ସମୁଦ୍ର କୂଳର ସେଇ ଗ୍ରାମ

“ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତବର୍ଷ ବହୁତ କିଛି ପାଇଛି; ବହୁତ କିଛି ହରାଇଛି । ହରାଇଥିବା ବିଭବସବୁ ଭିତରେ ବୋଧହୁଏ ସବୁଠାରୁ ମୂଲ୍ୟବାନ ତା’ର ପଲ୍ଲୀ ବାତାବରଣ । ହୁଏତ ଏ କ୍ଷତି ଥିଲା ଅନିବାର୍ଯ୍ ୟ। ଅନିବାର୍ଯ୍ୟ… କିନ୍ତୁ ଅପୂରଣୀୟ।”

ଭାରତର ତତ୍କାଳୀନ ପଲ୍ଲୀ ଜୀବନର ସୁନ୍ଦର ଚିତ୍ର ନିଜ ଅଗଣିତ ଲେଖା ମାଧ୍ୟମରେ ଉଦଜୀବିତ କରିଥିବା ଶବ୍ଦର ଯାଦୁକର ଶ୍ରୀ ମନୋଜ ଦାସଙ୍କ ଉପରୋକ୍ତ ଉକ୍ତି ଆଜି ବି ମାନସ ପଟରୁ ଅପସରି ଯାଇ ନାହିଁ । ଜୀବିକା ଯାପନର ଅନେକ ବର୍ଷ ବିଦେଶରେ ତଥା ରାଜ୍ୟ ବାହାରେ ରହିବା ଭିତରେ ଯତ୍ କିଞ୍ଚିତ୍ ସମୟ ମିଳେ ଚେଷ୍ଟା କରେ ଗାଁରେ ବିତାଇବାକୁ । ଛୋଟବେଳର ଜହ୍ନମାମୁଁର କନକ ଉପତ୍ୟକାର କାହାଣୀରୁ ଆରମ୍ଭ କରି ସଚିତ୍ର ବିଜୟାର ଧାରାବାହିକ ଉପନ୍ୟାସ ପଢିବା ପାଇଁ ଅର୍ଥାଭାବରୁ ବିଗତ ସଂଖ୍ୟା କିଣିବାରୁ କି  ନୂତନ ସଂଖ୍ୟା ଉଧାର ଆଣିବାରୁ ନେଇ ଚାକିରୀ କରିବା ପରେ ତାଙ୍କ ଉପନ୍ୟାସ କି ଗଳ୍ପ ସଂକଳନ କିଣିବା ପାଇଁ ସକ୍ଷମ ହେବା ଭିତରେ ଜାଣି ଯାଇଥିଲି ଯେ ଯାହାଙ୍କ ଲେଖା ଏତେ ଶ୍ରଦ୍ଧାର ସହ ପଢୁଛି ସିଏ ମୋ ପୈତୃକ ଗାଁ’ର ଅନତି ଦୂରରେ ଅନ୍ୟ ଏକ ଗାଁରେ ଜନ୍ମ ନେଇଥିଲେ ।

ଅନେକ ବର୍ଷ ଧରି ସେଇ ଗାଁକୁ ଯିବାର ଅନେକ ଯୋଜନା ହେବାପରେ ବି କାହିଁକି କେଜାଣି ଯାଇ ହେଉନଥିଲା କୌଣସି ଅନ୍ୟ ଅସୁବିଧା ପାଇଁ । ଶେଷରେ ଆରାଧ୍ୟ ଠାକୁର ବାବା ଚନ୍ଦନେଶ୍ବରଙ୍କ ପୀଠକୁ ଥରେ ନୀଳ ପର୍ବ ଉପଲକ୍ଷେ ଯିବା ସମୟରେ ଅନତି ଦୂରରେ ଥିବା ଶଙ୍ଖାରୀକୁ ଯାଇ କିଛି କ୍ଷଣ ଆନନ୍ଦରେ ଅତିବାହିତ କରିଥିଲି ଆଉ ଦାସ ଘର ସେଇ କୋଠାକୁ ଯାଇ ଭାବୁଥିଲି ସତରେ କଣ ହାଡ଼ମାଂସ ଧାରୀ ମନୋଜ ଦାସ କେବେ ବାଲ୍ୟକାଳ ଓ ଶୈଷବର ଦିନ ସବୁ ଏଇଠି ଅତିବାହିତ କରିଥିଲେ !?

ଚନ୍ଦନେଶ୍ବର ମନ୍ଦିର ପୂର୍ବ ପଟ ପାଚେରୀକୁ ଲାଗି ରାସ୍ତାରେ କିଛି ଦୂର ଯିବା ପରେ ଭୋଗରାଇର ପ୍ରସିଦ୍ଧ ପାନ ବୁରୁଜ ସବୁର ସବୁଜିମା ଭିତରେ ଦୂରରୁ ଦେଖାଯାଉଥିଲା ଏକ ମନ୍ଦିରର ଚୂଡ଼ା, ବିସ୍ତୀର୍ଣ୍ଣ ସବୁଜ ପ୍ରାନ୍ତରର ଶେଷଭାଗରେ ଦଣ୍ଡାୟମାନ ଥିଲା ଶ୍ରୀ ରାଧା ଗୋପୀନାଥଙ୍କ ମନ୍ଦିର । ଶଙ୍ଖାରୀ ଗ୍ରାମର ସୀମା ଆରମ୍ଭ ହୋଇଯାଇଥିବା କଥା ବି ଜାଣି ପାରିଥିଲି। 

ହାଟ ଛକ ପୂର୍ବରୁ ଡାହାଣ ପଟେ ଦିଶିଥିଲା ଶଙ୍ଖାରୀ ପ୍ରାଥମିକ ବିଦ୍ୟାଳୟ, ଏଇ କଣ ସେଇ ବିଦ୍ୟାଳୟ ଯେଉଁଠି ପଢିବା ସମୟର କଥାକୁ “ପ୍ରଭଞ୍ଜନର ପାଦଚିହ୍ନ”ର ସେ ଦୁର୍ଭିକ୍ଷର କାହାଣୀ କି “ଏକ ଚୋରୀର ବୃତ୍ତାନ୍ତ” ମାଧ୍ୟମରେ ଲେଖିଥିଲେ !?

 ହାଟ ଛକରୁ ବାମକୁ ବୁଲିବା ସମୟରେ କିଛି ଛୋଟ ପଦ୍ମ ପୋଖରୀ ଆଖିରେ ପଡିଥିଲା,ଇଏ କଣ ସେଇ “ଦୁଇ ସରୋବର”, ଯେଉଁଠି ଦୁଇ ତରୁଣ ପ୍ରେମୀକ ପ୍ରେମୀକା ନିଜ ଜୀବନ ହାରିଥିଲେ ଓ ଅନେକ କାଳ ପର୍ଯ୍ୟନ୍ତ ଯେଉଁଠି ଶ୍ବେତ ଓ ଲାଲ୍ ପଦ୍ମ ଫୁଟୁଥିଲା !? ନାଁ, ସିଏ ତ “ଗୋଟିଏ ମୁମୂର୍ଷୁ, ଅନ୍ୟଟି ଲୁପ୍ତ ପ୍ରାୟ” ୧୯୮୫ ମସିହାରୁ।

ଗାଁ ଭିତରେ କିଛି ବାଟ ଯିବାପରେ ବାମ ପଟେ ଥିଲା ବିରାଟ ବାଡି। ସ୍ଥାନୀୟ ପରିଚିତଙ୍କ ସହ ଥିବାରୁ ଘର ଖୋଜିବାରେ ବିଶେଷ ଅସୁବିଧା ହୋଇନଥିଲା।

ବାଉଁଶ ତାଟିକୁ ଖୋଲି ଭିତରକୁ ଯିବା ପୂର୍ବରୁ ଆଖ ପାଖ ଘର ଆଡ଼କୁ ଆଖି ବୁଲେଇ ଖୋଜୁଥିଲି ବୈକୁଣ୍ଠ ମଉସାଙ୍କ ଘରକୁ । କୁମା ଓ ଚପଳ ମଣ୍ଟୁ ଯେଉଁଠି ଲୁଚକାଳି ଖେଳୁଥିଲେ ସେଇ ସ୍ଥାନକୁ ମନେ ମନେ ଖୋଜୁଥିଲି ଆଉ ତା ସହିତ  ‘ଉ’ସହ ଏକ ଗୋଧୂଳିର ସେଇ ରୋମାଞ୍ଚକର ଅନୁଭବକୁ ମନେ ପକାଉଥିଲି।

ରାସ୍ତାରୁ ଦିଶୁଥିଲା ଦାସ ପରିବାରର ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର,ମୁଣ୍ଡିଆ ମାରି ଉଠିବା ସମୟରେ ମନରେ ସେଇ ନିଆଶି ନନାଙ୍କ ଅନୁତପ୍ତ ଦିଅଁଙ୍କ କଥା ! ହେଲେ ନିଆଶି ନନାଙ୍କ ସେ କୁଡିଆ ବୋଧେ ଦୂରରେ ଥିଲା ଘରଠୁ।

ଜମିଦାରୀ ଘର ଭଳି ବଡ଼ ସିମେଣ୍ଟ ଖୁଣ୍ଟ ଥିବା ଦ୍ବିତଳ ପ୍ରାସାଦର ପିଣ୍ଡାରେ ପାଦ ଦେବା କ୍ଷଣି ଆଖିରେ ପଡିଥିଲା ଦାସ ବଂଶର ତାରକାମାନଙ୍କର ନାମ ତାଲିକା ଲେଖାଥିବା ଏକ କାନ୍ଥ । ପଢୁ ପଢୁ ସେ ସ୍ନେହୀ ଯୁଧିଷ୍ଠିର ମାଷ୍ଟ୍ରେଙ୍କ ମଣ୍ଟୁବାବୁଙ୍କୁ ପାଠ ପଢାଇବାର ଚେଷ୍ଟା ମନେପଡିଥିଲା । ଏଇ କଣ ସେଇ ପିଣ୍ଡା ଯେଉଁଠି ବସି କେବେ ମନୋଜ ଦାସ ସଶରୀରେ ପାଠ ପଢୁଥିଲେ ନିଜ ଭାଇ ଭଉଣୀମାନଙ୍କ ସହ!

ମୂଖ୍ୟ ଦୁଆର ପାଖରେ ପହଞ୍ଚିଲା ବେଳକୁ ଘରେ ରହୁଥିବା ଜଣେ ମହିଳା ଆସି ନିଜ ପରିଚୟ ଦେଇ ଘର ଭିତରକୁ ପାଛୋଟି ନେଇଯାଇଥିଲେ । ଭିତର କାନ୍ଥରେ ମନୋଜ ଦାସଙ୍କ ଯୁବାବସ୍ଥାର ଫଟୋ ସହ ଅନ୍ୟାନ୍ୟ ପରିବାର ଲୋକଙ୍କ ଫଟୋ ସହ ଶ୍ରୀମା ତଥା ସତ୍ୟସାଇ ବାବାଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି । ବାମ ପଟର ଘର ଥିଲା ତାଙ୍କ ପିତାଙ୍କର, ତାପରେ ଯେଉଁ ଘର ସେଇଟା ବୋଧେ ସେଇ ଘର ଯେଉଁଠି ବସି ତାଙ୍କ ଆଇ ସେଦିନ ରୋକଠୋକ କହିଥିଲେ “ହୁଁ..ଏ ବାହାଘର ହେବନାହିଁ, ହେବାକୁ ଦେବି ନାହିଁ । ସ୍ନେହ ଭଳି ଝିଅ ବଳି ପଡିବ ଗୋଡ଼ରେ ଗୋଟିଏ ବି ଅଙ୍ଗୁଳି ନଥିବା ଗୋଟାଏ ଟୋକା ପାଖରେ !! କାହିଁକି ? ପ୍ରଜାପତିଆ ନିଶକୁ ଧିକ୍ !! ଡାକିଆଣ ମୋ ଜୁଆଇଁକୁ !” ଅନ୍ତର୍ହିତ ପାଦାଙ୍ଗୁଳି ରହସ୍ୟ କାହାଣୀର ପୃଷ୍ଠଭୂମି ମନେ ପଡିଯାଇଥିଲା।

ମଝିରେ ଅଗଣା,ସେପାରିରେ ଆଉ ବିଶେଷ କିଛି ଦେଖିବାର ନଥିଲା ବୋଲି ମନହେଲା,ଆଖି ଖୋଜି ବୁଲୁଥିଲା କିନ୍ତୁ ବାଳକ ମନୋଜ ଓ ତାଙ୍କ ପରିବାରର ସେଇ “ବିଭୀଷିକାମୟ ଦୁଇ ରଜନୀ” କଟାଇଥିବା ଘର ଉପରେ, ବୋଧହୁଏ ମୋ ମନର କଥାକୁ ବୁଝିପାରିଲେ ଘରେ ରହୁଥିବା ମହିଳା ଜଣକ ଡାହାଣ ପଟ କୋଣ ଘର ଆଡ଼କୁ ଇଙ୍ଗିତ କରି କହିଥିଲେ ଏଇ ସେଇ ଡକାୟତି ହୋଇଥିବା ଘର ! ସେ ଦୁଇ ରାତିରେ ଡକାୟତ ଦଳର ଆତଙ୍କର ଚିହ୍ନ ସେଘରୁ ଲିଭିନଥିବା କଥା କାହିଁକି କେଜାଣି ହୃଦବୋଧ ହେଲା ଘରର ଭିତରେ ସେ ଗୁପ୍ତ ଦ୍ବାର ତଥା ଆସବାବପତ୍ର ଦେଖି।

ସ୍ନେହ ଅପାଙ୍କ ଘରୁ ସେଦିନର ମଣ୍ଟୁ ଆଣିଥିବା ସାଥି ଜଣକର କାଠ ପିଞ୍ଜରାକୁ ବି ଖୋଜିଥିଲି କିନ୍ତୁ ପାଇ ନଥିଲି,”ଭୀଷଣ ସହ ବନ୍ଧୁତା”କୁ ତ ବି ଅର୍ଦ୍ଧ ଶତାବ୍ଦୀରୁ ଅଧିକ ହୋଇଯାଇଛି !!

ବାରଣ୍ଡାରେ ପଦ ଚାରଣା କରୁଥିବା ସମୟରେ ମନେ ପକାଇବାକୁ ଚେଷ୍ଟା ଥିଲା “ପାଗଳୀ”ର ସେ ମୁହଁ, ଏଇଠି କଣ ଆଣି ଦେଇଥିଲେ ପାନ ଭାଙ୍ଗୁଥିବା ମା’ଙ୍କୁ ସେ ସୁନା ପରି ଦିଶୁଥିବା ଉଜ୍ଜ୍ୱଳ ଚିଜ !?

ବାରନ୍ଦାରୁ ଓହ୍ଲାଇ ଘର ଆଗରେ ଥିବା ଗଛସବୁ ଆଡ଼କୁ ଆଖି ପକାଇ ଥିଲି । ମଣ୍ଟୁବାବୁଙ୍କ ସମୟର ସେ ପିଜୁଳି ଗଛ ଇତ୍ୟାଦି ତ ନଥିଲା ଆଉ ! ଆଖି ପଡିଲା ଆଗରେ ଥିବା ପୋଖରୀ ଉପରେ, ଏଇ କଣ ସେଇ ପୋଖରୀ ଯେଉଁଠି ଦିନେ ନୂଆବୋଉ ମୟୁରଭଞ୍ଜରୁ ଆଣିଥିବା ମୟୂର ଟି ଅପରାହ୍ନର ସେ ମେଘ ଡାକରେ ମତୁଆଲା ହୋଇ ନୃତ୍ୟ କରୁକରୁ ଅଚାନକ ବିଲୁଆର ଲୋଲୁପ ନଜରରେ ପଡି ମୃତ ହୋଇଥିଲା !?

ସନ୍ଧ୍ୟା ହୋଇ ଆସୁଥିଲା, ବାରନ୍ଦା ଉପରକୁ ଚଢି ଯାଇ ମନେ ପକେଇବାକୁ ଚେଷ୍ଟା କଲି ସେ ସମୟର ରାଧାକୃଷ୍ଣ ନାଟକର ପରିବେଷଣ ପୂର୍ବର ପ୍ରସ୍ତୁତି। ଆଉ ସେ ରାଧାକୃଷ୍ଣ ଭୁମିକାରେ ଅଭିନୟ କରୁଥିବା ଦୁଇ କିଶୋରଙ୍କ “ଚେତନା ରାଜ୍ୟର ରାଜକନ୍ୟା” କାହାଣୀ।

ଏଇଠୁ ତ ସୁବର୍ଣ୍ଣରେଖା ଦେଖାଯାଉନି ଆଉ! ଯେଉଁ ନଦୀର ବାଲୁକା ଶଯ୍ୟାରେ ମନୋଜ ଦାସଙ୍କ ପାଦଚିହ୍ନ ପଡିଥିଲା ଜମାଳପୁର ବିଶ୍ବନାଥ ଏକାଡେ଼ମୀରୁ ମାଇଲ ମାଇଲ ବାଟ ଚାଲି ଶଙ୍ଖାରୀ ଆସିବା ସମୟରେ !? ନାଁ, ନଦୀ ପଛକୁ ଫେରି ଯାଇଛି। “ଏକ ଜଳଯାତ୍ରା:ଏକ ସଜଳ ସଞ୍ଜ” ର ଟୁଣି ସହ  ବିସ୍କୁଟ ଆଦାନପ୍ରଦାନର ସରଳ କଥୋପକଥନକୁ ମନେ ପକାଉଥିଲି ହଠାତ୍ ଚା’ ପିଇବାକୁ ନିମନ୍ତ୍ରଣ ମିଳିଲା ସେ ଘରେ ରହୁଥିବା ପରିବାର ତରଫରୁ।

ସମୁଦ୍ର ତ ଆହୁରି ପଛକୁ ଚାଲି ଗଲାଣି ବୋଧହୁଏ ?

ଚା’ ପିଉ ପିଉ ମୋର ଏ ପ୍ରଶ୍ନର ଉତ୍ତରରେ ମହିଳା ଜଣକ କହିଲେ ହଁ, ଅନେକ ଦୂର ଚାଲିଗଲାଣି;ପାଖାପାଖି ୨ କିଲୋମିଟର ହେବ !

ଫେରିବା ସମୟ ହୋଇଯାଇଥିଲା ସେ ସମୁଦ୍ର କୂଳର ଗ୍ରାମରୁ, ଆଣିଥିଲି ସାଥିରେ ମନୋଜ ଦାସଙ୍କ ଲେଖାର ପ୍ରତ୍ୟେକ ଚରିତ୍ରକୁ ହୃଦୟରେ ବାନ୍ଧି।

ସମୁଦ୍ର ପଛକୁ ଫେରି ଯାଇଥିଲେ ବି ଆଜି ସେଇ ଶଙ୍ଖାରି ରହିଛି ଓଡ଼ିଶାର ଅନେକ ସାହିତ୍ୟ ପ୍ରେମୀଙ୍କ ହୃଦୟରେ “ସମୁଦ୍ର କୂଳର ଏକ ଗ୍ରାମ” ହୋଇ।

• ଉପରୋକ୍ତ ଲେଖା କିଛି ବର୍ଷ ତଳର ଶଙ୍ଖାରି ଗ୍ରାମ ଭ୍ରମଣ ସମୟର,ଆଜି ମନୋଜ ଦାସ ଇହଧାମକୁ ଛାଡ଼ି ଚାଲିଯାଇଛନ୍ତି କିନ୍ତୁ ତାଙ୍କ ଲେଖା ବିଶ୍ବର ଅଗଣିତ ପାଠକଙ୍କ ହୃଦୟରେ ଘର କରି ରହିଯାଇଛି। ମନୋଜ ଦାସଙ୍କ ସ୍ମୃତିରେ ତାଙ୍କ ପାଦ ପଦ୍ମରେ ପ୍ରଣାମ କରି ତାଙ୍କ ଅମର ଆତ୍ମାର ସତଗତି କାମନା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏଥି ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଉଛି ଘରଟିକୁ ମନ୍ମଥ-ମନୋଜ ସ୍ମୃତିରେ ଏକ ବିଶିଷ୍ଟ ସଂଗ୍ରାହାଳୟରେ ପରିଣତ କରାନ୍ତୁ।

ସାଇ ପ୍ରକାଶ ଜେନା 

ଗୁରୁ ଦିବସ

ଛବି ଅପା
ବାପା ଓ ତାଙ୍କ ସାଥିମାନେ ମିଶି କରିଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ଛବି ଅପା,ପ୍ରକୃତ ନାମ ମନେ ନାହିଁ,ଆମରି ଘରେ ହିଁ ରହୁଥିଲେ, ଦିନ ଯାକ ସ୍କୁଲରେ ବ୍ୟସ୍ତ ଆଉ ସଞ୍ଜ ହେଲେ ମୋ ପାଠ ପଢା ଦାୟିତ୍ୱ ତାଙ୍କରି ଥିଲା।
ବାପା
ବାପାଙ୍କ ଚାକିରୀରେ ବଦଳି ପରେ ଅପେକ୍ଷାକୃତ ବଡ଼ ସହରକୁ ଆସିଥିଲୁ,ପୁଣିଥରେ ପ୍ରଥମ ଶ୍ରେଣୀରେ ପଢିବାକୁ ପଢିଥିଲା,ଉପରିସ୍ଥ ଅଧିକାରୀଙ୍କ ୩ ପୁଅଝିଅ ତଥା ମୋର ପାଠପଢ଼ା ଦାୟିତ୍ୱ ଥିଲା ବାପାଙ୍କର।
ପ୍ରତି ପରୀକ୍ଷା ଦିନ ପ୍ରଶ୍ନପତ୍ରରୁ ଉତ୍ତର ପଚାରି ନମ୍ବର ଦେଉଥିଲେ ଆଉ ସର୍ବମୋଟ ନମ୍ବର ଦେଖି ମାଡ଼ ହେବ କି ଗାଳି ସେ ନିର୍ଣ୍ଣୟ ହେଉଥିଲା।ଶେଷ ପରୀକ୍ଷା ଦିନ ସବୁତକ ବିଷୟର ସେଇ ନମ୍ବର ସର୍ବମୋଟ କରି ପୁଣି ମାଡ଼ କି ଗାଳିର ନିର୍ଣ୍ଣୟ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ବି ପହଞ୍ଚି ଯାଉଥିଲା, ଅବଶ୍ୟ ସେଦିନ ବି ବ୍ୟତିକ୍ରମ ହେଉନଥିଲା।
ଗୋବିନ୍ଦ ସାର୍
ଆଗରୁ ଏକ ବ୍ଲଗରେ ଲେଖିଛି ସାରଙ୍କ ବିଷୟରେ ତେଣୁ ବିଶେଷ କିଛି ଲେଖୁନାହିଁ କିନ୍ତୁ ଜୀବନରେ ଏପର୍ଯ୍ୟନ୍ତ ଯାହାକିଛି ହୋଇଛି ତାପଛରେ ଥିବା ଅନେକ ଲୋକଙ୍କ ଅବଦାନ ମଧ୍ୟରୁ ସାରଙ୍କ ଅବଦାନର ପ୍ରତିଶତ ବଡ଼।
ରାଜଲକ୍ଷ୍ମୀ ଅପା
ସାହିତ୍ୟ ଶିକ୍ଷୟିତ୍ରୀ ଥିଲେ ସ୍କୁଲରେ, “କଳା ମାଣିକରେ…” ପଦ୍ୟ ପଢାଉ ପଢାଉ ନିଜେ ଯଶୋଦା ପାଲଟି କାନ୍ଦି ପକାଉଥିବା ରାଜଲକ୍ଷ୍ମୀ ଅପାଙ୍କ ଅନେକ ଅବଦାନ ରହିଛି ଆଜି ସାହିତ୍ୟ ପ୍ରତି ରହିଥିବା ମୋର ଅନୁରାଗ ପାଇଁ।
ସ୍ନେହ ଅପା
ଖାଲି ନାମ ସ୍ନେହ ନଥିଲା ସ୍ବଭାବରେ ଅତି ସ୍ନେହୀ ଥିଲେ,ଅପାଙ୍କ ସ୍ବାମୀ ଥିଲେ ଅନ୍ୟ ଏକ ସ୍କୁଲର( ଆମ ସ୍କୁଲର ପ୍ରତିଦ୍ୱନ୍ଦୀ) ପ୍ରଧାନଶିକ୍ଷକ,କିନ୍ତୁ ଅପାଙ୍କ ପିଲାମାନେ ପଢୁଥିଲେ ଆମ ସ୍କୁଲରେ, ସଭା ସାନ ଝିଅର ଅକ୍ଷର ସୁଧାରିବା ଭାର ପଡୁଥିଲା ମୋ ଉପରେ,ଅନେକ ସମୟରେ ଅକ୍ଷର ଗୋଲ କେମିତି କରିବା ସେ ବିଷୟରେ ତଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିଖାଇବା ପାଇଁ ଅନେକ ପ୍ରେରଣା ଦେଉଥିଲେ।
ଅନୁସୟା ଅପା ଓ ପ୍ରମୋଦ ସାର୍
ସ୍ବାମୀ ସ୍ତ୍ରୀ ଦିଜଣ ସ୍କୁଲକୁ ହିଁ ନିଜ ପରିବାର ଭାବୁଥିଲେ, ପ୍ରତି ପିଲାର ଶିକ୍ଷାର ବିକାଶ ପାଇଁ ବ୍ୟକ୍ତିଗତ ଦୃଷ୍ଟି ଦେଉଥିଲେ, ପ୍ରଧାନଶିକ୍ଷକ ହୋଇ ବି କଡା ମିଜାଜ ନଥିଲା ସାରଙ୍କ,ସର୍ବଦା ହସ ଖୁସିରେ ରହୁଥିବା ସାର୍ ଓ ଅପା ମୋ ବିବାହ ଭୋଜିରେ ପ୍ରଥମ ଅତିଥି ଭାବେ ଯୋଗଦେଇ ଅନେକ ଆଶୀର୍ବାଦ କରିଥିବା କେବେବି ଭୁଲିବି ନାହିଁ।
ନେତ୍ରାନନ୍ଦ ସାର୍/ଅଜା
୮ମ ଶ୍ରେଣୀରେ ସଂସ୍କୃତ,ହିନ୍ଦୀ ଓ ଓଡ଼ିଆ ପଢିବାକୁ ସିନା ବିଧିବଦ୍ଧ ଭାବେ ଟିଉସନ ଯାଉଥିଲି ହେଲେ ଛ ବର୍ଷର ହୋଇଥିଲି ସେବେଠାରୁ ବାଳବିକାଶ ଶ୍ରେଣୀରେ ତାଙ୍କଠୁ ସଂସ୍କୃତର ଜଟିଳ ଶ୍ଳୋକ ସବୁ ସହଜରେ ମନେରଖିବା ଶିଖିଥିଲି। ସେଇ ସୁଯୋଗ ନେଇ ଅଷ୍ଟମରୁ ଦଶମ ଅନେକ ବଦମାସୀ କରିଛି ଟିଉସନରେ,ଗାଳି ମାଡ଼ ମିଳିବାର ଥିଲେ ସିଧା ଆଇଙ୍କୁ ଅଭିଯୋଗ କରି ବର୍ତ୍ତି ଯାଉଥିଲି।
ଚିତ୍ତ ସାର୍
ପଡୋଶୀ ଇଂରାଜୀ ଶିକ୍ଷକ,ଟିଉସନରେ ଗାଳି କଲେ ଘରକୁ ଶୁଭୁଥିଲା,ଟିଉସନ ପରେ ବି ତାଙ୍କ ଘରେ ରାତି ପଢା(ଅବଶ୍ୟ ସାର୍ ଟିକେ ବଜାର ଆଡ଼କୁ ଗଲେ ମଉକା ଦେଖି ଶୋଇ ପଡୁଥିଲି, ଥରେ ଧରା ପଡିବା ପରେ ଯେଉଁ ଉତ୍ତମ ମଧ୍ଯମ ହୋଇଥିଲା ସେ କଥା ଏପର୍ଯ୍ୟନ୍ତ ମନେଅଛି)
ହୃଷୀକେଶ ସାର୍
ବାପାଙ୍କ ସାଥି ତଥା ସାନଭାଇ ଭଳି, ଯଦିଓ ସ୍କୁଲରେ ପାଠ ପଢାଇବା ଦାୟିତ୍ୱ ନଥିଲା ତାଙ୍କର ତେବେ ସ୍କାଉଟ ଶିକ୍ଷକ ହିସାବରେ ଜୀବନରେ ଅନେକ ଶୃଙ୍ଖଳା ଶିକ୍ଷା ଦେଇଥିଲେ। ଚିତ୍ରକଳା ଭଲ ହେଉଥିବା ଦେଖି ଅନେକ ପ୍ରୋତ୍ସାହନ ଦେଉଥିଲେ ସିଏ, କୁମ୍ଭାର ସାହି ଯାଇ ମାଟି ଆଣି ସେଥିରୁ ମୂଖାର ଛାଞ୍ଚ ହେଉ କି ମାଟି ମୂର୍ତ୍ତି ହେଉ ତଥା ବିଭିନ୍ନ ଅଦରକାରୀ ବସ୍ତୁରୁ ସୁନ୍ଦର ଘର ସଜବାଜର ବସ୍ତୁ ତିଆରି ହେଉ ସବୁକିଛି ତାଙ୍କଠୁ ଶିଖିଥିଲି।
ଅଚ୍ୟୁତ ସାର୍
ଆଜି ମାନ୍ୟବର ସାଂସଦ ତଥା ବଡ଼ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା, କିନ୍ତୁ ଦିନ ଥିଲା ରାସ୍ତାରେ ବସ୍ ପାଇଁ ଅପେକ୍ଷା କରିଥିବା ମୋତେ ତାଙ୍କ କାଇନେଟିକ ହୋଣ୍ଡା/ହିରୋ ହୋଣ୍ଡା ସ୍ଲିକ୍ ତଥା ମାରୁତି ଜେନ୍ ରେ ବସାଇ କଲେଜ ନେଉଥିଲେ।ଅଭାବ ଅସୁବିଧା ସମୟରେ ଫିସ୍ ଛାଡ଼ଠୁ ନେଇ ପରୀକ୍ଷା ଫର୍ମ ପୂରଣର ଶେଷଦିନ ପର୍ଯ୍ୟନ୍ତ ପଇସା ବାକି ରଖିବା ପାଇଁ ଅନେକ ସାହାଯ୍ୟର ଋଣରେ ବାନ୍ଧି ଦେଇଛନ୍ତି।
ମୁଖାର୍ଜୀ ସାର୍
ଚାକିରୀ ଜୀବନର ପ୍ରଥମ ଅଧିକାରୀ,କମ୍ପାନୀରେ ଗ୍ରାଜୁଏଟ୍ ଇଞ୍ଜିନିୟର ଭାବେ ଯୋଗଦେଇ କିଛି ବର୍ଷ ଭିତରେ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେବା ପରେ ବି ସେ ଥିଲେ ମୋର ବନ୍ଧୁ ଦାର୍ଶନିକ ଏବଂ ପଥ ପ୍ରଦର୍ଶକ।
ଏତେ ବଡ଼ ସଂସ୍ଥାର ମୂଖ୍ୟ ହେବାପରେ ଏବେବି ଅନେକ ସମୟରେ ମୋର ଛୋଟ ମୋଟ ପ୍ରଶ୍ନର ଉତ୍ତର ଅତି ଆଦରରେ ଦିଅନ୍ତି।

ଜୀବନରେ ଏ ସୋପାନରେ ପହଞ୍ଚାଇବା ପାଇଁ ଏମିତି ଅନେକ ଗୁରୁଙ୍କ ଅବଦାନ ଅତୁଳନୀୟ,ସଭିଙ୍କୁ ଗୁରୁ ଦିବସରେ ଅନେକ ପ୍ରଣିପାତ 

ଭିନ୍ନ ଏକ ଅନୁଭୂତି-ବସ୍ ଯାତ୍ରା (ଭାଗ-୧)


ନଭେମ୍ବର କି ଡିସେମ୍ବର ମାସ ଠିକ୍ ସେ ମନେପଡୁ ନାହିଁ,
ଜଙ୍ଗଲ ପାହାଡ଼ ଅଞ୍ଚଳରେ ଶୀତର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ଭାରି କଷ୍ଟକର ,ସେଥିରେ ପୁଣି ପାହାନ୍ତିଆ ବସ୍ ଯାତ୍ରା ଭୂବନେଶ୍ୱର ଅଭିମୁଖେ,କଣ୍ଡକ୍ଟରକୁ ହାତେଇ ତିନି ଜଣିଆ ସିଟରେ ବସିବାର ଯେଉଁ ଆନନ୍ଦ,ସେକଥା କେବଳ ବିନା ଆରକ୍ଷଣରେ ଦୂର ଯାତ୍ରା କରିଥିବା ଲୋକ ହିଁ କହିପାରିବେ।
ଗଡ଼ି ଚାଲୁଥିଲା “ଶାନ୍ତିଲତା” ତାର ଗନ୍ତବ୍ୟ ସ୍ଥଳୀ ଅଭିମୁଖେ,ଭିତରେ ଶାନ୍ତ ପରିବେଶ,ସକାଳର ସୁଖ ନିଦ୍ରାରେ ସମସ୍ତେ ସ୍ବପ୍ନ ଦେଖିବାରେ ବିଭୋର,କିନ୍ତୁ ଅଶାନ୍ତ ହୋଇ ବସିଥିଲା ମାନବ,ଦଶଟା ସୁଦ୍ଧା ଭୂବନେଶ୍ୱର ପହଞ୍ଚି କ୍ଲାସ କରିବାକୁ ପଡ଼ିବ,ହେ..କ୍ଲାସ ତ ଖାଲି ବାହାନା,ବହୁଦିନରୁ ମନ ଭିତରେ ଥିବା କିଛି କଥା ମିନୁକୁ କହିବା,ହେଲେ ମିନୁ କଣ ମାନିବ ମାନବ କଥା? ଏମିତି ଚିନ୍ତାରେ ମଗ୍ନ ମାନବ, କାନ୍ଧରେ କାହାର ଏକ ହାତର ସ୍ପର୍ଶରେ ଚିନ୍ତା ବ୍ୟାଘାତ,ମୁଖରେ ବିରକ୍ତିର ଭାବନା, କିଏ ବୋଲି କହିବା ପୂର୍ବରୁ ଧିର ସ୍ବରରେ ଶୁଭିଲା ସରି…ଆଖି ଉଠେଇ ଦେଖିଲା ମାନବ,ଆଶ୍ଚର୍ଯ୍ୟ… ଏକଣ?  ମିନୁ ଭଳି ଦେଖିବାକୁ ଇଏ କିଏ? ସାମାନ୍ୟ ହସିଦେଇ ଇଟ୍ସ ଓକେ କହି ପୁଣି ଭାବନା ରାଜ୍ୟକୁ ଫେରି ଆସି ବ୍ୟାଗ ଭିତରୁ ବହିଟିଏ ଖୋଲି ପଢିବାର ଚେଷ୍ଟା କରିଥିଲେ..
ଶୀତଦିନେ ଆଦିତ୍ୟଙ୍କ ନିଦ ଟିକେ ଡେରିରେ ଭାଙ୍ଗେ,ଯେମିତି ଉଠନ୍ତି ନିଜର ପ୍ରତାପ ଦେଖେଇବାକୁ ଭୁଲନ୍ତି ନାହିଁ, ଜାତୀୟ ରାଜପଥ ପହଞ୍ଚିବା ପାଇଁ ଆହୁରି କିଛି ସମୟ ବାକି ଅଛି,ସକାଳୁଆ ଅଫିସ ଯିବାପାଇଁ ଲୋକାଲ୍ ପ୍ୟାସେଞରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥାଏ,ବସ୍ ଭିତରେ କ୍ରିକେଟ ଖେଳିବା ପାଇଁ ସ୍ଥାନ ଅଛି କହି କଣ୍ଡକ୍ଟର ମହୋଦୟ ଆହୁରି ଅଧିକ ଲୋକଙ୍କୁ ଠେଲି ପେଲି ଭିତରକୁ ପସିବାକୁ କହୁଥାନ୍ତି,ଡ୍ରାଇଭର ବାବୁଙ୍କ ସାମନାରେ ଥିବା ଏକମାତ୍ର କ୍ୟାସେଟ ପ୍ଲେୟରରୁ ଫଟା ସ୍ବରରେ ଭାସି ଆସୁଥିଲା ନବେ ଦଶକର କୁମାର ଶାନୁଙ୍କ ଗୀତ ଶୋଚେଙ୍ଗେ ତୁମ୍ହେ ପ୍ୟାର୍ କରେଁ କି ନେହିଁ…,ଗରମର ମାତ୍ରା ବଢିବାରେ ଲାଗିଥାଏ ତାସହ ବସ୍ ଭିତରେ ଭିଡ଼,କାହିଁକି ଯେ ଝରକା ପାଖକୁ ନ ବସି ଏପଟେ ବସୁଥିଲି ଭାବି ମନେମନେ ନିଜକୁ ଧିକ୍କାର କରୁଥିବା ମାନବ ପୁଣି ଏକ କୋମଳ ସ୍ପର୍ଶରେ ଶୀହରିତ,ହେଲେ ଏତ କାହାର ହାତ ପରି ଲାଗୁନାହିଁ,
ଶରୀର ରୋମାଞ୍ଚିତ,ଆଖି ଉଠେଇ ଦେଖିବା ପାଇଁ ସାହସ ବି ହେଉନାହିଁ,ହଠାତ୍ ବ୍ରେକ ଉପରେ ପାଦ ଚାପିଲେ ଚାଳକ ମହୋଦୟ,ପୁଣିଥରେ ସେମିତି କୋମଳ ସ୍ପର୍ଶ, ଏଥର ଆଉ ରହି ପାରିଲା ନାହିଁ ମାନବ,ସିଟରୁ ଉଠି କହିଲେ ଆପଣ ଏଠି ବସନ୍ତୁ ମୁଁ ଛିଡ଼ା ହୋଇଛି,ଲୋକଙ୍କ ଠେଲାପେଲାରେ ଅତସ୍ତତଃ ହୋଇଥିବା ନିଜ ଡ୍ରେସକୁ ସଜାଡି ମୀନୁ ପରି ଦେଖାଯାଉଥିବା ଝିଅଟି କହିଲେ ଥେଙ୍କ ୟୁ, ସ୍ମିତ ହସି ମାନବ ପାଖରେ ଥିବା ରେଲିଙ୍ଗକୁ ଧରି ଲୋକଙ୍କ ଧକ୍କା ମୁକ୍କା ଖାଇ କେତେବେଳେ ଯେ କିଛି ସିଟ୍ ଆଗକୁ ପଳେଇ ଯାଇଥିଲେ ଜାଣି ପାରିନଥିଲେ,ହଠାତ୍ କୌଣସି ଜଣାଶୁଣା ସ୍ବରର ଡାକରେ ପ୍ରକୃତିସ୍ଥ ହୋଇ ଅନାଇ ଦେଖିଲେ..
ଆରେ ତମେ ଛିଡ଼ା କଣ ହୋଇଛ? ଏଇଠି ବସ,
ହେଲେ ଏ କଣ ? ନିଜ ସିଟ୍ ଛାଡିଥିବା ମାନବ ଏବେ ଦେଖୁଥିଲା ସେଇ ଝିଅ ଟି ଆଉଜଣେ  ଯୁବକଙ୍କୁ ଡାକି ଖାଲି ପଡିଥିବା ପାଖ ସିଟରେ ବସାଇଥିଲେ।
#ଧନ୍ୟ କହିବେ ଏମିତି ଝିଅଙ୍କୁ…
ଭାବୁଥାଏ ମାନବ ଆଉ ତାସହ ଜୀବନରେ ଆଉ କୌଣସି ଝିଅକୁ ଏମିତି ସିଟ୍ ନଛାଡିବାର ବଜ୍ର ଶପଥ ମଧ୍ୟ ନେଇ ସାରିଥିଲେ…