ତର ସମ୍ପୂର୍ଣ୍ଣ ଆରାମ କରିବାକୁ କହିଥିଲେ ସେ ସମୟ ଅପଚୟ ନକରି ଆରମ୍ଭ କରିଥିଲେ ଗପ ଲେଖିବା,କିଛି ଲେଖି ଅନେକ ସମୟରେ ମୋତେ ପଠାନ୍ତି ପଢି ମତାମତ ଦେବାପାଇଁ,ମୁଁ ମୋର ସ୍ବଳ୍ପ ଜ୍ଞାନରେ ଯାହାକିଛି ବି ମତାମତ ଦେଉଥିଲି ତାକୁ ଅତି ଖୁସିରେ ଗ୍ରହଣ କରୁଥିଲେ,ଯଦିଓ ବିଭିନ୍ନ ପ୍ରତିଷ୍ଠିତ ପତ୍ରିକା ତଥା ସମ୍ବାଦପତ୍ରରେ ତାଙ୍କ ଲେଖା ପ୍ରକାଶ ପାଇ ସାରିଥିଲା ତଥାପି ମୁଁ ଯେତେବେଳେ ଅନୁରୋଧ କରିଥିଲି ଶୁଭପଲ୍ଲବ ପାଇଁ ଲେଖା ଦେବାପାଇଁ ଅତି ଖୁସିରେ ନିଜର ସୁନିର୍ବାଚିତ ଏକ ଗଳ୍ପ ତତ୍କ୍ଷଣାତ ପଠାଇ ଥିଲେ।
ଅନେକ ସମୟରେ କୌଣସି ଲେଖା ପସନ୍ଦ ଆସିଲେ ସିଧାସଳଖ ଲେଖକଙ୍କୁ ଫୋନ ଯୋଗେ ଅଭିନନ୍ଦନ ଏବଂ ମତାମତ ଦେବାପାଇଁ ଭୁଲନ୍ତି ନାହିଁ,ସେଥିପାଇଁ ଖୁବ୍ କମ୍ ସମୟରେ ଅନେକ ଲେଖକ ତାଙ୍କର ବନ୍ଧୁ ହୋଇଯାଇଥିଲେ ଏକଥା ଜାଣିବାକୁ ପାଇଲି ଯେବେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ କିଛି ଘଣ୍ଟା ତାଙ୍କ ସହିତ ଅତିବାହିତ କରିଥିଲି,ଯେଉଁ ବି ପ୍ରକାଶନ ସଂସ୍ଥାର ଷ୍ଟଲକୁ ଯାଉଥିଲେ କିଛି ଲେଖକବନ୍ଧୁମାନେ ଆସି ଅଭିନନ୍ଦନ ଜଣାଇବା ସହିତ ବହି କିଛି ଦେଇ ଯାଉ ଥାଆନ୍ତି।ସେଇ କିଛି ଘଣ୍ଟା ଭିତରେ ପ୍ରାୟତଃ ୧୦୦ ଖଣ୍ଡ ଓଡ଼ିଆ ବହି କିଣି ଓ ଉପହାରରେ ପାଇବା ପରେ ଯେତେବେଳେ ଘରେ ପହଞ୍ଚି ଥାକରେ ସଜାଡୁଥିଲୁ ଅତି କୋହ ଭରା କଣ୍ଠରେ କହିଲେ “ଏତେ ଗୁଡାଏ ବହି ସଂଗ୍ରହ କଲି ହେଲେ ମୋ ଯିବା ପରେ ଏସବୁ ପଢିବ କିଏ?” ମୋତେ କଣ ଜଣାଥିଲା ଯେ ମୁଁ ଫେରି ଆସିବା ପରେ ତାଙ୍କ ଦେହ ଏତେ ଅସୁସ୍ଥ ହେବ ବୋଲି, ପ୍ରତିଦିନ ସକାଳେ ହ୍ବାଟ୍ସଆପରେ ତାଙ୍କର ଶୁଭସକାଳ ମେସେଜ ଆସିବା ଜାରି ରହିଥିଲା କିନ୍ତୁ କିଛି ଦିନ କାର୍ଯ୍ୟବ୍ୟସ୍ତତା ପାଇଁ ମେସେଜ ସବୁ ଦେଖି ପାରି ନଥିଲି ଯେବେ ଖବର ପାଇଲି ସେତେବେଳକୁ ସିଏ ଏକ ଘରୋଇ ଚିକିତ୍ସାଳୟରେ ଆଇ ସି ୟୁରେ ଭର୍ତ୍ତି ଥିଲେ, ନିଜର ଚିରାଚରିତ ମଜାଳିଆ ସ୍ବଭାବରେ ସେ ହ୍ଟାଟ୍ସଆପର ଷ୍ଟାଟସରେ ଲେଖିଥିଲେ ” 49 Days in ICU”। ୧୯ ଜୁଲାଇ ସକାଳୁ ପ୍ରିୟ ବନ୍ଧୁଙ୍କ ମେସେଜ ପାଇଲି “ଭାଇ,ବାପା ଚାଲିଗଲେ” କିଛିକ୍ଷଣ ସ୍ତବ୍ଧ ହୋଇ ନିଜକୁ ସମ୍ଭାଳି ବନ୍ଧୁଙ୍କୁ ସାନ୍ତ୍ବନା ଦେଉଦେଉ ମଧ୍ୟ ଆଖିର ଲୁହ ଅଟକାଇ ପାରି ନଥିଲି ,ନିଜର ଗଳ୍ପ “୭୦ କି ୭୨” ଶୁଭପଲ୍ଲବରେ ପ୍ରକାଶିତ ହୋଇଥିଲେ ବି ପଢିବା ପୂର୍ବରୁ ସେ ଇହଧାମ ତ୍ୟାଗ କରି ଚାଲିଗଲେ।
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବିରଜା ମଉସା । ଆପଣ ୭୦ କି ୭୨ ପର୍ଯ୍ୟନ୍ତ ବି ଅପେକ୍ଷା କରି ପାରଲେ ନାହିଁ…..

ଗୋବିନ୍ଦ ସାର୍

ପ୍ରଥମ ଶ୍ରେଣୀ…
ନୂଆ ନୂଆ ବଦଳି ହୋଇଥାଏ ବାପାଙ୍କର ନୂଆ ଏକ ସହରକୁ,ନୂଆ ନୂଆ ମୁଁ ବି ପ୍ରଥମଥର ପାଇଁ ନୂଆ ଏକ ସ୍କୁଲରେ ପାଦ ଦେଲି, ଯଦିଓ ପୁରୁଣା ସ୍କୁଲରେ ପ୍ରଥମଶ୍ରେଣୀ ସାରି ଦ୍ୱିତୀୟରେ ବସୁଥିଲି କିନ୍ତୁ ନୂଆ ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ପାଇଁ ପ୍ରଧାନଶିକ୍ଷକଙ୍କ ରୋକଠାକ ମନା କରିବା କଥାଟା ଏ ଛୋଟ ହୃଦୟରେ ବଡ଼ କଷ୍ଟ ଦେଇଥିବ କି ନାହିଁ ମନେନାହିଁ କିନ୍ତୁ ଅଲଗା ଏକ ଡ଼ର ତାଙ୍କ ପ୍ରତି ହୋଇଥିଲା ନିଶ୍ଚିତ। ପାଠ ନପଢି଼ଲେ ବାପାଙ୍କ ତାଗିଦ “ଲୁନା ଶବ୍ଦ ଶୁଣୁଛୁ ନା,ଗୋବିନ୍ଦ ସାର୍ ଯାଉଛନ୍ତି” ନିଦ ଆସୁଥିଲେ ବି ବହି ଧରି ବସୁଥିଲି ବହୁ ବର୍ଷ ପର୍ଯ୍ୟନ୍ତ। କେବଳ ମୋ ପାଇଁ ନୁହେଁ ଅନେକ ମୋ ବୟସର ତଥା ମୋ ସ୍କୁଲର ଛାତ୍ରଙ୍କ ପାଇଁ ଗୋବିନ୍ଦସାରଙ୍କ ଲୁନାର ଶବ୍ଦ ଏକ କୋକୁଆ ଭୟ ସୃଷ୍ଟି କରିଥିଲା ।
ଚତୁର୍ଥ ଶ୍ରେଣୀ…
ବଡ଼ ଜେଜେମାଙ୍କ ଦେହାନ୍ତ ସମୟରେ ବାର୍ଷିକ ପରୀକ୍ଷା ଚାଲୁଥିଲା,ଦଶାହ ଘାଟ କର୍ମ ଦିନରେ ଶେଷ ପରୀକ୍ଷା,ଯେମିତିହେଲେ ବାପାଙ୍କୁ ୧୦୦ କିମି ଦୂର ଗାଁରେ ପହଞ୍ଚିବାକୁ ପଡିବ,ସେତେବେଳେ ଗମନାଗମନର ଏକମାତ୍ର ପନ୍ଥା ସରକାରୀ ବସ୍ ଯାହାର ସମୟ ଭୋର୍ ୫:୪୫।
ବାପାଙ୍କ ଅନୁରୋଧରୁ ନିୟମ ବହିର୍ଭୁତ ରାତି ୩ରେ ସ୍କୁଲ ଅଫିସ ଖୋଲିଲା,ଦୁଇ ବିଷୟର ପ୍ରଶ୍ନପତ୍ର ସିଲ୍ଡ ଲଫାପାରୁ ଖୋଲି ଦୁଇଘଣ୍ଟାରେ ଶେଷ କରିବାକୁ ଆଦେଶ ଦେଇଥିବା ସାରଙ୍କୁ ସେଦିନ ଅନ୍ୟ ଏକ ରୂପରେ ଦେଖିଥିଲି।
ଗାଁରୁ ଫେରିବା ପରେ ଯେତେବେଳେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ପ୍ରଥମ ତିନିଜଣଙ୍କ ଭିତରେ ସ୍ଥାନ ପାଇଥିବାରୁ ଗୋବିନ୍ଦ ସାରଙ୍କ ଆଖି ସର୍ବଦା ମୋ ଉପରେ ରହୁଥିଲା। ପ୍ରାର୍ଥନା ସଭାରେ ଲିଡ଼୍ କରିବା ହେଉ କିମ୍ବା ଅନ୍ୟ କିଛି କାମରେ ହେଉ ସବୁବେଳେ ପ୍ରୋତ୍ସାହିତ କରୁଥିଲେ ସାର୍।
ଚିତ୍ରକଳାରେ ବିଶେଷ ପାରଙ୍ଗମ ନଥିଲି କିନ୍ତୁ ସାରଙ୍କ ପ୍ରଚେଷ୍ଟାରେ ସ୍କୁଲରେ ମାସିକ ଖୁବ୍ କମ୍ ଅର୍ଥ ବ୍ୟୟରେ ପ୍ରସିଦ୍ଧ ଚିତ୍ରକରମାନଙ୍କଠାରୁ (ଆଜି ସେମାନେ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ) କିଛି ଶିଖିବାର ସୁଯୋଗ ମିଳିଥିବାରୁ ଚିର ଋଣୀ।
ପଞ୍ଚମ ଶ୍ରେଣୀ…
ସ୍ବାଧୀନତା/ଗଣତନ୍ତ୍ର କିମ୍ବା ଉତ୍କଳ ଦିବସର ଉପଲକ୍ଷେ ଉପଖଣ୍ଡ ସ୍ତରୀୟ ବକ୍ତୃତା,ଚିତ୍ରାଙ୍କନ କିମ୍ବା କୁଇଜ୍ ପ୍ରତିଯୋଗିତାରେ ଭାଗ ନେବାପାଇଁ ଜବରଦସ୍ତି ନାମ ପଠାଇ ପ୍ରସ୍ତୁତ ହେବାପାଇଁ କହିବା ସାରଙ୍କ ଏକ ବିଶେଷ ଧରଣର ଉପାୟ ଥିଲା ଆତ୍ମ ବିଶ୍ୱାସ ବଢା଼ଇବା ପାଇଁ।ଯଦିଓ ଅନ୍ୟ ସ୍କୁଲର ଛାତ୍ରଛାତ୍ରୀମାନେ ତାଙ୍କ ପ୍ରଧାନଶିକ୍ଷକଙ୍କ ଲିଖିତ ବକ୍ତବ୍ୟକୁ ଘୋଷି ବିଭିନ୍ନ ଭାବଭଙ୍ଗୀ କରି ଟେବୁଲ ବାଡେଇ ୧ମ ଆଉ ୨ୟ ପୁରସ୍କାର ପାଉଥିଲେ କିନ୍ତୁ ଥରେ ନିଜ ମନରୁ ବକ୍ତୃତା ଦେଇ ୩ୟ ପୁରସ୍କାର ପାଇବା କଥାକୁ ସେ ସ୍କୁଲ ସାଧାରଣ ସଭାରେ ଘୋଷଣା କରି ପ୍ରଶଂସାକରିବା ଏପର୍ଯ୍ୟନ୍ତ ମନେଅଛି।
ଷଷ୍ଠ ଶ୍ରେଣୀ..
ଗୋବିନ୍ଦ ସାରଙ୍କ ବଦଳି ଖବର ସ୍କୁଲର କିଛି ପିଲାମାନଙ୍କୁ ଦୁଃଖ ଦେଇଥିବ କି ନାହିଁ କହିପାରିବି ନାହିଁ କିନ୍ତୁ କିଛି ଦିନ ଆଗରୁ ସାରଙ୍କ ଲୁନାଶବ୍ଦ ନଶୁଣି ଗପରେ ମଜ୍ଜିଥିବାରୁ ପାଇଥିବା ଦଣ୍ଡ ପାଇଁ ଖୁସି କିନ୍ତୁ ହୋଇଥିଲି।
ଚାକିରୀ ବର୍ଷ…
ବହୁତ ବର୍ଷ ପରେ ଯେତେବେଳେ ଚାକିରି କରି ଘର ଖଣ୍ଡେ କିଣିଲି ତାହା ବି ଥିଲା ସାରଙ୍କ ଘର ପାଚେରୀକୁ ଲାଗି। ଭାରି ଖୁସିରେ ଘର ପ୍ରତିଷ୍ଠା ଉତ୍ସବରେ ଆସି ଅତି ଆନନ୍ଦରେ ଅନେକ ସମୟ ଅତିବାହିତ କରିଥିଲେ,ତାସହିତ ଅନେକ ପ୍ରଶଂସା ସହିତ କହିଥିଲେ ” ଯାହାହେଉ ଆଜି ଗର୍ବର ସହ କହି ପାରିବି ମୋର ଅନେକ ଛାତ୍ର ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟରୁ ବି ପଢି଼ ଆଜି ବିଦେଶରେ ଅଛନ୍ତି”
କିଛି ମାସ ତଳେ ସାମାଜିକ ଗଣମାଧ୍ୟମରୁ ଖବର ପାଇଲି ସାରଙ୍କ ଉପରେ ମରଣାନ୍ତକ ଆକ୍ରମଣ କୌଣସି ଏକ ଭୁଲ୍ ବୁଝାମଣା ପାଇଁ,ବହୁତଦିନ ଧରି ଡାକ୍ତରଖାନାରେ ଚିକିତ୍ସା ପାଇ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ,ନିଜର ଏକମାତ୍ର ପୁତ୍ରଙ୍କ ଭୁବନେଶ୍ୱର ବାସଭବନରେ ରହୁଥିବା ଖବର ପାଇ ଭେଟିବା ଯୋଜନା କରିଥିଲି ମଧ୍ୟ।
କିଛି ଦିନ ତଳେ ହଠାତ ତାଙ୍କର ଫୋନ ବାପାଙ୍କ ପାଖକୁ କହିଲେ “ଆପଣଙ୍କୁ ଗୋଟେ ଅନୁରୋଧ,ସାଇକୁ କୁହନ୍ତୁ ଆପଣଙ୍କ ଘରକୁ ଲାଗି ମୋର ସେ ଘର ଟା କିଣିନେଉ” ଏଥର ଛୁଟିରେ ଗଲେ ତାଙ୍କୁ ଭେଟି ଦେହପା କଥା ବୁଝି କଥାହେବି ବୋଲି କହିବାକୁ କହି ବାପାଙ୍କୁ କହିଥିଲି ତାଙ୍କୁ ଜଣାଇଦେବା ପାଇଁ ହେଲେ ଆଜି ସକାଳେ ହଠାତ ଖବର ପାଇଲି “ଗୋବିନ୍ଦସାର୍ କାଲି ରାତିରେ ଚାଲିଗଲେ”
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଗୋବିନ୍ଦସାର୍ 🙏🙏